ବିଜେପି ଶାସନରେ ଓଡ଼ିଶା କୋଣଠେସା କହିଁକି?

ଭୁବନେଶ୍ୱର: ଆଜି ପଶ୍ଚିମବଙ୍ଗରେ ବିଜେପି ସରକାର ଶପଥ ଗ୍ରହଣ କଲେ। ଶୁଭେନ୍ଦୁ ଅଧିକାରୀଙ୍କ ସହ ଅନ୍ୟ ୫ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଲେ। ଏହାଦ୍ୱାରା ଭାରତରେ ପଶ୍ଚିମବଙ୍ଗ ବିଂଶତମ ବିଜେପି ଶାସିତ ରାଜ୍ୟରେ ପରିଗଣିତ ହେଲା। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହି ଉତ୍ସବରେ ସାମିଲ ଥିଲେ। ଖାଲି ସାମିଲ ଥିଲେ ବୋଲି କହିଲେ ଚଳିବ ନାହିଁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ବାଛିବା ପ୍ରକ୍ରିୟାରେ ସହ ପର୍ଯ୍ୟବେକ୍ଷକ ମଧ୍ୟ ଥିଲେ। ପ୍ରଶ୍ନ ଉଠୁଛି, ଯାହାଙ୍କୁ ମୋହନ ପଡ଼ୋଶୀ ରାଜ୍ୟର ପ୍ରତିପକ୍ଷ ଭାବେ ଆସନ ଅଳଂକୃତ କରାଇଲେ ସେ ଏଥିପାଇଁ ଧନ୍ୟହେଲେ ନା ତାଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଚର୍ଚ୍ଚିତ ହେଲେ?  ଓଡ଼ିଶା ଏହାଦ୍ୱାରା କିଛି ଗୌରବ ଅର୍ଜନ କଲା ନା ପୂର୍ବ ଭଳି ହତଭାଗା ହିଁ ରହିଲା?

୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶା ବିଜେପିକୁ ଆକସ୍ମିକ ବିଜୟ ଦେଇଥିଲା।  ସାରା ଭାରତରେ ଯେତେବେଳେ ବିଜେପି ନିରାଶ ହୋଇଥିଲା ସେତେବେଳେ ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ଅପ୍ରତ୍ୟାଶିତ ସଫଳତା ଆଣି ଅଜାଡ଼ି ଦେଇଥିଲା। କେବଳ ରାଜ୍ୟରେ ସରକାର ଗଢ଼ିଥିଲା ତା’ ନୁହେଁ, ବରଂ ଲୋକସଭାରେ ୨୧ରୁ ୨୦ ଆସନ ଦେଇ ବିଜେପିର ଇଜ୍ଜତ ବଞ୍ଚାଇଥିଲା ଓଡ଼ିଶା। ତାହା ନ ହୋଇଥିଲେ ବିଜେପି ଲୋକସଭାରେ ୨୨୦ରେ ସୀମିତ ରହିଥାଆନ୍ତା। ଅର୍ଥାତ୍‍ ‘ଅବ୍‍କି ବାର୍‍ ୪୦୦ ପାର୍‍’ ଆହ୍ୱାନ ଦେଇଥିବା ବିଜେପି ହୁଏତ ସରକାର ରକ୍ଷା କରିବାରେ ଅସଫଳ ହୋଇଥାଆନ୍ତା। ସେଥିଲାଗି ଯେଉଁ ଲୋକସଭା ୨୦୧୪ରୁ ଜୟ ଶ୍ରୀରାମ ନାରାରେ ଗୁଞ୍ଜରିତ ହେଉଥିଲା ସେଠାରେ ଶ୍ରୀ ଜଗନ୍ନାଥଙ୍କ ଜୟଜୟକାର ଶୁଣିବାକୁ ମିଳିଥିଲା। ହେଲେ ଓଡ଼ିଶାକୁ କ’ଣ ମିଳିଲା?  ଏ ପ୍ରସଙ୍ଗରେ ମୁଁ ଆଜି  ଯେଉଁ କିଛି ବିନ୍ଦୁ ଉପସ୍ଥାପନ କରିବି ତାହା ଓଡ଼ିଶା କିପରି ମୋହନଙ୍କ ଶାସନରେ ହତଭାଗା ହୋଇଛି ତାହାକୁ ପ୍ରମାଣିତ କରିବ।

