ମାସକୁ ବନ୍ଦ ହେଉଛି ୨ ହଜାର ଓ୍ୱେବସାଇଟ୍; ଅର୍ଥ ବାଧକ ନୁହେଁ କିନ୍ତୁ କାହିଁକି?
ଭୁବନେଶ୍ୱର: ଜାନୁୟାରୀ ୨୦୨୫ରୁ ଡିସେମ୍ବର ୨୦୨୫ ଭିତରେ ୨୪ ହଜାର ୩୦୦ ଓ୍ୱେସାଇଟ୍ ବା ୟୁଆର୍ଏଲ୍କୁ ବ୍ଲକ୍ କରିବା ଲାଗି ସରକାର ଆଦେଶ ଦେଇଛନ୍ତି। ଅର୍ଥାତ ମାସକୁ ୨୦୦୦ରୁ ଅଧିକ ଓ୍ୱେବସାଇଟକୁ ସରକାର ବନ୍ଦ ଆଦେଶ ଦେଉଛନ୍ତି। ଖାଲି ସେତିକି ନୁହେଁ, ଗଲା ତିନି ବର୍ଷର ରେକର୍ଡକୁ ଯଦି ତର୍ଜମା କରାଯାଏ ତେବେ ଏହି ସଂଖ୍ୟା ବର୍ଷକୁ ଦ୍ୱିଗୁଣିତ ହାରରେ ବଢ଼ୁଛି। କିନ୍ତୁ କାହିଁକି? ଓ୍ୱେବ୍ ସାଇଟ୍ ଚଳାଉଥିବା ମାଲିକଙ୍କ ପାଖରେ ଯେ ଅର୍ଥର ଅଭାବ ଯୋଗୁ ଏହା ହେଉଛି ତାହା ନୁହେଁ। ବରଂ ଏହା ହେଉଛି ବାକ୍ ସ୍ୱାଧୀନତା ନାଁରେ ଦେଶର ଆଇନ ଉଲ୍ଲଂଘନ। ଆସନ୍ତୁ ନଜର ପକାଇବା ଏ ଆଇନରେ କି ବ୍ୟବସ୍ଥା ଅଛି ଓ କାହିଁକି ଏସବୁକୁ ନେଇ କେବଳ ସରକାର ନୁହେଁ ବରଂ ପ୍ରତିଷ୍ଠିତ ନେତା ଓ ସେଲିବ୍ରିଟି ବି ଅଡ଼ୁଆରେ ପଡ଼ିଛନ୍ତି।
ଇଂରାଜୀ ଦୈନିକ ଦି’ ଇଣ୍ଡିଆନ୍ ଏକ୍ସପ୍ରେସର ରିପୋ୍ଟ ଅନୁସାରେ ୨୦୨୫ ଡିସେମ୍ବର ସୁଦ୍ଧା ଆଇଟି ମନ୍ତ୍ରଣାଳୟ ୨୪ ହଜାର ୩୦୦ ୟୁଆରଏଲ୍କୁ ଦେଶରେ ବ୍ଲକ୍ ବା ବନ୍ଦ କରିବା ପାଇଁ ଆଦେଶ ଦେଇଛନ୍ତି। ୨୦୨୪ରେ ଏହି ସଂଖ୍ୟା ୧୨ହଜାର ୬୦୦ ଥିଲା। ୨୦୧୮ରୁ ୨୦୨୩ ମଧ୍ୟରେ ୩୬ ହଜାର ୮୩୮ ଟି ୟୁଆର୍ଏଲ୍କୁ ବ୍ଲକ୍ କରିବା ପାଇଁ ଆଦେଶ ଦିଆଯାଇଥିଲା। ଅର୍ଥାତ୍ ୨୦୨୩ ମସିହା ଯାଏ ଏହା ବର୍ଷକୁ ହାରାହାରି ପ୍ରାୟ ୬ ହଜାର ଥିଲା। ଆଉ ତା’ପରେ ବର୍ଷକୁ ଏ ସଂଖ୍ୟା ଦ୍ୱିଗୁଣିତ ହୋଇ ୨୦୨୫ରେ ଏହା ୨୪ ହଜାରକୁ ଟପିଛି।
