ଏପ୍ରିଲ ୩୦ରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ, ଆଲୋଚନା ହେବ ମହିଳାଙ୍କା ଭାଗିଦାରୀ ପ୍ରସଙ୍ଗ

ଭୁବନେଶ୍ୱର: ରାଜ୍ୟ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ଏହାମାତ୍ର ଗୋଟିଏ ଦିନ ପାଇଁ ବସିବ । ଏଥିରେ ଭାରତର ଗଣତନ୍ତ୍ରରେ ମହିଳାଙ୍କ ଭୂମିକାକୁ ନେଇ ଆଲୋଚନା ହେବ। ଏ ନେଇ ରାଜ୍ୟ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ସଂସଦର ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ଆଇନ ୨୦୨୩ ଲାଗୁ ପାଇଁ ଅଣାଯାଇଥିବା ୧୩୧ତମ ସମ୍ବିଧାନ ସଂଶୋଧନ ବିଧେୟକ ଲୋକସଭାରେ କାଟ ଖାଇବା ପରେ ରାଜ୍ୟ ବିଧାନସଭା ପକ୍ଷରୁ ଏହି ଅଧିବେଶନ ଡକାଯାଇଛି। ଏଥିରେ ମୁଖ୍ୟତଃ ବିଜେପିର ଆଭିମୁଖ୍ୟ ଏବଂ ବିରୋଧୀ ଦଳଗୁଡ଼ିକର ମନୋଭାବକୁ ନେଇ ଆଲୋଚନା ହେବ।  ମୁଖ୍ୟ ବିରୋଧୀ ଦଳ ମହିଳା ଆରକ୍ଷଣ ବିଧେୟକକୁ ସମର୍ଥନ କରୁଥିଲେ ମଧ୍ୟ ୨୦୨୬ ଜନଗଣନା ରିପୋର୍ଟ ଆସିବା ପୂର୍ବରୁ ସୀମା ପୁନଃ ନିର୍ଦ୍ଧାରଣକୁ ବିରୋଧ କରୁଛି। ଏ ନେଇ ମୁଖ୍ୟ ବିରୋଧୀ ଦଳ ନେତା ମଧ୍ୟ ସ୍ୱତନ୍ତ୍ର ଆଲୋଚନା ପାଇଁ ଦାବି କରିଥିଲେ।  ସୀମା ପୁନଃନିର୍ଦ୍ଧାରଣ ଦ୍ୱାରା ରାଜ୍ୟର ଗୁରୁତ୍ୱ କେନ୍ଦ୍ର ରାଜନୀତିରେ କମିବ ବୋଲି ଚର୍ଚ୍ଚା ହୋଇଥିଲା।

ଯଦିଓ ସୀମା ପୁନର୍ଗଠନ ବିଧେୟକ ରାଜ୍ୟ ସମେତ ଦେଶର ଲୋକସଭାର ମୋଟ ଆସନରେ ୫୦ ପ୍ରତିଶତ ବୃଦ୍ଧିକୁ ଉପସ୍ଥାପନ କରିଥିଲା  କିନ୍ତୁ ଏହି ବିଧେୟକ ଦ୍ୱାରା ଗୁରୁତ୍ୱ କମିବ ବୋଲି ଅଭିଯୋଗ ହେଉଥିଲା। ଜନସଂଖ୍ୟା ନିୟନ୍ତ୍ରଣ କରିଥିବା ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଭଳି ଓଡ଼ିଶା ମଧ୍ୟ ଦୁର୍ଦ୍ଦଶା ଭୋଗିବ ବୋଲି କୁହାଯାଇଥିଲା। ହେଲେ ବିଧେୟକର ଆଲୋଚନା ବେଳେ ୫୦ ପ୍ରତିଶତ ଆସନ ସମାନୁପାତିକ ଭାବେ ବଢ଼ିବ ବୋଲି ସୂଚନା ଦେଇଥିଲେ ଗୃହ ମନ୍ତ୍ରୀ ଅମିତ ଶାହ। ଏହା ଦ୍ୱାରା ଲୋକସଭାର ସମୁଦାୟ ଆସନ ୮୫୦କୁ ଏବଂ ଓଡ଼ିଶାରୁ ଲୋକସଭାରେ ସଦସ୍ୟଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଥିଲା। ୫୪୩ ଆସନ ବିଶିଷ୍ଟ ଏବେକାର ଲୋକସଭାରେ ରାଜ୍ୟରୁ ୨୧ଜଣ ସାଂସଦ ପ୍ରତିନିଧିତ୍ୱ କରୁଛନ୍ତି। ଏହାଦ୍ୱାରା ଓଡ଼ିଶାର ସାଂସଦଙ୍କ ଶକ୍ତି ହେଉଛି ୩.୮ ପ୍ରତିଶତ। ନୂଆ ଆକଳନ ଅନୁସାରେ ଏହା ୩.୬କୁ ଖସି ଆସିବାର ଆଶଙ୍କା ରହିଛି।  ଏ ବିଷୟରେ ସ୍ୱର ଉତ୍ତୋଳନ ପାଇଁ ବିଜେଡି ପକ୍ଷରୁ ଅଭିଯାନ ଆରମ୍ଭ କରିଥିଲା। କିନ୍ତୁ ଲୋକସଭାରେ ବିଜେଡିର କୌଣସି ସଦସ୍ୟ ନଥିବାରୁ ଏ ବିଧେୟକ ସ୍ବନ୍ଧରେ ପାର୍ଟିର ମତାମତ ସ୍ପଷ୍ଟ ହୋଇ ନଥିଲା।

Leave a Reply

Your email address will not be published. Required fields are marked *