ବିଜେପି ଶାସନରେ ଓଡ଼ିଶା ନେତାଙ୍କୁ ଅବହେଳା: ନା ମିଳୁଛି ମନ୍ତ୍ରୀ ପଦ, ନା ମିଳୁଛି ଶାସନରେ ଭାଗିଦାରୀ
ଭୁବନେଶ୍ୱର: ରାଜ୍ୟର ବିଜେପି ସରକାରକୁ ଆଉ କିଛିଦିନ ପରେ ୨ ବର୍ଷ ବିତିବ। ୨୦୨୪ ଜୁନ ୧୨ ତାରିଖରେ ଏଠାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିଥିଲା ଏବଂ ତାହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ପରିଚାଳିତ ଏଯାଏ ହେଉଛି। କିନ୍ତୁ ପ୍ରଶ୍ନ ଉଠୁଛି, ବିଜେପି ଆସନକୁ ଆସିବା ପରେ ସ୍ଥାନୀୟ ନେତା ଓ ନିର୍ବାଚିତ ପ୍ରତିନିଧିମାନଙ୍କୁ ରାଜନୀତିକ ସମ୍ମାନ ଓ ପ୍ରତିଷ୍ଠା ମିଳିପାରିଛି କି? ମନ୍ତ୍ରିମଣ୍ଡଳ ଓ ସରକାରୀ ପ୍ରଶାସନରେ ନିର୍ବାଚିତ ନେତାଙ୍କ ଭାଗିଦାରୀକୁ ଯଦି ତୁଳନା କରାଯାଏ ତେବେ ଭାରତ ବର୍ଷର ଅନ୍ୟ ଯେଉଁ ସ୍ଥାନରେ ବିଜେପି ଶାସନ କରୁଛି ସେହି ରାଜ୍ୟଗୁଡ଼ିକ ଅପେକ୍ଷା ଓଡ଼ିଶାର ନେତାମାନେ ଅବହେଳିତ। ଖାଲି ସେତିକି ନୁହେଁ ଓଡ଼ିଶାର ପୂର୍ବ ସରକାରଗୁଡ଼ିକ ତୁଳନାରେ ମଧ୍ୟ ଏବେ ଶାସକ ଦଳର ନେତାଙ୍କ ଗୁରୁତ୍ୱ ଶାସନ ପ୍ରକ୍ରିୟାରେ ହ୍ରାସ ପାଇଛି। ଅର୍ଥାତ୍ ସେମାନେ ଅଲୋଡ଼ା ହୋଇଛନ୍ତି।
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବା ନେଇ ଯେଉଁ ଚର୍ଚ୍ଚା ଚାଲିଛି ସେ ଭିତରେ ଏ ବିଷୟଟି ବଡ଼ ଗୁରୁତ୍ୱ ବହନ କରେ ଏବଂ ଏହା ଓଡ଼ିଶାର ବିଜେପି ନେତାମାନଙ୍କୁ ହେଜିବା ଲାଗି ଏକ ମୁହୂର୍ତ୍ତ ତିଆରି କରେ। କରଣ ଏବେ ବିଜେପି ସାରା ଦେଶରେ ୧୭ଟି ରାଜ୍ୟରେ ନିଜର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶାସନ କରୁଛି। ୫ଟି ରାଜ୍ୟରେ ଅନ୍ୟ ସହଯୋଗୀ ଦଳର ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ସମର୍ଥନ କରୁଛି। ୧୪ ରାଜ୍ୟରେ ଏକାକୀ ବିଜେପି ସରକାର ରହିଥିବା ବେଳେ ୮ ରାଜ୍ୟରେ ବିଜେପି ମେଣ୍ଟ ସମର୍ଥିତ ସରକାର ଚଳାଉଛି। ଅର୍ଥାତ୍ ଦେଶର ୩୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଭିତରୁ ୨୨ଟିରେ ବିଜେପି ସରକାରରେ ଅଛି। ୫ଟିରେ କଂଗ୍ରେସ ଏକାକୀ ଶାସନ କରୁଛି। ଏହି ୫ ରାଜ୍ୟ ଭିତରୁ ତେଲେଙ୍ଗାନାକୁ ଛାଡ଼ିଦେଲେ ଅନ୍ୟ ୪ ରାଜ୍ୟରେ ଅନୁମୋଦିତ ସର୍ବାଧିକ ସଂଖ୍ୟାର ମନ୍ତ୍ରୀ ରହିଛନ୍ତି। ଅର୍ଥାତ୍ ମନ୍ତ୍ରିମଣ୍ଡଳ ସମ୍ପୂର୍ଣ୍ଣ ଭରପୂର ରହିଛି। ତେଲେଙ୍ଗାନାରେ ୨ଟି ମନ୍ତ୍ରୀ ପଦବୀ ଖାଲି ରହିଛି।
ଓଡ଼ିଶାରେ ୨୨.୨% ମନ୍ତ୍ରୀ ପଦ ଖାଲି
ଅପରପକ୍ଷେ ଏକାକୀ ବିଜେପି ଶାସନ କରୁଥିବା ଅରୁଣାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନ ଓ ତ୍ରିପୁରାରେ ଅନେକ ଆସନ ଖାଲି ପଡ଼ିଛି। ପଶ୍ଚିମବଙ୍ଗରେ ନକଟରେ ଗଢ଼ା ହୋଇଥିବା ବିଧାନସଭାରେ ମଧ୍ୟ ୪୪ ମନ୍ତ୍ରୀ ପଦକୁ ମାତ୍ର ୬ ଜଣ ମନ୍ତ୍ରୀ ସମ୍ଭାଳୁଛନ୍ତି। ଅରୁଣାଚଳ ପ୍ରଦେଶରେ ୧ ମନ୍ତ୍ରୀ ପଦ ଖାଲି ପଡ଼ିଥିବା ବେଳେ ବିଜେପି ଶାସିତ ମଧ୍ୟପ୍ରଦେଶରେ ୩ଟି ଏବଂ ରାଜସ୍ଥାନରେ ୫ ପଦବୀ ଖାଲିପଡ଼ିଛି। ସେହିପରି ଏନ୍ଡିଏ ଶାସିତ ଆନ୍ଧ୍ର ପ୍ରଦେଶରେ ଗୋଟିଏ ମନ୍ତ୍ରୀପଦ ଖାଲିଥିବାବେଳେ, ଆସାମରେ ୨ଟି, ବିହାରରେ ୫ଟି, ମହାରାଷ୍ଟ୍ରରେ ଗୋଟିଏ ପଦବୀ ଖାଲି ପଡ଼ିଛି।
ଅର୍ଥାତ୍ କଂଗ୍ରେସ ସରକାର ଯେଉଁଠି ଅଛି ବା ଯେଉଁଠି କଂଗ୍ରେସ ମେଣ୍ଟ କରିଛି ସେହି ରାଜ୍ୟର ମନ୍ତ୍ରିମଣ୍ଡଳରେ ମନ୍ତ୍ରୀଙ୍କ ସଂଖ୍ୟା ସବୁବେଳେ ସର୍ବାଧିକ ସଂଖ୍ୟାକୁ ଛୁଇଁବାକୁ ଚେଷ୍ଟା କରିଛି। କାଁଭା ପରିସ୍ଥିତିରେ ଗୋଟିଏ କିମ୍ବା ଦୁଇଟି ଆସନ ଖାଲି ପଡ଼ିଥିବା ବେଳେ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଏହି ସଂଖ୍ୟା ଅନେକ ଅଧିକ। ଉପରୋକ୍ତ ହିସାବ ଅନୁସାରେ ବିଜେପି ଓ ଏନ୍ଡିଏ ଶାସିତ ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଭିତରୁ ୮ଟି ରାଜ୍ୟରେ ମନ୍ତ୍ରିମଣ୍ଡଳ ସ୍ଥିତି ସର୍ବାଧିକ ସଂଖ୍ୟାକୁ ପୂରଣ କରିପାରି ନାହିଁ। ଏହି ୮ ରାଜ୍ୟରେ ୬୧ ପଦବୀ ଖାଲି ପଡ଼ିଛି। ଓଡ଼ିଶାରେ ଏହି ଖାଲି ପଦବୀ ହାର ହେଉଛି ୨୭.୨ପ୍ରତିଶତ।
ମନ୍ତ୍ରୀ ମଣ୍ଡଳ ସଂଖ୍ୟା କେମିତି ନିର୍ଦ୍ଧାରଣ ହୁଏ?
