ନାଟକ ଭଲ ଥିଲା ତ ! …

ଭୁବନେଶ୍ବର: କେମିତି ଥିଲା ଏ ନାଟକ ! ଆପଣମାନଙ୍କୁ ଭଲ ଲାଗିଲା ତ ! ଆପଣମାନେ ଖୁସି ତ ! ଆପଣ, ଏବେ ଆପଣଙ୍କ ଓଡ଼ିଆ ଅସ୍ମିତା, ଅସ୍ତିତ୍ବ ଏବଂ ଓଡ଼ିଆଙ୍କ ପ୍ରତି ଓଡ଼ିଆଙ୍କ ଭଲ ପାଇବାକୁ ନେଇ ଖୁସି ତ ! ମାର୍ଚ୍ଚ ୧୬ ସୋମବାର । ଭୋରୁ ଭୋରୁ ଖବର ଆସିଲା, କଟକ ବଡ଼ ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ବଞ୍ଚିବା ଆଶାରେ ଆସିଥିବା ୧୧ ଜଣ ପୋଡ଼ି ମରିଗଲେ । ଅନେକ ଆହତ ହୋଇଛନ୍ତି । ଭାଗ୍ୟ ଭଲ ଏହା ବିଳମ୍ବିତ ରାତିରୁ ହୋଇଥିଲା, ଯାହା ଆମର ନେତା ଓ ମନ୍ତ୍ରୀଙ୍କୁ ଭଲ ସୁହାଇଲା । ସକାଳୁ ସକାଳୁ ଲୋକ ଦେଖାଣିଆ Lip Service ସାରି ଦେଇ, ଭୁବନେଶ୍ବର ମୁହାଁ ହେଲେ ସେମାନେ । କାରଣ ସେହିଦିନ ପରା ଥିଲା ରାଜ୍ୟସଭା ନିର୍ବାଚନ !…

() ସକାଳୁ ସକାଳୁ ନେତା ଓ ମନ୍ତ୍ରୀଙ୍କ ସହ ଗଣମାଧ୍ୟମ ପ୍ରତିନିଧି ବି ଏସସିବି ଅଗ୍ନିକାଣ୍ଡ ସ୍ଥଳକୁ ଯାଇଥିଲେ । ସେମାନେ ମଧ୍ୟ, ସେହି ନେତା ଓ ମନ୍ତ୍ରୀଙ୍କ ସହ ଭୁବନେଶ୍ବର ଫେରି ଆସିଲେ । ଆଉ ସବୁ ଟିଭି ବାଲା, ରାଜ୍ୟସଭା ନିର୍ବାଚନକୁ ନେଇ ରାଉ ରାଉ ହେବା ଆରମ୍ଭ କରିଦେଲେ । ଏସସିବି ଅଗ୍ନିକାଣ୍ଡ ସ୍ଥଳରେ ଥିବା ବେଳେ ନେତା ଓ ମନ୍ତ୍ରୀଙ୍କ ମୁହଁର ପରିଭାଷା, ଭାଷା ଏବଂ ସ୍ବର ବେଶ ସମବେଦନାପୂର୍ଣ୍ଣ ଥିଲା । ବିଧାନସଭାରେ ପହଞ୍ଚିଲା ବେଳକୁ କିନ୍ତୁ ତାହା ସମ୍ପୂର୍ଣ୍ଣ ବଦଳି ଯାଇଥିଲା । ଠିକ ସେମିତି ଗଣମାଧ୍ୟମର ସ୍ବର ଏବଂ ପ୍ରସାରଣ । ପୂର୍ବାହ୍ନ ପ୍ରାୟ ୧୧ଟାରୁ ସବୁ ଟିଭିବାଲା, ଏମିତି ରାଜ୍ୟସଭା ନିର୍ବାଚନରେ ପଶିକି ରହିଲେ ଯେ, ଟିଭି Screenରେ ଏସସିବି ଅଗ୍ନିକାଣ୍ଡ ସମ୍ପର୍କିତ Scrollଟେ ମଧ୍ୟ ଚଲାଇବାକୁ Space ଦେଲେନି । ସନ୍ଧ୍ୟା ୭ଟା Prime Timeରେ ବି ଗୌଣ ଏବଂ ଖୁବ ଅଳ୍ପ ଥିଲା ଏସସିବି ଅଗ୍ନିକାଣ୍ଡ ଖବର ।…