ପ୍ରଥମ ବିନ୍ଦୁ ହେଉଛି ଶାସନରେ ଶିଥିଳତା।

ଗଲା ଦୁଇବର୍ଷ ଭିତରେ  ରାଜ୍ୟରେ ବିଜେପି ଶାସନର ଶିଥିଳତା ଦେଖିବାକୁ ମିଳିଛି। ସତରେ ଯେମିତି କେନ୍ଦ୍ରୀୟ ନେତାଏ ରାଜ୍ୟବାସୀଙ୍କୁ ଦାନରେ ଗୋଟିଏ ସରକାର ଦେଇ ଭୁଲି ଯାଇଛନ୍ତି, ତାହା ପ୍ରତୀତ ହେଉଛି।  ନା ଏଠାରେ କୌଣସି ରାଜନୀତିକ କମ୍ପନ ରହିଛି ନା ବିକାଶର ଝଲକ। ବରଂ ବିରୋଧି ଦଳର କମ୍ପନରେ ନିଜ ମୁହଁକୁ ଲୁଚାଇ ବୁଲୁଛନ୍ତି ବିଜେପିର ନେତାଏଁ। ଗଣମାଧ୍ୟମରେ ବିରୋଧୀ ଦଳ ବିଜେଡି ବାବଦରେ ଯେତିକି ଚର୍ଚ୍ଚା କରୁଛନ୍ତି, ତାହା ରାଜ୍ୟ ପାଇଁ ବଡ଼ ପ୍ରକଳ୍ପ ଖୋଲିବାରେ ଦେଖିବାକୁ ମିଳୁ ନାହିଁ। ଭୁବନେଶ୍ୱରର ବିକାଶ ପାଇଁ ମେଟ୍ରୋ ଟ୍ରେନ ନିର୍ମାଣ କେବଳ ଟିଭି ପର୍ଦ୍ଦାର ଚର୍ଚ୍ଚାରେ ହିଁ ରହିଛି। ଯେଉଁ ସାଂସଦଦିନେ ବାହାସ୍ଫୋଟ ମାରୁଥିଲେ ସେ ବି ଏବେ ଚୁପ୍‍ ହୋଇ ବସିଛନ୍ତି।

ନା ଶ୍ରୀମନ୍ଦିର ଦର୍ଶନରେ ଶୃଙ୍ଖଳା ହୋଇପାରିଛି, ନା ରତ୍ନଭଣ୍ଡାର ଗଣତିମଣତି ସମ୍ପୂର୍ଣ୍ଣ ହୋଇ ପାରିଛି ନା ଏ ଦୁଇ ବର୍ଷ ଭିତରେ ରାଜ୍ୟ ମନ୍ତ୍ରିମଣ୍ଡଳର ଖାଲିଥିବା ପଦବୀ ପୂରଣ କରିପାରିଛି ବିଜେପି।   ଏସବୁ କଥା ଉଠିବାର କାରଣ ହେଉଛି, ବିଜେପିର ନିର୍ବାଚନ ଇସ୍ତାହାରରେ ଶ୍ରୀମନ୍ଦିର ପ୍ରସଙ୍ଗକୁ ଯେତିକି ପ୍ରସ୍ଫୁଟିତ କରାଯାଇଥିଲା ତାହା  କେବଳ ବୟାନବାଜୀ ଓ ଶୁଦ୍ଧ ଇଭେଣ୍ଟ ମ୍ୟାନେଜମେଣ୍ଟରେ ପରିଣତ ହୋଇଛି।