ମନ୍ତ୍ରଣାଳୟ ଅନୁସାରେ, ଏହି ଆଦେଶ ବିଶେଷତଃ ସୋଶାଲ୍ ମିଡିଆରେ ସେମାନଙ୍କ ପ୍ରସାରକୁ ଦେଖି ହିଁ ଜାରି କରାଯାଉଛି। ଏଥିରୁ ୬୦ ପ୍ରତିଶତ ଟ୍ୱିଟର ବା ଏକ୍ସରେ ପ୍ରସାରଣ ପାଇଁ ଜାରି କରାଯାଇଥିବା ବେଳେ ୨୫ ପ୍ରତିଶତ ଫେସବୁକ୍ ଏବଂ ୫% ୟୁଟ୍ୟୁବ୍ ରେ ନିଜର ଆଇନ ଉଲ୍ଲଂଘନକାରୀ କଣ୍ଟେଣ୍ଟ ଲାଗି ଜାରି କରାଯାଇଛି।
କେଉଁ କଣ୍ଟେଣ୍ଟ ଆଇନ ଉଲ୍ଲଂଘନ କରେ?
ଏଠି ପ୍ରଶ୍ନ ଉଠୁଛି ଯେ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନ ୨୦୨୦ ଅନୁସାରେ କେଉୋ ପ୍ରକାର କଣ୍ଟେଣ୍ଟ ଆଇନ ଉଲ୍ଲଂଘନ କରିଥାଏ। ଆଇନର ଧାରା ୬୯ (କ) ଅନୁସାରେ ୫ଟି ପ୍ରମୁଖ କାରଣକୁ ଦର୍ଶାଇ ସରକାର କୌଣସି ଇଣ୍ଟରନେଟ୍ ବା କମ୍ପ୍ୟୁଟର ସମ୍ପଦକୁ ବ୍ଲକ କରିବା ଲାଗି ଆଦେଶ ଜାରି କରିପାରିବେ। ସେଗୁଡ଼ିକ ହେଲା:
୧) ସାର୍ବଭୌମତ୍ତ୍ୱ ଉଲ୍ଲଂଘନ
୨) ପ୍ରତିରକ୍ଷା ଓ ସୁରକ୍ଷା ପ୍ରତି ଆହ୍ୱାନ
୩) ବୈଦେଶିକ ରାଷ୍ଟ୍ର ସହ ବନ୍ଧୁତା ନଷ୍ଟ
୪) ଆଇନ ଶୃଙ୍ଖଳା ନଷ୍ଟ ଏବଂ
୫) ତଦନ୍ତକୁ ବାଧା ପହଞ୍ଚାଇବା
ଏହି ୫ଟି ବର୍ଗରେ ମନ୍ତ୍ରଣାଳୟ ବିଭିନ୍ନ ଅଭିଯୋଗକୁ ଯାଞ୍ଚ କରିଥାଏ। ଏ ଅଭିଯୋଗ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବିଭିନ୍ନ ସେଲିବ୍ରିଟି ଓ ନେତାଙ୍କ ଯାଏ ଦାଖଲ କରିଥାଆନ୍ତି। ରିପୋର୍ଟ ଅନୁସାରେ ସଦ୍ୟତମ ଅଭିଯୋଗ ବିରୋଧୀ ଦଳ ସାଂସଦ ଶଶି ଥରୁର ଏ ନେଇ ଗୃହ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରିଥିଲେ। ଏଆଇ ଦ୍ୱାରା ତାଙ୍କର ଏକ ଭିଡିଓ ପ୍ରସାରଣକୁ ନେଇ ସେ ଉଦବେଗ ପ୍ରକାଶ କରିଥିଲେ। ଯଦିଓ ପାକିସ୍ତାନରେ ଏ ଭିଡିଓ ସୃଷ୍ଟି କିନ୍ତୁ ଅତି କମରେ ଭାରତରେ ଏହି ଭିଡିଓ ପ୍ରସାରଣକୁ ରୋକିବା ଲାଗି ଅନୁରୋଧ କରିଥିଲେ।