() କହିଲେ ଦେଖି ଏଠି ସାଧାରଣ ଲୋକଙ୍କ ପାଇଁ କିଏ ? ନେତାଏ କହୁଛନ୍ତି, ଜନତାଙ୍କ ପାଇଁ କାଳେ ସେମାନଙ୍କ ଛାତି ଫାଟି ଯାଉଛି ! ଗଣମାଧ୍ୟମ କହୁଛି, କାଳେ ଗଣ ବା ଲୋକଙ୍କ ହିତ ପାଇଁ ରାଉ ରାଉ ହେଇ ହେଇ ତା’ ତଣ୍ଟି ଫାଟି ଗଲାଣି ! ଏ ନେତା, ମନ୍ତ୍ରୀ ଓ ଗଣମାଧ୍ୟମକୁ ଚିହ୍ନିବାରେ କିଛି ସନ୍ଦେହ ରହୁଛି କି ! ରାଜ୍ୟସଭା ନିର୍ବାଚନରେ ବିଜୟ ପରେ କେହି ଜଣେ ନେତା ବା ମନ୍ତ୍ରୀ କହିଲେ କି, ‘ନିର୍ବାଚନରେ ସତ୍ୟ ଓ ନ୍ୟାୟର ବିଜୟ ହୋଇଛି ସତ, କିନ୍ତୁ ଏ ବିଜୟକୁ ନେଇ, ଆଜିର ଦିନରେ ଖୁସି ମନାଇ ହେଉନି । କାରଣ, ଏସସିବି ଅଗ୍ନିକାଣ୍ଡ ଏବଂ ମୃତାହତଙ୍କ ପାଇଁ, ଆଜିର ଦିନ, ସାରା ରାଜ୍ୟ ପାଇଁ ଏକ ଦୁଃଖଦ ଦିନ’… କେହି ଜଣେ ନେତା ବା ମନ୍ତ୍ରୀ ଏମିତି କହିଥିବା, ଆପଣମାନେ କେହି ଶୁଣିଛନ୍ତି କି ! ବରଂ କିଏ ଭୋଟ ମାଧ୍ୟମରେ କାହା ବିରୋଧରେ ପ୍ରତିଶୋଧ ନେଇଥିବାରୁ ଖୁସି ବ୍ୟକ୍ତ କରିଛି ତ ଆଉ କିଏ ବିଜୟୀ ହୋଇଥିବାରୁ ଖୁସି ମନାଇଛନ୍ତି । ମୃତକଙ୍କ ଉପରେ ଫୁଲ ପକାଇ, ଅନ୍ତିମ ସଂସ୍କାର ପାଇଁ ସେମାନଙ୍କ ଜନ୍ମାମାଟିକୁ ନିଆଯାଇଛି । ଏପଟେ କିନ୍ତୁ ନେତା ଓ ମନ୍ତ୍ରୀଙ୍କ ମଧ୍ୟରେ ଫୁଲତୋଡ଼ା ଆଦାନ ପ୍ରଦାନ କିଛି କମ ନଥିଲା । ମିଠା ଖାଇ, ଖୁଆଇ… ବେଶ ଭଲ ରକମ ବିଜୟର ବିଜୟ ଉତ୍ସବ ମନାଇଛନ୍ତି ସେମାନେ । ମୃତକଙ୍କ ପରିବାର କଷ ଭାତ ଖାଇଛନ୍ତି । କିନ୍ତୁ ନେତା ମନ୍ତ୍ରୀ କଣ ଘରେ ଖାଇଥିବେ ! ସେମାନଙ୍କ ମଧ୍ୟରୁ ଅନେକ ତାରକା ହୋଟେଲକୁ ଯାଇ ଖାଇ, ପିଇ ବେଶ ମସ୍ତି କରିଛନ୍ତି । କିଛି ଗଣମାଧ୍ୟମ ପ୍ରତିନିଧି ବି ନେତା ଓ ମନ୍ତ୍ରୀଙ୍କ Cocktail Dinnerରେ ସାମିଲ ହୋଇଛନ୍ତି ।…