ଠିକ୍‍ ସେହିପରି ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କାର ଶପିଂ ସୁବିଧା ଦେବାର ପ୍ରତିଶୃତି ଦେଇଥିବା ବିଜେପି ମହିଳାମାନଙ୍କୁ ୫ ବର୍ଷରେ ୫୦ ହଜାର ଟଙ୍କା ଦେବାର ଯୋଜନା ରୂପାୟନ କରିଛି। ଓଡ଼ିଆ ଅସ୍ମିତାର କଥା କହି ମେଡିକାଲ୍‍ ଇଞ୍ଜିନିୟରିଂ ଓ ଆଇନ ଶିକ୍ଷାକୁ ଓଡ଼ିଆ ଭାଷାରେ କରିବା ଲାଗି ବିଜେପି ପ୍ରତିଶୃତି ଦେଇଥିଲା। ମୋଦୀ ଗ୍ୟାରେଣ୍ଟିର ନବମ ବିନ୍ଦୁରେ ଏହା ରହିଥିଲା, କିନ୍ତୁ ଆଜି ଯାଏ ତାହା ଲାଗୁ ହୋଇ ପାରି ନାହିଁ କି କେହି ଏ ବିଷୟରେ ଚର୍ଚ୍ଚା କରୁ ନାହାନ୍ତି। ଏହା ଏକ ବିଫଳ ପ୍ରତିଶୃତି ହୋଇପାରେ। କାରଣ ଏଭଳି ପ୍ରତିଶୃତିର ରୂପାୟନ ଲାଗି ଅନେକ ସମୟ ଲାଗିବ ହେଲେ ୨ ବର୍ଷ ଭିତରେ ଏ ପ୍ରତିଶୃତି  ମୁଖ୍ୟମନ୍ତ୍ରୀଙ୍କ ଟେବଲକୁ ବି ଫାଇଲ ହୋଇ ଆସିପାରି ନଥିବା ଜଣାପଡ଼ିଛି ।

ସବୁ ଗାଁକୁ ରାସ୍ତା, ସାଢ଼େ ୩ ଲକ୍ଷ ନିଯୁକ୍ତି, ୩ଟି ସମନ୍ୱିତ ବୟନ ପାର୍କ ଏ ସବୁ ତ ଗୋଟିଏ ଗୋଟିଏ ପ୍ରହେଳିକା କହିଲେ ଅତ୍ୟୁକ୍ତି ହେବ ନାହିଁ। ରାଜ୍ୟକୁ ତୃତୀୟ ବୃହତ ପର୍ଯ୍ୟଟକ ଆଗମନ ରାଜ୍ୟରେ ପରିଣତ କରିବାକୁ ରାଜ୍ୟ ବିଜେପି ପ୍ରତିଶୃତି ଦେଇଥିଲା ହେଲେ ଆଜି ଏଥିପାଇଁ କିଏ କେମିତି କାମ କରୁଛନ୍ତି ତାହା  ଉପମୁଖ୍ୟମନ୍ତ୍ରୀଙ୍କୁ ଜଣାଥାଇପାରେ।