ଏଆଇ ଏବଂ ଡିପ ଫେକ୍ ଭିଡିଓ ବ୍ୟବହାର ଯେଉଁ ପରିମାଣରେ ବଢ଼ିଛି ତାହା ଅପ ପ୍ରଚାର, ଫେକ୍ ନ୍ୟୁଜ୍ ପ୍ରସାରଣକୁ ବାଟ ଖୋଲିଛି। ଏଆଇ ବ୍ୟବହାରକୁ ନେଇ କଣ୍ଟେଣ୍ଟ ଲେଖିବା ଏବଂ ତିଆରି କରିବା ଅନେକ ସମୟରେ ଭିନ୍ନ ଭିନ୍ନ କ୍ଷେତ୍ରରେ ମିଡିଆ ଜଗତ ପାଇଁ ଆହ୍ୱାନ ସୃଷ୍ଟି କରିଛି। କେବଳ ସେତିକି ନୁହେଁ ଏହା ସ୍ଥାନୀୟ ଆଇନ ଶୃଙ୍ଖଳାକୁ ବାଧା ଦେଉଥିବା ବେଳେ ଆଇଟି ଆଇନ ୨୦୨୦କୁ ଉଲ୍ଲଂଘନ କରୁଛି।
ଓଡ଼ିଶାରେ ଡିପ୍ ଫେକ୍
ଆମ ରାଜ୍ୟରେ ମଧ୍ୟ ଏପରି ଅନେକ ଘଟଣା ଲାଗି ପୁଲିସ ଓ ସାଇବର ସେଲକ ନାକ ଘୋଷାରିବାକୁ ପଡ଼ିଛି। ଏହାର କାରଣ ହେଉଛି ଡିପ ଫେକ୍ ଭିଡିଓ ବ୍ୟବହାର କରି ଅର୍ଥ ଲୁଟ ଏବଂ ସେକ୍ସଟୋସନ୍। ଏହିଭଳି ଘଟଣା ଗଲା ୫ ବର୍ଷରେ ୩୦୦ ପ୍ରତିଶତ ବଢ଼ିଥିବା ବିଶେଷଜ୍ଞମାନେ କହିଛନ୍ତି। ଏଣୁ ରାଜ୍ୟ ପକ୍ଷରୁ ବାରମ୍ବାର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନ ଅନୁସାରେ କେନ୍ଦ୍ରୀୟ କମିଟିକୁ ସାମାଜିକ ଗଣମାଧ୍ୟରେ ପ୍ରସାର କରାଯାଉଥିବା ୟୁଆରଏଲ୍ ଅପସାରଣ ପାଇଁ ଅନୁରୋଧ କରାଯାଇଛି। ସେହିପରି ସାଧାରଣ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ଲାଗି ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଇଣ୍ଟରନେଟ୍ ପ୍ରସାରଣ ବନ୍ଦ କରାଯାଇଛି। ଗଲା ୫ ବର୍ଷ ଭିତରେ ଏପି ୫ଟି ଆଦେଶ ରାଜ୍ୟ ସରକାର ଦେଇଥିବା ସୂଚନା ମିଳିଛି।
ଏଣୁ ଆବଶ୍ୟ ହେଉଛି ଆବଶ୍ୟକତା ଅନୁସାରେ ସଚେତନ ରହିବା। ନିଜ ପୋର୍ଟାଲ୍ରେ ବ୍ୟବହାର କରାଯାଉଥିବା କଣ୍ଟେଣ୍ଟ ଯେମିତି ଏହି ବର୍ଗ ଅନ୍ତର୍ଭୁକ୍ତ ନହେବ ସେଥିପ୍ରତି ଧ୍ୟାନ ଦେବା।











