ପଶ୍ଚିମବଙ୍ଗରେ ବିଜେପିର ବିଜୟ, ଓଡ଼ିଶା ପାଇଁ କାଳ!

ଭୁବନେଶ୍ୱର: ମେ’୪ ତାରିଖ ବିଜେପି ପାଇଁ ଏକ ଅତ୍ୟନ୍ତ ଶୁଭକର ଦିନ। କାରଣ ଏହିଦିନ ଭାରତର ୧୬ତମ ରାଜ୍ୟଭାବେ ପଶ୍ଚିମବଙ୍ଗରେ ସରକାର ଗଢ଼ିବାକୁ ଜନାଦେଶ ପ୍ରାପ୍ତ ହୋଇଛି ବିଜେପି। ଖାଲି ସେତିକି ନୁହେଁ, ପଶ୍ଚିମବଙ୍ଗ ସମେତ ତାମିଲନାଡ଼ୁ, ଆସାମ, ପୁଡୁଚେରୀରେ କଂଗ୍ରେସକୁ ଅଧିକ ସଙ୍କୁଚିତ କରିବାରେ ମଧ୍ୟ ସଫଳ ହୋଇଛି ବିଜେପିର ରାଜନୀତିକ ଶକ୍ତି। କିନ୍ତୁ ଏ ବିଜୟ ବିଜେପି ଶାସିତ ଓଡ଼ିଶା ପାଇଁ କାଳ ହେବାକୁ ଯାଉଛି। ଓଡ଼ିଶାରେ ବିକାଶ ରାସ୍ତା ଅସ୍ପଷ୍ଟ ହେବାକୁ ଯାଉଛି। କେମିତି, କାହିଁକି…?

(୧) ରାଜନୀତିକ ସଙ୍କଟ

ଦୁଇବର୍ଷ ପୂର୍ବେ ୨୦୨୪ରେ ଏମିତି ଏକ ବିଜୟ ଓଡ଼ିଶାରେ ବିଜେପି ପାଇଥିଲା। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଳି ଓଡ଼ିଶାର ତତ୍‍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ରାଜନୀତିରେ ପ୍ରଥମ ପରାଜୟ ଦେଖିଥିଲେ। ଯଦି ଦୁଇଟି ଆସନରୁ ଏକାଠି ଲଢ଼ି ନଥାନ୍ତେ ହୁଏତ ଆଜି ବିଧାନସଭାର ସଦସ୍ୟ ବି ହୋଇ ପାରି ନଥାନ୍ତେ ନବୀନ। ସ୍ପଷ୍ଟ ବହୁମତ ସହ ରାଜ୍ୟରେ ଜୁନ୍‍ ମାସରେ ସରକାର ଗଢ଼ିଥିଲା ବିଜେପି। ଯେଉଁ ନାଁ କେବେ ଚର୍ଚ୍ଚାରେ ନଥିଲା, ସେମିତି ଏକ ନାଁକୁ ମୁଖ୍ୟମନ୍ତ୍ରୀ ଭାବେ ଦଳ ଘୋଷଣା କରିଲା। ଫଳରେ ଦଳୀୟ ବିଶୃଙ୍ଖଳାକୁ ପ୍ରଶମିତ କରାଯାଇପାରିଥିଲା। ଏଯାଏ କୌଣସି ଆଖିଦୃଶିଆ ନବୋନ୍ମେଷୀ ଲୋକହିତକର ନିଷ୍ପତ୍ତି ନେଇ ନଥିଲେ ମଧ୍ୟ  ଆଜି ବି ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ ହୋଇ ରହିଛନ୍ତି। ଆଜି ବି ସେ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ବୋଲି ଗଣମାଧ୍ୟମରେ ବିଜ୍ଞପିତ ହେଉଛନ୍ତି। କିଛି ଉଦାହରଣ ଏ ସମ୍ପର୍କରେ ପ୍ରଦାନ କରାଯାଇପାରେ। ସବୁଠାରୁ ସ୍ପଷ୍ଟ ବୁଝିବା ଭଳି ବିଷୟ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର। ପୂର୍ବତନ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣୁ ନାହାନ୍ତି ବୋଲି କହିଲୋକଙ୍କ ଭୋଟ ପାଇଥିବା ବିଜେପି ସରକାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଥମେ ପ୍ରତି ସୋମବାର ଅଭିଯୋଗ ଶୁଣାଣି ହେବ ବୋଲି ଘୋଷଣା କରିଥିଲା।

