ସଂଖ୍ୟାଧିକ ବାଙ୍ଗଲାଦେଶୀଙ୍କ ଯୋଗୁ କେନ୍ଦ୍ରାପଡ଼ାରେ ବଢ଼ୁଛି ଅପରାଧ

କେନ୍ଦ୍ରାପଡ଼, (ଓଟି):ବାଙ୍ଗଲାଦେଶୀ ଅନୁପ୍ରବେଶକାରୀମାନେ କେନ୍ଦ୍ରାପଡ଼ା ଜିଲ୍ଲାରେ ଅନୁପ୍ରବେଶକରି ବସବାସ କରିବା ପରେ ଜିଲ୍ଲା ବହୁ ଭାବରେ ପ୍ରଭାବିତ ହୋଇଛି । ଅନୁପ୍ରବେଶକାରୀମାନେ ଉପକୂଳରେ ଥିବା ସାମୁଦ୍ରିକ ଜଙ୍ଗଲ ସଫା କରି ଚାଷ କରିବା ସହ ଚିଙ୍ଗୁଡ଼ି ଘେରି ମଧ୍ୟ ତିଆରି କରିଛନ୍ତି । ଫଳରେ ଜିଲ୍ଲାର ପ୍ରକୃତିକ ସୁରକ୍ଷା କବଚ ସାଜିଥିବା ସାମୁଦ୍ରକ ଜଙ୍ଗଲ ଦିନକୁ ଦିନ ହ୍ରାସ ପାଇ ଧ୍ୱଂସ ହେବାକୁ ବସିଛି । ଏଥିସହ ଏହି ବେଆଇନ ଅନୁପ୍ରବେଶକାରୀମାନେ ସ୍ଥାନୀୟ ରାଜନେତା ଓ ପ୍ରଶାସନର ସହାୟତାରେ ଭୋଟ ଫଟୋ ପରିଚୟପତ୍ର ହାତେଇବା ସହ ରାସନକାର୍ଡ଼ ହାତେଇ ନେଇ ବିଭିନ୍ନ ସରକାରୀ ସହାୟତା ପାଇଥିବା ଲକ୍ଷ୍ୟ କରାଯାଇଛି ।


ବେଆଇନ ଚାଲାଣ


ଜିଲ୍ଲାର ସମୁଦ୍ର ଉପକୂଳରେ ଢିଲା ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ ବାଙ୍ଗଲାଦେଶରୁ ପ୍ରତିଦିନ ଅନୁପ୍ରବେଶ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ବେଆଇନ ଅନୁପ୍ରବେଶକାରୀମାନେ ବିଭିନ୍ନ ଚୋରା କାରବାର ଓ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଥିବା ଅଭିଯୋଗ ହେଉଛି । ଏପରିକି ଅନୁପ୍ରବେଶକାରୀମାନେ ଜିଲ୍ଲାରୁ ଟଙ୍କିକିଆ ଚାଉଳ, ଆଲିଭରିଡ଼ଲେ କଇଁଛ, ଚିଙ୍ଗୁଡ଼ି ଜାଆଁଳ, ମାଛ, କଏନ, କାଠ ଆଦି ସମୁଦ୍ର ପଥରେ ବାଙ୍ଗଲାଦେଶକୁ ଚୋରା ଚାଲାଣ କରୁଥିବା ସହ ସେଠାରୁ ବିଡ଼ି, ସିଗାରେଟ, ନକଲି ନୋଟ, କଣ୍ଡୋମ, ବିଭିନ୍ନ ନକଲି ଔଷଧ ଆଦି ଅବାଧରେ ଚୋରାରେ ଜିଲ୍ଲାକୁ ଆମଦାନୀ କରୁଥିଲେ ବି ଏ ଦିଗରେ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି ।