ନେତା ତିଆରି ପ୍ରକ୍ରିୟା ପଙ୍ଗୁ

ଯଦିଓ ଓଡ଼ିଶାବାସୀ ବହୁଳ ଭାବେ ବିଜେପିର ପ୍ରତିନିଧିଙ୍କୁ ଭୋଟ ଦେଇ ବିଜୟୀ କରାଇଛନ୍ତି, ହେଲେ ସରକାରରେ କେନ୍ଦ୍ରୀୟ ହସ୍ତକ୍ଷେପ ଏତେ ବଢ଼ିଛି ଯେ ତାହା ଏଠାରେ ନେତା ତିଆରି ପ୍ରକ୍ରିୟାକୁ ପଙ୍ଗୁ କରିଦେଇଛି। ପୂର୍ବ ବିଜେଡି ସରକାରରେ ଅଫିସରମାନେ ଶାସନ ଚଳାଉଥିଲେ ଚର୍ଚ୍ଚା ହେଉଥିଲା। ଏପରିକି ସେଠାରେ ଅଧିକାରୀମାନେ କିଏ ବିଧାୟକ ହେବ ତାହା ସ୍ଥିର କରୁଥିଲେ ବୋଲି କୁହାଯାଉଥିଲା। ଏବେ ସେ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିଛି ବିଜେପି। ଖାଲି ଫରକ ଏତିକି ଯେ, ଏଠି ନେତା ଓଡ଼ିଶାର ଅଧିକାରୀଙ୍କ ଦ୍ୱାରା ନୁହେଁ ବରଂ କେନ୍ଦ୍ରୀୟ କର୍ମଚାରୀଙ୍କ ଦ୍ୱାରା ସ୍ଥିର ହେଉଛନ୍ତି। କାରଣ  ଯୋଗ୍ୟ ବିଧାୟକଙ୍କୁ ମନ୍ତ୍ରୀ ପଦଟିଏ ମିଳିବା ସ୍ୱପ୍ନ ହୋଇ ରହିଛି। କେତେବେଳେ ବିଧାୟକଙ୍କ ଦରମା ବଢ଼ୁଛି ତ କେତେବେଳେ ସେମାନେ ସର୍ବସମ୍ମତିରେ ପ୍ରସ୍ତାବ ପାରିତ କରି ତାହାକୁ ଫେରାଇବାକୁ ବାଧ୍ୟ ହେଉଛନ୍ତି। ରାତି ରାତି ବସି ଆଲୋଚନା କରୁଛନ୍ତି କିନ୍ତୁ ଯାହା ଉପରୁ ଆଦେଶ ଆସୁଛି ସେହି ପ୍ରସଙ୍ଗରେ।

ଛାତ୍ର ସଂସଦ ନିର୍ବାଚନ କରାଇ ଯୁବ ନେତା ତିଆରି କରିବାର ଫ୍ୟାକ୍ଟ୍ରୀକୁ ଏଯାଏ ଖୋଲିପାରୁ ନାହାନ୍ତି ସରକାର। ଅର୍ଥାତ୍‍ ସମ୍ପୂର୍ଣ୍ଣ ନୂଆ ନେତା ତିଆରି କାରଖାନାକୁ ପଙ୍ଗୁ କରିଦେଇଛନ୍ତି ବିଜେପି ସରକାର।

ନେତାଙ୍କ କ୍ଷମତା ନାଁ କୁ ମାତ୍ର

ଅବଶ୍ୟ ଏହା ଏକ ସ୍ୱଭାବିକ କଥା ଯେ ନେତାଏ କ୍ଷମତାଲୋଭୀ ହୋଇଥାଆନ୍ତି। କିନ୍ତୁ ଏଠି ପଦବୀ ରହିଛି ହେଲେ କ୍ଷମତା ବ୍ୟବହାର କରିବା ବଡ଼ କଷ୍ଟକର କଥା।  ଆଡ଼ମ୍ବର ଏଠାରେ ବହୁତ ହୁଏ।  ସେଥିଲାଗି ବିଜେପିକୁ ବଡ଼ ଇଭେଣ୍ଟ ମ୍ୟାନେଜମେଣ୍ଟ ପାର୍ଟି ବୋଲି ଜାତୀୟସ୍ତରରେ କହନ୍ତି। କିଛିଦିନ ହେଲା ଓଡ଼ିଶାର ଲୋକେ ଏହାକୁ ଦେଖୁଛନ୍ତି, ବୁଝୁଛନ୍ତି ଆଉ ଅଙ୍ଗେ ନିଭାଉଛନ୍ତି। ଏଠାରେ ଜଣେ ମୁଖ୍ୟମନ୍ତ୍ରୀ ଆଉ ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ। ପୁଣି ଏମାନଙ୍କୁ ସାହାଯ୍ୟ କରିବାକୁ ଯେମିତି ମନ୍ତ୍ରିମଣ୍ଡଳ ରହିବା କଥା ସେମିତି ଅଛି କିନ୍ତୁ ମନ୍ତ୍ରିମଣ୍ଡଳରେ ସଦସ୍ୟ ସଂଖ୍ୟା ଅନୁମୋଦିତ ପଦବୀଠାରୁ କମ୍‍ ରହିଛି। ଯେମିତି ସରକାରଙ୍କ ଅଫିସରେ ମଞ୍ଜୁରୀ ପାଇଥିବା ପଦବୀ ପୂରଣ ହୋଇପାରୁ ନାହିଁ ଠିକ ସେମିତି ଏଠି ପରିସ୍ଥିତି।