ହେଲେ ଖୋଦ୍‍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଅଭିଯୋଗ ପ୍ରକୋଷ୍ଠ ବି ଘୋଷଣା ଅନୁସାରେ ସବୁ ସୋମବାର ବସି ପାରୁ ନାହିଁ।  ଖାଲି ସେତିକି ନୁହେଁ, ଏ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି ବିଜ୍ଞପ୍ତି ଦେବାକୁ ଯାଉ ମୁଖ୍ୟ ମନ୍ତ୍ରୀ କୋଟି କୋଟି ଟଙ୍କାର ରାଜସ୍ୱ ଖର୍ଚ୍ଚ କରୁଛନ୍ତି।

ଦ୍ୱିତୀୟ ଉଦାହରଣଟି ହେଉଛି ଲୋକ ପ୍ରତିନିଧିଙ୍କୁ ଗୌଣ କରିବା। ଲୋକଙ୍କ ସରକାର କହୁଥିଲେ ବି ଆଜି ଲୋକଙ୍କ ମନ୍ତ୍ରିମଣ୍ଡଳରେ ଯଥା ସଂଖ୍ୟକ ମନ୍ତ୍ରୀ ନାହାନ୍ତି। ଲୋକଙ୍କ ସହ ତୃଣମୂଳସ୍ତରରେ ସମ୍ପର୍କ ସ୍ଥାପନ କରୁଥିବା ବିଭିନ୍ନ ସରକାରୀ ନିଗମରେ ଲୋକ ପ୍ରତିନିଧି ନିଯୁକ୍ତ ହୋଇପାରୁ ନାହାନ୍ତି। ବାରମ୍ବାର ଏ ବିଷୟରେ ଗଣ, ଗଣପ୍ରତିନିଧି ଏବଂ ଗଣମାଧ୍ୟମ ଆଲୋଚନା କରିଛନ୍ତି ହେଲେ ସୁଫଳ ମିଳିପାରୁ ନାହିଁ।

ସରକାରୀ ମୁଖପାତ୍ର, ମୁଖ୍ୟମନ୍ତ୍ରୀଙ୍କ ବଦଳରେ ସରକାରଙ୍କ କୌଣସି ଅଙ୍ଗ ହୋଇ ନଥିବା ବିଜେପିର ରାଜ୍ୟ ସଭାପତି ଏ ବିଷୟରେ ଗଣମାଧ୍ୟମରେ ତାରିଖ ବଦଳାଉଛନ୍ତି। ନିକଟରେ ଏ ତାରିଖ ଜୁନ୍‍ ୧୨, ୨୦୨୬ ବୋଲି କୁହାଯାଇଛି।  ମୋଟାମୋଟି ଭାବେ କହିବାକୁ ଗଲେ ମୋହନ ଚରଣ ମାଝିଙ୍କ ‘ଲୋକଙ୍କ ସରକାର’ରେ ପୂର୍ବ ସରକାର ଭଳି  କିଛି ହାତଗଣତି ଅମଲାତନ୍ତ୍ରୀ ହିଁ ଦିଗଦର୍ଶକ ହୋଇ ରହିଛନ୍ତି।

ଏଭଳି ଏକ ଉତ୍କଟ ରାଜନୀତିକ ସଙ୍କଟ ଓଡ଼ିଶାରେ ବିଜେପିର ବିଜୟକୁ ଓଡ଼ିଶା ନେତାଙ୍କ ସମର୍ପଣ ଭାବେ ଗ୍ରହଣ କରାଯାଇଛି। ଆଉ ଏହି ସମର୍ପଣ ପଶ୍ଚିମବଙ୍ଗରେ ବିଜେପିର ବିଜୟ ଆଗରେ ଓଡ଼ିଶା ପାଇଁ ଏକ ଆହ୍ୱାନ ପାଲଟିବ।