() ନିର୍ବାଚନରେ ବିଜେଡିର ୮ ଏବଂ କଂଗ୍ରେସର ୩ ବିଧାୟକ Cross ଭୋଟିଂ କଲେ । ଏବେ ଘୋଡ଼ା ବେପାରକୁ ନେଇ ଦଳ-ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଲାଗି ରହିଥିବା ବେଳେ ଗଣମାଧ୍ୟମର ମହାଜ୍ଞାନୀ ସାମ୍ବାଦିକ ( Not Jack of All Trades, But Jackles of All Trades) ଏବଂ ବିଶେଷଜ୍ଞମାନେ ରାଜ୍ୟସଭା ନିର୍ବାଚନ ଓ ଘୋଡ଼ା ବେପାରକୁ ନେଇ Full Phase Disscetion ଚଳାଇଛନ୍ତି । ଆଙ୍କର, ଆଙ୍କରାଣୀମାନେ ତ, ଗଳା ଫଟାଇ, ଷ୍ଟୁଡିଓ ଫଟାଇ ଦେଇଛନ୍ତି । ଏବେ ସପ୍ତାହେରୁ କମ ସମୟ ଚାଲିବନି ରାଜ୍ୟସଭା ନିର୍ବାଚନକୁ ନେଇ ଓଡ଼ିଶା ଗଣମାଧ୍ୟମର ପ୍ରବଚନ । ସେପଟେ ଏହାରି ଭିତରେ ଶୁଦ୍ଧିକ୍ରିୟା ଏବଂ ଏକାଦଶାହ ଭୋଜି ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଥିବେ ଏସସିବି ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ମୃତକଙ୍କ ବନ୍ଧୁ ଓ ପରିବାର ବର୍ଗ ।…

() ଦିନ ଗଡ଼ିଲେ, କଥା ଲିଭିଯାଏ । ଆପଣ ଭାବୁଛନ୍ତି କି ରାଜ୍ୟସଭା ନିର୍ବାଚନ ବିଶ୍ଳେଷଣରୁ ଫେରି ସାମ୍ବାଦିକମାନେ ଏସସିବି ଅଗ୍ନିକାଣ୍ଡ ଘଟଣାର କାରଣ ଖୋଜିବାରେ ଲାଗିପଡ଼ିବ ! ସେ ଆଶା ଜମା ରଖନ୍ତୁନି । କାରଣ ରାଜ୍ୟସଭା ନିର୍ବାଚନ ସଂକ୍ରାନ୍ତ ରାଜ୍ୟ ଖବରରୁ ବାହାରି ସେମାନଙ୍କୁ ସଙ୍ଗେ ସଙ୍ଗେ ଜାତୀୟ ସ୍ତରରେ ଥିବା ଗୋଦି ମିଡିଆରେ ସାମିଲ ହେବାକୁ ପଡ଼ିବ । ୫ ରାଜ୍ୟ ବିଧାନସଭା ନିର୍ବାଚନରେ ସେମାନଙ୍କୁ ବିଜେପି ପାଇଁ ବାଜା ବଜାଇବାକୁ ପଡ଼ିବ । ଏହା ସହ ସମାନ୍ତରାଳ ଭାବେ ଯୁଦ୍ଧକୁ ନେଇ ମିଛସତ କିଛି କିଛି ଦେଖାଇବାକୁ ପଡ଼ିବ । ତେଣୁ ଏଠି ସେମାନଙ୍କୁ ତର କାହିଁ ! ଲୋକଙ୍କ ଟିକସ ଟଙ୍କାରେ ଦରମା ନେଉଥିବା ସାମ୍ବାଦିକମାନେ, ଲୋକଙ୍କ ପାଇଁ ଦିନରାତି ରାଉ ରାଉ ହେଉଥିବା କହୁଛନ୍ତି । ତେଣୁ ଏଭଳି ସ୍ଥିତିରେ ଲୋକଙ୍କ ପାଇଁ ଗଣମାଧ୍ୟମର ଛାତି ଫାଟି ଯାଉଥିଲେ ମଧ୍ୟ, ପରିସ୍ଥିତି ଅନୁମତି ଦେଉନି, ଏସସିବି ଅଗ୍ନିକାଣ୍ଡ ଖବରକୁ ଫେରିବାକୁ ! …