ବିଜେପି ଏଠାରେ ଯେଉଁ ଉପମୁଖ୍ୟ ସୂତ୍ର ଆପଣାଇଛି ତାହା  ପୂର୍ବରୁ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ଅରୁଣାଚଳ ପ୍ରଦେଶରେ ଲାଗୁ ହୋଇଥିଲା। ଏସବୁ ରାଜ୍ୟରେ ଏହି ଉପମୁଖ୍ୟମନ୍ତ୍ରୀ ସୂତ୍ରଟି ସେଠାରେ ଥିବା ଜାତିଗତ ଅଙ୍କକୁ ସମାଧାନ କରିବାର ଅସ୍ତ୍ର ଥିଲା ଏବଂ ଏବେ ବି ତାହା କିଛି ପରିମାଣରେ ଉଚିତ ସାବ୍ୟସ୍ତ ହେଉଛି।

ହେଲେ ଓଡ଼ିଶାରେ ମହିଳା-ରାଜପୁତ- ଆଦିବାସୀଙ୍କ ପ୍ରତିନିଧିଙ୍କୁ କ୍ଷମତା ଦେଇ ବ୍ରାହ୍ମଣ, ଅନୁସୂଚିତ ଜାତି ବର୍ଗଙ୍କୁ ମନକୁ ଆଘାତ ଦେବାର ପରମ୍ପରା ସୃଷ୍ଟି କରାଯାଇଛି। ଅର୍ଥାତ୍‍ ଯେଉଁ ରାଜ୍ୟରେ ଜାତି ଏକ ଗୌଣ ରାଜନୀତିକ ଉପାଦନ ଥିଲା, ୨୦୨୯ରେ ତାହାକୁ ଏକ ବଡ଼ ପ୍ରସଙ୍ଗ କରିବାକୁ ବିଜେପି ଚାହିଁଛି।

ଭାରି ପଡ଼ିଲା  ପଶ୍ଚିମବଙ୍ଗ

ଏ ବିନ୍ଦୁଟି ଆଲୋଚନା କରିବା ପୂର୍ବରୁ ଗୋଟିଏ ସାଧାରଣ ପ୍ରଶ୍ନ ଯେ ଆଜି ଘୋଷଣା କରାଯାଇଥିବା ପଶ୍ଚିମବଙ୍ଗରେ କାହିଁକି ଉପ ମୁଖ୍ୟମନ୍ତ୍ରୀ ସୃଷ୍ଟି ହେଲା ନାହିଁ? କାହିଁକି ଆସାମରେ ଉପମୁଖ୍ୟମନ୍ତ୍ରୀ ପଦବୀ ସୃଷ୍ଟି ହୋଇ ନଥିଲା ବା ଏବେ ଚର୍ଚ୍ଚା ହେଉ ନାହିଁ। କାହିଁକି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ମହାରାଷ୍ଟ୍ର, ଛତିଶଗଡ଼, ରାଜସ୍ଥାନ, ଅରୁଣାଚଳ ଓ ଦିଲ୍ଲୀ ଭଳି ୮ ରାଜ୍ୟକୁ ବାଦ୍‍ ଦେଲେ ବାକି ୧୨ ଏନଡିଏ ଶାସିତ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ପଦବୀ ସୃଷ୍ଟି ହୋଇ ନାହିଁ?

ଗୁଜରାଟ, ହରିୟାଣା, ଉତ୍ତରାଖଣ୍ଡ, ଆସାମ, ଗୋଆ ଓ ତ୍ରିପୁରା ଭଳି ବିଜେପି ଶାସିତ ରାଜ୍ୟରେ କାହିଁକି ଉପମୁଖ୍ୟମନ୍ତ୍ରୀ ପଦବୀ ନାହିଁ। ଏଠାରେ କ’ଣ ଜାତିଗତ ସମୀକରଣ ବା ଆଞ୍ଚଳିକ ବୈଷମ୍ୟ ପ୍ରସଙ୍ଗ ଗୌଣ?