(୨) ଆକସ୍ମିକ ବନାମ ବିଜୟ

 ଐତିହାସିକ ପୃଷ୍ଠଭୂମି ହେଉ ବା ବାସ୍ତବିକ ସ୍ଥିତିକୁ ଅନୁଧ୍ୟାନ କଲେ ଆମେ ଜାଣୁ ଯେ, ପଶ୍ଚିମବଙ୍ଗ ଆମଠାରୁ ଅନେକଗୁଣରେ ସମୃଦ୍ଧ। ସାମ୍ପ୍ରତିକ ରାଜନୀତିକୁ ଦେଖିଲେ ପଶ୍ଚିମବଙ୍ଗରେ ୪୨ ଲୋକସଭା ଆସନ ରହିଛି, ଆମ ରାଜ୍ୟରେ ଏହାର  ଅଧା  ଆସନ ରହିଛି। ଅର୍ଥାତ୍‍ ଓଡ଼ିଶା ପାଇଁ ଲୋକସଭାରେ ଆସନ ସଂଖ୍ୟା ହେଉଛି ୨୧। ଯଦିଓ ଉଭୟ ରାଜ୍ୟରେ ଏହା ବିଜେପିର ପ୍ରଥମ ନିଜସ୍ୱ ସରକାର କିନ୍ତୁ ଓଡ଼ିଶାରେ ବିଜେପିର ଓଡ଼ିଶା ବିଜୟ ଏକ ଆକସ୍ମିକ ଘଟଣା ଥିଲା।

ପୁଣି ବିଜେଡି ଭଳି ଏକ ଅଣ କଂଗ୍ରସ ଓ ଅତୀତର ସହଯୋଗୀ ଦଳ ଉପରେ ଏହି ବିଜୟ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସହ ଅନେକ ସଂଘର୍ଷ କରିବାକୁ ପଡ଼ିଛି ବିଜେପିକୁ। ୨୦୧୪ ପୂର୍ବରୁ ସମାଜବାଦୀ ଓ ବହୁଜନଙ୍କ ସହ ଏମିତି ବିଜେପିକୁ ଉତ୍ତରପ୍ରଦେଶରେ ଲଢ଼ିବାକୁ ପଡ଼ିଥିଲା।

ସେ ସମୟରେ ଯଦି ଧାର୍ମିକ ଧ୍ରୁବୀକରଣ ନୀତିକୁ ପରୀକ୍ଷାମୂଳକ ଭାବେ ଉପଯୋଗ କରିବାକୁ ତତ୍‍କାଳୀନ ପାର୍ଟି ସଭାପତି ଅମିତ ଶାହ ଏବଂ ଟିମ୍‍ଙ୍କୁ ସୁଯୋଭ ମିଳି ନଥାଆନ୍ତା ତେବେ ମୋଦୀଙ୍କ ସରକାର ଗଢ଼ିବା ପ୍ରାୟତଃ ଅସମ୍ଭବ ହୋଇଥାନ୍ତା, ଯୋଗୀଙ୍କ ୨୦୧୭ ବିଜୟ ବି ମରୀଚିକା ହୋଇରହିଥାନ୍ତା।

ଅର୍ଥାତ୍‍ ରାଜନୀତିକ ଦୃଷ୍ଟିକୋଣରୁ  ବିଜେପି ପାଇଁ ଓଡ଼ିଶା ହେଉଛି ଏକ ଆକସ୍ମିକ ବୋନସ କିନ୍ତୁ ପଶ୍ଚିମବଙ୍ଗ ହେଉଛି ବିଜୟ। ଏଣୁ ବିଜିତ ରାଜ୍ୟକୁ ଧାରଣ କରିବା ପାଇଁ ଆସୁଥିବା ଚ୍ୟାଲେଞ୍ଜକୁ ଆଗ ମୁକାବିଲା କରିବ ଦଳ।