() ଏବେ ରାଜ୍ୟସଭା ନିର୍ବାଚନ ଉପରେ ଟିକେ ଆଲୋଚନା କରିବା । ଏ ରାଜ୍ୟସଭା ନିର୍ବାଚନ, ଖୁବ ଶୀଘ୍ର ରାଜ୍ୟରେ ଏକ ବଡ଼ ପରିବର୍ତ୍ତନର ସମ୍ଭାବନା ରଖୁଛି । ରାଜ୍ୟ ବିଜେପିର ୨ ଗୋଷ୍ଠୀ ମଧ୍ୟରୁ ଗୋଟିଏ ଗୋଷ୍ଠୀ ଏବେ ସରକାରରେ ଥିବା ବେଳେ ଦ୍ବିତୀୟ ଗୋଷ୍ଠୀ ପାଖକୁ କ୍ଷମତା ଚାଲିଯିବାର ଅନେକ ସମ୍ଭାବନା ରହୁଛି । କେବଳ କ୍ଷମତା ନୁହେଁ, ଦଳର ରାଜ୍ୟ ସଂଗଠନକୁ ମଧ୍ୟ ନିଜ ସପକ୍ଷରେ ନେଇ ଯାଇପାରେ ବିଜେପିର ଦ୍ବିତୀୟ ଗୋଷ୍ଠିଟି । ଠିକ ସେହିଭଳି ବିଜେଡି ଅମଳରେ Under Table Policy ଅନୁସରଣ କରି ଗଣମାଧ୍ୟମ ଷ୍ଟୁଡିଏରୁ ବିଜେପିର Agendaକୁ ସଫଳ କରାଇବାରେ ଲାଗି ପଡ଼ିଥିବା କିଛି ସାମ୍ବାଦିକ ଏବେ କୁରୁଳୁଛନ୍ତି । କାରଣ, ସେହି ସାମ୍ବାଦିକଙ୍କ ମଧ୍ୟରୁ ଅଧିକାଂଶ ଏବେ Out of Track ଥିବା ବେଳେ Trackକୁ ଫେରିବା ଆଶା ରଖିଛନ୍ତି । ଆଉ ଫେରିଲେ, ପୁଣି ନେତା ଓ ମନ୍ତ୍ରୀଙ୍କ Under Table Pay Rollକୁ ଆସିବେ ।…