କେଉଁ ରାଜ୍ୟରେ କେତେ ଜଣ ସର୍ବନିମ୍ନ ଓ ସର୍ବାଧିକ ମନ୍ତ୍ରୀ ପଦ ରହିବ ତାହା ସମ୍ବିଧାନ ଦ୍ୱାରା ସ୍ଥିରୀକୃତ। ୨୦୦୩ ମସିହାରେ ହୋଇଥିବା ସମ୍ବିଧାନର ୯୧ତମ ସଂଶୋଧନ ଏହାକୁ ନିର୍ଦ୍ଧାରଣ କରିଛି। ଯେହେତୁ ମନ୍ତ୍ରୀପଦ କୌଣସି ରାଜ୍ୟର ତହବିଲ ଉପରେ ଚାପ ପକାଇଥାଏ, ଏଣୁ ଏ ସଂଖ୍ୟାକୁ ଅସୀମିତ କରିବା ବଦଳରେ ସୀମିତ ରାଯାଇଛି। ଏହି ସଂଶୋଧନ ନିୟମ ଅନୁସାରେ ପ୍ରତି ରାଜ୍ୟରେ ଯେତିକି ବିଧାନସଭା ଆସନ ରହିଛି ତାହାର ସର୍ବାଧିକ ୧୫ ପ୍ରତିଶତ ମନ୍ତ୍ରୀ ରହିପାରିବେବେ। କିନ୍ତୁ ଛୋଟ ଛୋଟି ବିଧାନସଭାରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେବାକୁ ଯାଇ ଏହି ସଂଖ୍ୟାକୁ ସର୍ବନିମ୍ନ ୧୨ ରଖାଯାଇଛି। ଅର୍ଥାତ୍ କୌଣସି ରାଜ୍ୟରେ ୧୨ ତଳକୁ ମନ୍ତ୍ରୀ ରହିବେ ନାହିଁ। ଏଣୁ ପଶ୍ଚିମବଙ୍ଗ ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳକୁ ସମ୍ପ୍ରସରଣ କରିବାକୁ ଯାଉଛି ଏହା ନିଶ୍ଚିତ।
କିନ୍ତୁ ଜମ୍ମୁ ଓ କଶ୍ମୀର ପୁନର୍ଗଠନ ବିଧେୟକ ଅନୁସାରେ ଜମ୍ମୁରେ ଏ ୧୫ ପ୍ରତିଶତ ନୟମ ଲାଗୁ ହେଉ ନାହିଁ। ବରଂ ଏହି ନିୟମ ଅନୁସାରେ ଜମ୍ମୁ ଓ କଶ୍ମୀର ବିଧାନସଭାରେ ସର୍ବାଧିକ ୧୦% ସଦସ୍ୟ ମନ୍ତ୍ରୀ ଆସନ ଅଳଂକୃତ କରିପାରିବେ। ଅର୍ଥାତ୍ ୯୦ ଆସନ ବିଶିଷ୍ଟ ଜମ୍ମୁ ଓ କଶ୍ମୀରରେ ସର୍ବାଧିକ ୯ ଜଣ ମନ୍ତ୍ରୀ ରହିପାରିବେ। ଏବେ ଏଠାରେ ୬ ଜଣ ମନ୍ତ୍ରୀ ବିଭିନ୍ନ ବିଭାଗର ଦାୟିତ୍ୱରେ ରହି ସରକାର ଚଳାଉଛନ୍ତି। ଏଠାରେ ବି ୩ ମନ୍ତ୍ରୀ ପଦ ଖାଲି ପଡ଼ିଛି।