ଉତ୍ତର -ନା। ବାସ୍ତବରେ ଏହା ହେଉଛି ସମ୍ପୃକ୍ତ ରାଜ୍ୟର ପ୍ରଭାବଶାଳୀ ବିଜେପି ନେତାଙ୍କୁ କ୍ଷମତାଠାରୁ ଦୂରରେ ରଖି କେନ୍ଦ୍ରୀୟ ନେତାଙ୍କ ଦ୍ୱାରା ରାଜ୍ୟରେ କ୍ଷମତାକୁ ନିୟନ୍ତ୍ରଣ କରିବାର ଏକ ପ୍ରମାଣିତ ଧାରା। କିନ୍ତୁ ଏହା ସେଠାରେ ଉଚିତ ରଣନୀତି ହୋଇଛି ଯେଉଁଠି ସମ୍ପୃକ୍ତ ପ୍ରଭାବଶାଳୀ ନେତା କେନ୍ଦ୍ରୀୟ ନେତାଙ୍କ ଉପରେ ନିର୍ଭରଶୀଳ ହୋଇଛନ୍ତି। ଯେଉଁଠାରେ ନେତାଙ୍କ ଲୋକପ୍ରିୟତା ରହିଛି, ସେଠାରେ ସେହି ନେତା ହିଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ପଦବୀ ନାହିଁ। ହରିୟାଣା, ଉତ୍ତରାଖଣ୍ଡ, ଗୋଆରେ ଏହା ପ୍ରମାଣିତ। ଆଜି ପଶ୍ଚିମବଙ୍ଗ ବି ସମାନ ଉଦାହରଣ ସୃଷ୍ଟି କରିଛି। ଆଉ କିଛିଦିନ ପରେ ଆସାମ ତାହା ପୁଣିଥରେ ସାବ୍ୟସ୍ତ କରିବାକୁ ଯାଉଛି।

ଗୁଜରାଟରେ ଉପମୁଖ୍ୟମନ୍ତ୍ରୀ ନଥିଲେ ବି ଏଠାର ମୁଖ୍ୟମନ୍ତ୍ରୀ ଯେ, ଗୃହମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କଠାରୁ ସେଠାରେ ଅଧିକ ଲୋକପ୍ରିୟ ତାହା କହିବା ଉଚିତ ହେବ ନାହିଁ। ପୁଣି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯେ ଶାହ-ମେଦୀଙ୍କଠାରୁ କମ୍‍ ଲୋକପ୍ରିୟ ତାହା ବି କୁହାଯାଇ ନପାରେ। ଅର୍ଥାତ୍‍ ଏ ଦୁଇ ରାଜ୍ୟକୁ ଏହି ପ୍ରକାର ସମୀକରଣରୁ ଦୂରରେ ରଖି ଆଲୋଚନା କରାଯିବା ଆବଶ୍ୟକ।

ନିଜର କୁର୍ସି ପାଇଁ କେନ୍ଦ୍ରୀୟ ନେତାଙ୍କ ଉପରେ ନିର୍ଭର କରୁଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏଥର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ବାଛିବାରେ ଏକ ଭୂମିକା ଦିଆଯାଇଥିଲା। ଏହା ପଛର କାରଣ କ’ଣ? ଏହା ସେଠାକାର ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟଙ୍କୁ ଖୁସି ରଖିବା ପାଇଁ ଉଦ୍ଦିଷ୍ଟ ହୋଇଥାଇପାରେ।  କିନ୍ତୁ ଏହାଦ୍ୱାରା ଯେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟର ଟେକ ରଖିବା ପାଇଁ ମଞ୍ଚ ମିଳିଥିଲା ତାହା କହିବା ଭୁଲ୍‍ ହେବ। ଅର୍ଥାତ୍‍ ମୋଟାମୋଟି ଭାବେ କହିଲେ, ମୋହନ ଧନ୍ୟ ହେଲେ ଆଉ ଓଡ଼ିଶା ହତଭାଗା…।

Leave a Reply

Your email address will not be published. Required fields are marked *