() ଏବେ ଆସନ୍ତୁ ଦେଖିବା କାହିଁକି ଏଥରର ରାଜ୍ୟସଭା ନିର୍ବାଚନରେ ବିଜେଡି ଏବଂ କଂଗ୍ରେସ ହାତ ଧରାଧରି ହେଲେ । ୨୫ ବର୍ଷ ଧରି ରାଜ୍ୟରେ ପରସ୍ପରର ପ୍ରତିନ୍ଦ୍ବନ୍ଦୀ ରହି ଆସିଛନ୍ତି ବିଜେଡି ଓ କଂଗ୍ରେସ । ୨୦୦୯ରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ପରଠାରୁ ବିଜେଡି ଓ ବିଜେପି ପରସ୍ପରର ହାତ ଛାଡ଼ି ଦେଇଛନ୍ତି । କିନ୍ତୁ ସେବେଠାରୁ କେବେ ବି ବିଜେଡି ଓ କଂଗ୍ରେସ ହାତ ଧରାଧରି ହୋଇ ନଥିଲେ । କିନ୍ତୁ ଏଥରର ରାଜ୍ୟସଭା ନିର୍ବାଚନରେ ରାଜ୍ୟରେ ଦେଖିବାକୁ ମିଳିଲା ବିରଳ ମହାଜାଗତିକ ରାଜନୈତିକ ଦୃଶ୍ୟ । ସେପଟେ ରାଜ୍ୟରେ ବିଜେପି-ବିଜେଡି କଳି, ଆଉ କେନ୍ଦ୍ରରେ କୋଳାକୋଳିର ଦୃଶ୍ୟ କିଛି ନାହିଁ । ୨୦୨୪ ନିର୍ବାଚନରେ ରାଜ୍ୟ ହରାଇବା ପରେ ମଧ୍ୟ, କେନ୍ଦ୍ରରେ କେବଳ ହାତଗଣତି ରାଜ୍ୟସଭା ସଦସ୍ୟରେ ସୀମିତ ଥିବା ବିଜେଡିର ଆଭିମୁଖ୍ୟ, କେନ୍ଦ୍ରର ବିଜେପି ନେତୃତ୍ବାଧୀନ ସରକାର ପ୍ରତି ପ୍ରାୟତଃ ପୂର୍ବ ଭଳି ରହିଛି । ଯାହା ସ୍ପଷ୍ଟ କରି ଦେଉଛି ଯେ, ନେତାମାନେ ଯେଉଁ ଦଳର ହୁଅନ୍ତୁ ନା କାହିଁକି, ସେମାନଙ୍କ ସ୍ବାର୍ଥକୁ ସୁରକ୍ଷିତ ରଖି, ମିଲିଭଗତରେ ଲୋକ ଦେଖାଣିଆ ରାଜନୀତି ଚଳାଇଛନ୍ତି । ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ଏଠି ଉଦ୍ଦାହରଣ ଭାବେ ନିଆ ଯାଇପାରେ । ଶିକ୍ଷକମାନେ ଦରମା ଏବଂ ଅନ୍ୟ ସମସ୍ୟାର ସମାଧାନ ଦାବିରେ ବିଧାନସଭା ଆଗରେ ଧାରଣାରେ ବସିଥିବା ବେଳେ ସରକାର, ସେମାନଙ୍କ ପ୍ରତି କି ପ୍ରକାର ଧୋକାବାଜ କଲେ, ରାଜ୍ୟବାସୀ କଣ ତାହା ଦେଖି ନାହାଁନ୍ତି !…