ଅର୍ଥାତ୍‍ ରାଜନୀତିକ ଦୃଷ୍ଟିକୋଣରୁ ଦେଖିଲେ ପଶ୍ଚିମବଙ୍ଗ ତୁଳନାରେ ଓଡ଼ିଶା ଅତ୍ୟନ୍ତ ଗୌଣ।

(୩) ଅସ୍ମିତା ବନାମ ଅହଙ୍କାର

ବ୍ୟବସାୟ ଓ ଅର୍ଥନୀତିକ ଦୃଷ୍ଟିକୋଣରୁ ଦେଖିଲେ ବିଗତ ଦିନମାନଙ୍କରେ ରାଜ୍ୟର ଉନ୍ନତ ଅର୍ଥନୀତିକ ପରିଚାଳନା ଓଡ଼ିଶାର ଋଣ ବୋଝକୁ ହ୍ରାସ କରିବା ସହ ମୁଣ୍ଡପିଛା ଆୟ ବଢ଼ାଇଛି। ସ୍ୱାଧିନତାର ଅନେକ ବର୍ଷଯାଏ ଯେଉଁ ବଙ୍ଗ, ଓଡ଼ିଶା ଉପରେ ବୌଦ୍ଧିକ, ଅସ୍ମିତା, ଆର୍ଥିକ ବୋଝ ହୋଇ ବସି ରହୁଥିଲା ତାହା ଏବେ ପଛୁଆ ପଡ଼ିଛି।

ଯଦିଓ ପଶ୍ଚିମବଙ୍ଗର ଅର୍ଥନୀତି ଓଡ଼ିଶାର ଦୁଇଗୁଣା କିନ୍ତୁ ଏହାର ବିକାଶ ହାର ଆମଠାରୁ ପଛୁଆ। ଚଳିତ ବର୍ଷ ଆମ ରାଜ୍ୟର ବିକାଶ ହାର ୧୨ ପ୍ରତିଶତ ଆକଳନ କରାଯାଇଥିବା ବେଳେ ପଶ୍ଚିମବଙ୍ଗର ବିକାଶ ହାର ୧୦%ରେ ସୀମିତ ରହିଛି। ଆଉ ଏକ ବଡ଼ କଥା ହେଲା, ଆକାରରେ ଦୁଇଗୁଣା ବଡ଼ଥିବା ପଶ୍ଚିମବଙ୍ଗର ବାର୍ଷିକ ବଜେଟ୍‍ ଓଡ଼ିଶା ସହ ପ୍ରାୟ ସମାନ। ଓଡ଼ିଶାରେ ବଜେଟ ଆକାର ୩.୧୦ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ପଶ୍ଚିମବଙ୍ଗର ବଜେଟ ହେଉଛି ୩.୬୫ ଲକ୍ଷ କୋଟି।

ଆମର ଜଣେ ବ୍ୟକ୍ତି ବର୍ଷକୁ ୨ ଲକ୍ଷ୧୦ ହଜାର୧୮୬ ଟଙ୍କା ଆୟ କରୁଥିବା ବେଳେ ପଶ୍ଚିମବଙ୍ଗର ମୁଣ୍ଡପିଛା ଆୟ ରହିଛି ମାତ୍ର ୧ଲକ୍ଷ ୮୧ ହଜାର ୭୮୬ ଟଙ୍କା ଅର୍ଥାତ୍‍ ଜଣେ ଓଡ଼ିଶାରେ ରହୁଥିବା ବ୍ୟକ୍ତି, ପଶ୍ଚିମ ବଙ୍ଗର ବ୍ୟକ୍ତିଙ୍କଠାରୁ ଅଧିକ ଆୟ କରୁଛି।  ଖାଲି ସେତିକି ନୁହେଁ ଆମ ରାଜ୍ୟର ଋଣ ବୋଝ ସମୁଦାୟ ଘରୋଇ ଉତ୍ପାଦ ୧୩.୬%   ହୋଇଥିବାବେଳେ ପଶ୍ଚିମବଙ୍ଗର ପ୍ରାୟ ୩୭%। ଏଥିଲାଗି ପୁଞ୍ଜି ନିବେଶ ଲାଗି କୋଲକାତା ଅପେକ୍ଷା ଏବେ ଭୁବନେଶ୍ୱର ଅଧିକ ଆକର୍ଷଣୀୟ ହୋଇଛି।