ମିନି ବାଂଲାଦେଶ


ଅନୁପ୍ରବେଶକାରୀମାନେ ଜିଲ୍ଲାରୁ ବିଭିନ୍ନ ସାମଗ୍ରୀ ବୋଟ ଯୋଗେ ନେଇ ସମୁଦ୍ର ମଝିରେ ବାଙ୍ଗଲାଦେଶରୁ ଆସୁଥିବା ବୋଟ ଗୁଡ଼ିକ ଦ୍ୱାରା ସେଠାକୁ ପଠାଉଥିବା ଜଣାପଡ଼ିଛି । ଏଥିସହ ଏହି ଅନୁପ୍ରବେଶକାରୀମାନେ ସାମୁଦ୍ରକ ଜଙ୍ଗଲରେ ବାସ କରୁଥିôବା ବଣ୍ୟଜନ୍ତୁଙ୍କୁ ମଧ୍ୟ ଅବାଧରେ ଶୀକାର କରୁଛନ୍ତି । ସେହିପରି ଅନୁପ୍ରବେଶକାରୀମାନେ ଚିଙ୍ଗୁଡ଼ି ଘେରିରେ ବିଭିନ୍ନ ରାସାୟନିକ ଔଷଧ ବ୍ୟବହାର କରିବା ଦ୍ୱାରା ଉପକୂଳ ଅଂଚଳର ଜଳ ଦୂଷୀତ ହେବାରେ ଲାଗିଛି ଓ ଏହା ପ୍ରଭାବରେ ଚାଷ ଜମି ଓ ପାନୀୟ ଜଳ ପ୍ରଭାବିତ ହେଉଛି । ଫଳରେ ଜିଲ୍ଲାରେ ପରିବେଶ ସମସ୍ୟା ସୃଷ୍ଟି ହେବା ସହିତ ଉପକୂଳର ସୁରକ୍ଷା ବିପନ୍ନ ହୋଇଛି । ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କ ଦ୍ୱାରା ସାମୁଦ୍ରିକ ଜଙ୍ଗଲ ଧ୍ୱଂସ ହେବା ଦ୍ୱାରା ଜିଲ୍ଲା ବାରମ୍ବାର ବାତ୍ୟା ଦ୍ୱାରା ପ୍ରଭାବିତ ହେଉଛି ଓ ସମୁଦ୍ର ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି ଏବଂ ତଟବର୍ତୀ ଗାଁ ଗୁଡ଼ିକ ସମୁଦ୍ରରେ ଲୀନ ହେବାରେ ଲାଗିଛି । ଜିଲ୍ଲାର ଉପକୂଳରେ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଏତେ ପରିମାଣରେ ବୃଦ୍ଧି ପାଇଛି ଯେ ସ୍ଥାନୀୟ ମୂଳ ବାସିନ୍ଦାମାନେ ସଂଖ୍ୟା ଲଘୁରେ ପରିଣତ ହୋଇଛନ୍ତି ଓ ସେହି ଅଂଚଳ ଗୁଡ଼ିକ ସମ୍ପୂର୍ଣ୍ଣ ବଙ୍ଗଭାଷୀ ଅଂଚଳରେ ପରିଣତ ହୋଇଯାଇଛି । ଏପରିକି ଏହି ଉପକୂଳ ଅଂଚଳକୁ “ମିନି ବାଙ୍ଗଲାଦେଶ” ବୋଲି ଲୋକେ କହୁଛନ୍ତି ।


ରେଡିଓ ବି ଚାଲିଛି


ଅତୀତରେ ରାଜନଗର ବ୍ଲକର ଉପକୂଳ ଅଂଚଳରେ ଅନୁପ୍ରବେଶକାରୀମାନେ ଅତୀତରେ ଏକ ବେଆଇନ ରେଡିଓ ଷ୍ଟେସନ ସ୍ଥାପନ କରିଥିବା ଜଣାପଡ଼ିବା ପରେ ପ୍ରଶାସନ ତତ୍ପର ହୋଇ ରେଡିଓ ଷ୍ଟେସନକୁ ଜବତ କରିଥିଲା । ଏହି ରେଡିଓ ଷ୍ଟେସନ ମାଧ୍ୟରେ ଅନୁପ୍ରବେଶକାରୀମାନେ ବାଙ୍ଗଲାଦେଶ ସହ ଯୋଗାଯୋଗ ରଖୁଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଜିଲ୍ଲାରେ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଏତେ ପରିମାଣରେ ବୃଦ୍ଧି ପାଇଛି ଯେ ବାଙ୍ଗଲାଦେଶୀମାନେ ଭୋଟ ବ୍ୟାଙ୍କରେ ପରିଣତ ହୋଇଛନ୍ତି । ଫଳରେ ବିଭିନ୍ନ ଦଳର ରାଜନେତାମାନେ ବାଙ୍ଗଲାଦେଶୀଙ୍କ ଭୋଟ ହାତେଇବା ପାଇଁ ତାଙ୍କ ଭୋଟ ଫଟୋ ପରିଚୟପତ୍ର ଯୋଗାଇ ଦେବାର ବ୍ୟବସ୍ଥା କରିବା ସହିତ ବିଭିନ୍ନ ସହାୟତା ଯୋଗାଇ ଦେଉଛନ୍ତି । ସେହିପରି ଅଧିକରୁ ଅଧିକ ସଂଖ୍ୟକ ବାଙ୍ଗଲାଦେଶୀଙ୍କୁ ଜିଲ୍ଲାକୁ ବେଆଇନ ଭାବେ ଅନୁପ୍ରବେଶ କରାଇ ଥଇଥାନ କରାଇବା ଦିଗରେ ଏକ ର‌୍ୟାକେଟ କାମ କରୁଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ତେବେ ଜିଲ୍ଲାରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଉପକୂଳ ଅଂଚଳର ମୂଳ ବାସିନ୍ଦାଙ୍କ ମଧ୍ୟରେ ନାକାରତ୍ମକ ମନୋଭାବ ସୃଷ୍ଟି ହେବା ସହ ମୂଳ ବାସିନ୍ଦା ଓ ଅନୁପ୍ରବେଶକାରୀଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଦେଖା ଦେଇଛି ।

Leave a Reply

Your email address will not be published. Required fields are marked *