ସେହିପରି ବିଜେପି ଶାସିତ ରାଜସ୍ଥାନରେ ୫ଟି, ମଧ୍ୟପ୍ରଦେଶରେ ୩ଟି ମନ୍ତ୍ରୀପଦ ଖାଲି ପଡ଼ିଥିବା ବେଳେ ଓଡ଼ିଶାରେ ୨୭.୨% ମନ୍ତ୍ରୀ ପଦବୀ ଅର୍ଥାତ୍ ୬ଟି ଖାଲି ପଡ଼ିଛି। ଏନ୍ଡିଏ ଶାସିତ ଆନ୍ଧ୍ରରେ ୧, ଆସାମରେ ୨, ବିହାରରେ ୫, ମେଘାଳୟରେ ଗୋଟିଏ ମନ୍ତ୍ରୀ ପଦ ଖାଲି ପଡ଼ିଛି।
ଆପ୍ ଶାସିତ ପଞ୍ଜାବରେ ୧ ପଦବୀ ଖାଲିଥିବା ବେଳେ, ତାମିଲନାଡ଼ୁର ନୂତନ ସରକାରରେ ଆହୁରି ୨ ଜଣଙ୍କୁ ମନ୍ତ୍ରୀ ପଦବୀ ଦିଆଯାଇପରିବ। ପଶ୍ଚିମବଙ୍ଗ ମନ୍ତ୍ରିମଣ୍ଡଳ କଥା ତ କହିଛି, ଯାହା ସର୍ବନିମ୍ନ ମନ୍ତ୍ରୀ ସଂଖ୍ୟାଠୁ ବି କମ୍ ରହିଛି।
ପୂର୍ବ ମନ୍ତ୍ରିମଣ୍ଡଳର ତୁଳନା
ଓଡ଼ିଶା ରାଜନୀତିରେ ଏକ ପ୍ରବାଦ ରହିଛି ଯେ, ଥରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ବିଜୁ ପଟ୍ଟନାୟକ ମନ୍ତ୍ରି ପଦ ପୂରଣ କରିବା ବଦଳରେ ‘ମୁଁ କ’ଣ ଏକା ଯଥେଷ୍ଟ ନୁହେଁ’ ବୋଲି ପ୍ରଶ୍ନ କରିଥିଲେ। ଏହା କେବେ ଓ କାହିଁକି କହିଥିଲେ ତାହାର କୌଣସି ପ୍ରମାଣ ଯଦିଓ ମୋ ପାଖରେ ନାହିଁ କିନ୍ତୁ ଏହା ବିଜୁ ବାବୁଙ୍କ ଜନପ୍ରିୟତା ଓ ଆତ୍ମ ବିଶ୍ୱାସକୁ ପ୍ରତିଫଳତିତ କରିବା ଲାଗି ଅନେକ ରାଜନୀତିକ ଅନୁଶୀଳନକାରୀ କହିଥାଆନ୍ତି। ହେଲେବ ବିଜୁ ବାବୁ କ’ଣ ସତରେ କମ୍ ମନ୍ତ୍ରୀଙ୍କୁ ନେଇ ମନ୍ତ୍ରିମଣ୍ଡଳ ଚଳାଉଥିଲେ?