କିନ୍ତୁ ପଶ୍ଚିମବଙ୍ଗରେ ବିଜେପି ସରକାର ଓଡ଼ିଶାରେ ଏହି ଧାରାକୁ କ୍ଷୁର୍ଣ୍ଣ କରିପାରେ। ଅତୀତରେ ପଡ଼ୋଶୀ ରାଜ୍ୟ ଭାବେ ଅନେକ ଅହଙ୍କାର ବଙ୍ଗ ଦେଖାଇଛି। ସେଥିଲାଗି ଭାଷା ଯୁଦ୍ଧ ହେଉ ବା ମିଠା ଯୁଦ୍ଧ ଲୋକଙ୍କ ଭିତରେ ରହି ଆସିଛି। ଏଭଳି ପରିସ୍ଥିତିରେ କେନ୍ଦ୍ରୀୟ ନେତାଙ୍କ ଉପରେ ପୂର୍ଣ୍ଣ ନିର୍ଭରଶୀଳ ଥିବା ମୋହନ ମାଝିଙ୍କ ସରକାର ବିପଦ ଆଣିପାରେ। ଓଡ଼ିଶାର ବିଜେପି ପ୍ରତି ସମର୍ପଣ କେନ୍ଦ୍ରୀୟ ନେତୃତ୍ୱଙ୍କୁ ପଶ୍ଚିମବଙ୍ଗ ପାଇଁ ଅଧିକ ପ୍ରେରିତ କରିପାରେ। ଅର୍ଥାତ୍‍ ଯେଉଁ ପ୍ରକଳ୍ପ ଓଡ଼ିଶାକୁ ଆସିବାକୁ ସ୍ଥିର ହୋଇଛି ତାହା ପଶ୍ଚିମବଙ୍ଗକୁ ବି ଯିବାର ଆଶଙ୍କା ରହିଛି।

ଅତୀତରେ ଏମିତି ଅନେକ ଉଦାହରଣ ରହିଛି, ଯେଉଁଥି ଲାଗି କଂଗ୍ରେସ ଶାସନ ସମୟରେ ଓଡ଼ିଶାକୁ ମଞ୍ଜୁର ହୋଇଥିବା ରେଳ ପ୍ରକଳ୍ପ ଏଯାଏ ଆଖି ଖୋଲି ବାସ୍ତବ ଦୁନିଆ ଦେଖିପାରି ନାହିଁ। ଏହିକ୍ରମରେ ଯେଉଁ ସେମି କଣ୍ଡକ୍ଟର ଶିଳ୍ପ ସ୍ୱପ୍ନ ଓଡ଼ିଶା ଦେଖିଛି ତାହା ବି ସ୍ୱପ୍ନ ହୋଇ ରହିପାରେ।

ଗଲା ଦୁଇବର୍ଷ ଭିତରେ ରାଜ୍ୟରେ ବିଜେପି ସରକାରର ଶିଥିଳତା ଏହି ଆଶଙ୍କାକୁ ଜନ୍ମ ଦେଉଛି। ଆଗକୁ ଯଦି ଏଠାର ନେତୃତ୍ୱ ‘ଖାଦ୍ୟ’ ଅପେକ୍ଷା ନବାଚରକୁ ପ୍ରୋ୍ସାହିତ ନକରନ୍ତି ତେବେ ରାଜ୍ୟ ପୁଣି ପଶ୍ଚାତଗାମୀ ହୋଇପାରେ ଆଉ ଏହା ପୁଣିଥରେ ଏକ ଆଞ୍ଚଳିକ ଦଳର ଉତ୍‍ଥାନକୁ ଆହ୍ୱାନ ଦେଇପାରେ।

Leave a Reply

Your email address will not be published. Required fields are marked *