କୋଭିସିଲ୍ଡ ଟିକା ତିଆରି କରୁଥିବା ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ନୂଆ ପ୍ଲାଣ୍ଟରେ ନିଆଁ

ମହାରାଷ୍ଟ୍ର, (ଓଡିଶା ଟାଇମ୍) :ମହାରାଷ୍ଟ୍ରର ପୁନେରେ ଥିବା ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚିଥିବା ବେଳେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ କରୋନା ଭ୍ୟାକ୍‌ସିନ୍‌ କୋଭିସିଲ୍ଡ ତିଆରି ହେଉଛି। ଏଠାରୁ ଭ୍ୟାକ୍‌ସିନ୍‌ ଭାରତ ସମେତ ଅନ୍ୟ ଦେଶକୁ ଯାଉଛି।

ତେବେ ମିଳିଥିବା ସୂଚନା ଅନୁସାରେ ପୁନେ ମଞ୍ଜରିସ୍ଥିତ ସେରମ ଇନ୍‌ଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ନୂଆ ପ୍ଲାଣ୍ଟରେ ନିଆ ଲାଗିଛି। ୩୦୦ କୋଟି ଟଙ୍କାରେ ନିର୍ମିତ ଏହି ପ୍ଲାଣ୍ଟରେ ବହୁ ପରିମାଣର କରୋନା ଟିକା କୋଭିସିଲ୍ଡ ତିଆରି କରିବାର ଯୋଜନା ରହିଛି। ଗତବର୍ଷ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଏହି ନୂଆ ପ୍ଲାଣ୍ଟର ଉଦଘାଟନ କରିଥିଲେ। କିନ୍ତୁ ଏବେ ଏହି ପ୍ଲାଣ୍ଟରେ କରୋନା ଭ୍ୟାକ୍‌ସିନ୍‌ ଉତ୍ପାଦନ ଆରମ୍ଭ ହୋଇନାହିଁ।

ଘଟଣାସ୍ଥଳରେ ୭-୮ ଦମକଳ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛି। ଅଗ୍ନିକାଣ୍ଡ ଯୋଗୁ ପ୍ଲାଣ୍ଟ ଭିତରେ କେତେ ଜଣ ଫସିଛନ୍ତି ସେନେଇ ଜଣାପଡ଼ିନାହିଁ। ୫ ମହଲା ବିଶିଷ୍ଟ ଏହି ପ୍ଲାଣ୍ଟରେ କିଛି ଦିନ ଭିତରେ କୋଭିସିଲ୍ଡ ଉତ୍ପାଦନ ଆରମ୍ଭ ହୋଇଥାନ୍ତା।

Leave a Reply

Your email address will not be published. Required fields are marked *