ଏମିତି ପ୍ରଶ୍ନକୁ ବୁଝାଇବା ଲାଗି ଚାଲନ୍ତୁ ପୂର୍ବବର୍ଷଗୁଡ଼ିକରେ ଗଢ଼ା ହୋଇଥିବା ମନ୍ତ୍ରିମଣ୍ଡଳକୁ ଅନୁଶୀଳନ କରିବା। ୨୦୦୩ ମସିହାରେ ସର୍ବାଧିକ ମନ୍ତ୍ରୀପଦ କେତେ ରହିବ ତାହା ସ୍ଥିର କରାଯାଇଥିଲା। ଏହା ସମୁଦାୟ ଦସ୍ୟ ସଂଖ୍ୟାରୁ ଅଧିକ ହେବ ନାହିଁ ବୋଲି କୁହାଯାଇଛି। ଏହି ଅନୁସାରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସର୍ବଦା ୨୦ ପାଖାପାଖି ମନ୍ତ୍ରୀ ରହି ଆସିଛନ୍ତି। ପ୍ରଥମ ସରକାରରେ ଅର୍ଥାତ୍ ୨୦୦୦ ମସିହାରେ ମନ୍ତ୍ରିମଣ୍ଡଳରେ ୨୫ ଜଣ ସଦସ୍ୟ ମନ୍ତ୍ରୀ ହୋଇଥିବାର ନଜୀର ରହିଛି। ଏହା ପଛରେ ଯେଉଁ କାରଣ ରହିଛି ତାହା ହେୁଛି ମେଣ୍ଟ ସରକା।ର ଏହାପରେ୨୦୦୪-୨୦୦୯ ସରକାରରେ ୨୨ ଜଣ ମନ୍ତ୍ରୀ ଥିଲେ। ୨୦୦୯-୧୪ ସରକାରରେ ୨୦, ଏହାପର ସରକାରରେ ନବୀନ ବାବୁ ୨୧ ଲେଖାଏ ମନ୍ତ୍ରୀଙ୍କୁ ନେଇ ସରକାର ଚଳାଇଥିଲେ। ଏହା ପୂର୍ବରୁ ୧୯୯୯ ମସିହାରେ ହେମାନନ୍ଦ ବିଶ୍ୱାଳଙ୍କ ସରକାରରେ ସମୁଦାୟ ୨୪ ଜଣ ମନ୍ତ୍ରି ଥିବା ବେଳେ ୧୯୯୫ରୁ ୨୦୦୦ ମନ୍ତ୍ରିମଣ୍ଡଳରେ ୩୦ ଜଣ ମନ୍ତ୍ରୀ ଥିଲେ ଏବଂ ଏହାକୁ ଜାନକୀ ବଲ୍ଲଭ ପଟ୍ଟନାୟକ ନେତୃତ୍ୱ ଦେଉଥିଲେ। ୧୯୯୦ରୁ ୯୫ ସରକାର ଥିଲା ବିଜୁ ବାବୁଙ୍କର। ଏହି ସମୟରେ ଜନତା ଦଳର ସରକାର ୨୭ ଜଣ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ନେଇଥିଲା।ଏହାକୁ ସଂସ୍କାରମୂଳକ କ୍ୟାବିନେଟ ଭାବେ ଗ୍ରହଣ କରାଯାଉଥିଲା। ଏହା ପୂର୍ବରୁ କେବେ ଏହି ସଂଖ୍ୟାର ବ୍ୟକ୍ତିଙ୍କୁ ମନ୍ତ୍ରୀ ପଦ ମିଳି ନଥିଲା। ଏହା ଏହା ପରେ କେବଳ ଜନକୀ ବାବୁ ନିଜ ମନ୍ତ୍ରିମଣ୍ଡଳରେ ୩୦ ଜଣଙ୍କୁ ମନ୍ତ୍ରିଭାବେ ଗ୍ରହଣ କରିବାର ସାହସ ଦେଖାଇଥିଲେ।