() ତେବେ ନବୀନ ଓ ଭକ୍ତଙ୍କ ମଧ୍ୟରେ ଏମିତି ଭାବ କାହିଁକି ହଠାତ ସୃଷ୍ଟି ହେଲା ! ଭକ୍ତ ଯେତେବେଳେ ପିସିସି ସଭାପତି ହେଲେ, ସେତେବେଳେ ଓଡ଼ିଶାର ଗଣମାଧ୍ୟମ, ତାଙ୍କୁ ତେଲଙ୍ଗନାର ରେବନ୍ତ ରେଡ୍ଡିଙ୍କ ଭଳି ଏକ Ground Force ଭାବେ ଅଭିହିତ କରିଥିଲା । ଦାୟିତ୍ବ ନେଉ ନେଉ ଭକ୍ତ ପ୍ରଥମେ ଦଳ ମଧ୍ୟରେ ଥିବା ମତାନ୍ତର-ମନାନ୍ତର ପୋଛିବାକୁ ଚେଷ୍ଟା କଲେ । ଯାହାକୁ ଗଳା ଫଟାଇ Highlight କରିଛି ଓଡ଼ିଶାର ଟେଲିଭିଜନ ମିଡିଆ । ମିଡିଆ କହିଲା, ପ୍ରଥମେ ଘର ସଜାଡ଼ି ସାରିଲେ ଭକ୍ତବାବୁ କାଳେ ରାଜ୍ୟରେ ଗାଁ ଗାଁ ବୁଲିବେ । କିନ୍ତୁ ତାହା ଏଯାଏ ହେଲାନି । ଏଭଳି ସ୍ଥିତିରେ ବିଜେପି ଭଳି କଂଗ୍ରେସରେ ବି ଉପକୂଳ ଓ ପଶ୍ଚିମାଞ୍ଚଳ ଦୁଇ ଗୋଷ୍ଠୀ ବାହାରି ସାରିଛନ୍ତି । ତେଣୁ ସେ ଦୃଷ୍ଟିରୁ ଦେଖିଲେ, ଟଳମଳ ପିସିସି ସଭାପତି ପଦରେ ନିଜର ସ୍ଥିତିକୁ ସ୍ଥିର କରି ରଖିବାକୁ ଭକ୍ତ ଦାସ, ବିଜେଡି ସହ ହାତ ମିଳାଇ ନଥିଲେ ତ ! କାରଣ ଦୁଇ ଦଳ, ବିରୋଧୀ ଆସନରେ ଥିଲେ ମଧ୍ୟ ବିଜେପି ନେତୃତ୍ବାଧୀନ ସରକାରକୁ କୌଣସି ଗୋଟିଏ ପ୍ରସଙ୍ଗରେ ମିଳିମିଶି ସମାଲୋଚନା କରି ନାହାଁନ୍ତି । ପ୍ରସଙ୍ଗ ଆଧାରରେ ଦୁଇ ଦଳ ଗୋଟିଏ Platformକୁ ଆସି ସରକାରଙ୍କୁ Target କରନ୍ତୁ ବୋଲି ଭକ୍ତ ଦାସ ନିଜ ଆଡୁ ଅନେକ ଥର ପ୍ରୟାସ କରିଛନ୍ତି । କିନ୍ତୁ ସମଦୂରତାର କଥା କହି ବିଜେଡି ଧରାଛୁଆଁ ଦେଇନି । ତେଣୁ ଏଭଳି ସ୍ଥିତିରେ, ରାଜ୍ୟସଭା ନିର୍ବାଚନରେ ଭକ୍ତ ଦାସ, ନବୀନଙ୍କ ସହ ହାତ ମିଳାଇ, ବିଜେଡି ବିରୋଧରେ, କଂଗ୍ରେସ ପାଇଁ ପ୍ରତିଶୋଧ ନେଇ ନାହାଁନ୍ତି ତ ! ନା, ବିଜେଡି ଭିତରେ ଥିବା ଭୟଙ୍କର ଅସନ୍ତୋଷ, ଆପେ ଆପେ ଭୟଙ୍କର ବିସ୍ଫୋରଣର ରୂପ ନେଇଛି !…

() ରାଜ୍ୟସଭା ନିର୍ବାଚନ ପରେ ପରେ ୫ ରାଜ୍ୟ ବିଧାନସଭା ନିର୍ବାଚନ । ନେତା, ମନ୍ତ୍ରୀ ଓ ଗଣମାଧ୍ୟମ କାହାକୁ ତର ମିଳିବନି । ସେପଟେ କିନ୍ତୁ ମଣ୍ଡିରେ ଧାନ ବସ୍ତା ଧରି ବସି ରହିଥିବ ବିଚରା ଚାଷୀଟି । ନିଜ ସମସ୍ୟା ବାବଦରେ ଗୁହାରି କରିବାକୁ ନା ନେତା କିମ୍ବା ମନ୍ତ୍ରୀଙ୍କ ଦର୍ଶନ ପାଉଥିବ, ନା ସେମାନଙ୍କ ବିରୋଧରେ ବିଷୋଦଗାର କରିବାକୁ ତା ପାଖରେ ଗଣମାଧ୍ୟମ ପ୍ରତିନିଧି ଥିବେ ! ଏଇତ ନାଟକ… ଏହା ହିଁ ନାଟକର ବିଷୟବସ୍ତୁ, ଯାହା ସମ୍ପୂର୍ଣ୍ଣ ବାସ୍ତବ ।…

Leave a Reply

Your email address will not be published. Required fields are marked *