ପ୍ରଥମ ସରକାର ଯେତେବେଳେ ରାଜ୍ୟରେ ସଦସ୍ୟଙ୍କ ସଂଖ୍ୟା ୧୪୦ ଥିଲା ସେତେବେଳେ ସମୁଦାୟ ମନ୍ତ୍ରୀଙ୍କ ସଂଖ୍ୟା ୧୦ ଥିବା ବେଳେ ୧୯୯୬ ମସିହାରେ ହରେକୃଷ୍ଣ ମହତାବଙ୍କ ସରକାରରେ ୧୨ଜଣ, ୧୯୬୧ରୁ ୧୯୬୩ ଭିତରେ ବିଜୁ ପଟ୍ଟନାୟକଙ୍କ ସରକାର ୧୪ଜଣଙ୍କୁ ମନ୍ତ୍ରିମଣ୍ଡଳରେ ନେଇ ଏକ ଉଦାହରଣ ସୃଷ୍ଟି କରିଥିଲେ। ଆସନ୍ତା ଦଶନ୍ଧି ମଧ୍ୟ ଏହି ସଂଖ୍ୟାକୁ ରକ୍ଷା କରିଥିଲା। ୧୯୬୩ ମସିହାରେ ଆସିଥିବା ବିରେନ ମିତ୍ରଙ୍କ ସରକାରରେ ୧୩ ଜଣ ମନ୍ତ୍ରୀପଦ ରକ୍ଷା କରିଥିବାବେଳେ, ୧୯୬୫ସଦାଶୀବ ତ୍ରିପାଠୀଙ୍କ ସରକାରରେ ୧୩, ୧୯୬୭ ରାଜେନ୍ଦ୍ର ନାରାୟଣ ସିଂ ଦେଓଙ୍କ ସରକାରରେ ୧୭ ମନ୍ତ୍ରୀ ଥିଲେ। ୧୯୭୧ରେ ଆସିଥିବା ରାଜନୀତକି ସଙ୍କଟ ଭିତରେ ଗଢ଼ା ହୋଇଥିବା ବିଶ୍ୱନାଥ ଦାସଙ୍କ ସରକାର ୧୨ଜଣ ମନ୍ତ୍ରୀପଦ ପାଇଥିବା ବେଳେ ନନ୍ଦିନୀ ଶତପଥିଙ୍କ ସରକାରରେ ୧୮ ଜଣ ମନ୍ତ୍ରୀପଦ ଧାରଣ କରିଥିଲେ। ୧୯୬୭ରେ ବିନାୟକ ଆଚାର୍ଯ୍ୟଙ୍କ ସରକାର ୧୬ଜଣଙ୍କୁ ମନ୍ତ୍ରୀପଦ ଦେଇଥିବା ବେଳେ ୧୯୭୭ରୁ ୧୯୮୦ ଯାଏ ଥିବା ନୀଳମଣି ରାଉତରାୟଙ୍କ ସରକାରରେ ୨୦ ଜଣ ସଦସ୍ୟଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ୧୯୮୦ ମସିହାରେ ଜାନକୀ ବାବୁ ପ୍ରଥମ ଲୋକପ୍ରିୟ ସରକାର ଗଠନ କରିଲେ। ଏହା ୯ ବର୍ଷ ଧରି ଥିଲା। ଏଥିରେ ସର୍ବାଧିକ ୨୪ଜଣଙ୍କୁ ମନ୍ତ୍ରୀପଦ ଦେଇଥିଲେ ଜାନକୀ। ୧୯୮୯ ମସିହାରରେ ହେମାନନ୍ଦ ବିଶ୍ୱାଳ ସରକାର ଗଢ଼ିଥିଲେ କିନ୍ତୁସଂଖ୍ୟା ଥିଲା ସର୍ବାଧିକ ୨୦। ଏହାପରେ ବିଜୁ ବାବୁଙ୍କ ଦ୍ୱୀତୀୟ ସରକାର ଏବଂ ଏ ବିଷୟରେ ପୂର୍ବରୁ ସୂଚନା ଦେଇଛି।
ଶେଷ କଥା
ସଂକ୍ଷେପରେ କହିଲେ ଏବେକାର ମନ୍ତ୍ରୀମଣ୍ଡଳ ହେଉଛି ସବୁଠାରୁ ଦୁର୍ବଳ ସଂଖ୍ୟା ବିଶିଷ୍ଟ ମନ୍ତ୍ରିମଣ୍ଡଳ। ଏହି ମନ୍ତ୍ରିମଣ୍ଡଳରେ ସଂଖା ଗରିଷ୍ଠ ଥିଲେ ମଧ୍ୟ କେନ୍ଦ୍ରୀୟ ଚାପ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଧୀନତାର ଅଭାବ ରାଜ୍ୟର ନେତାମାନଙ୍କୁ ମନ୍ତ୍ରୀଭାବେ ନିଜ କ୍ୟାରିୟର ସ୍ପଷ୍ଟ କରିବା ତଥା ରାଜ୍ୟକୁ ଅଧିକ ଗଣତାନ୍ତ୍ରିକ ମନ୍ତ୍ରିମଣ୍ଡଳ ଦେବାରୁ ବାରଣ କରାଯାଉଛି।











