କଣ ହେବ ଏନସିପିର !…

BHUBANESWAR:  କଣ ହେବ ମହାରାଷ୍ଟ୍ରରେ ! ବିଜେପି ଷଡ଼ଯନ୍ତ୍ରରେ ପ୍ରଥମେ ମହାରାଷ୍ଟ୍ରର ଦୁଇ ପ୍ରମୁଖ ଆଞ୍ଚଳିକ ରାଜନୈତିକ ଦଳ, ଶରଦ ପାୱାରଙ୍କ ଏନସିପି ଓ ଉଦ୍ଧବ ଥାକରେଙ୍କ ଶିବସେନା ଦି-ଦି ଫାଳ ହୋଇଗଲା । ଦାଦା ଶରଦ ପାୱାରଙ୍କଠାରୁ ମୂଳ ଏନସିପିକୁ ଛଡ଼ାଇ ନେବାରେ ସକ୍ଷମ ହୋଇଥିଲେ ଅଜିତ ପାୱାର । ସେପଟେ ବାଲା ସାହେବ ଥାକରେଙ୍କ ପଟ୍ଟଶିଷ୍ୟ କୁହା ଯାଉଥିବା ଏକନାଥ ସିନ୍ଦେ, ଉଦ୍ଧବଙ୍କ ହାତରୁ ମୂଳ ଶିବସେନାକୁ ଛଡ଼ାଇ ନେଇଛନ୍ତି । କହିବାକୁ ଗଲେ ମହାରାଷ୍ଟ୍ରର ଦୁଇ ପ୍ରମୁଖ ରାଜନୈତିକ ଦଳକୁ ଭଲ ରକମ କଂସ କଚଡ଼ା ଦେଇ ସାରିଛି ବିଜେପି । ହେଲେ ଏବେ ଅଜିତ ପାୱାର ଆଉ ନାହାଁନ୍ତି । ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ଏଭଳି ସ୍ଥିତିରେ ଅଜିତ ପାୱାରଙ୍କ ଏନସିପିର ଅବସ୍ଥା କଣ ହେବ ! ଅଜିତଙ୍କ ଅବର୍ତ୍ତମାନରେ କିଏ ନେବ ତାଙ୍କ ଏନସିପି Factionର ନେତୃତ୍ବ ! ଏନସିପି ଦି ଫାଳ ହେବା ପରେ ରାଜନୀତିକୁ ଆସିଛନ୍ତି ଅଜିତ ପାୱାରଙ୍କ ସ୍ତ୍ରୀ ସୁନେତ୍ରା ପାୱାର । ନଣନ୍ଦ ତଥା ଖୁଡ଼ତାଶୁର ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ବିରୋଧରେ ଗତ ଲୋକସଭା ନିର୍ବାଚନ ଲଢ଼ିଥିଲେ ସେ । କିନ୍ତୁ ହାରିଗଲେ । ପରେ ସେ ରାଜ୍ୟସଭା ସଦସ୍ୟ ହୋଇଛନ୍ତି । ସ୍ବାମୀଙ୍କ ମୃତ୍ୟୁ ପରେ ସେ ରାଜ୍ୟକୁ ଫେରିବା ସମ୍ଭାବନା ଅଧିକ ରହୁଛି । ଶୁଣିବାକୁ ମିଳୁଛି, ଅଜିତ ପାୱାର ଯେଉଁ ଉପମୁଖ୍ୟମନ୍ତ୍ରୀ ପଦରେ ଥିଲେ, ସେହି ପଦରେ ଅବସ୍ଥାପିତ ହୋଇପାରନ୍ତି ସୁନେତ୍ରା । କିନ୍ତୁ ଏଠି ପ୍ରଶ୍ନ, ସୁନେତ୍ରା ମହାରାଷ୍ଟ୍ରର ପାୱାରଫୁଲ୍ ରାଜନୈତିକ ପରିବାରର ସଦସ୍ୟ ହୋଇଥିଲେ ମଧ୍ୟ ଦଳୀୟ ଏବଂ ପ୍ରତ୍ୟକ୍ଷ ରାଜନୀତିରେ ତାଙ୍କର ସେତେଟା ଅଭିଜ୍ଞତା ନାହିଁ । ତେଣୁ ଏଭଳି ସ୍ଥିତିରେ ସୁନେତ୍ରା ଯେ, ସ୍ବାମୀ ଅଜିତଙ୍କ ଭଳି ଏନସିପିର ନେତୃତ୍ବ ନେଇପାରିବେ, ତାହା କହିବା ମୁସ୍କିଲ । ତେଣୁ ଏଭଳି ସ୍ଥିତିରେ କିଏ, ଅଜିତଙ୍କ ଏନସିପି Factionକୁ ଧରି ରଖିପାରିବ ! ପୁଅ ପାର୍ଥ ଓ ଜୟ ପାୱାର ବାପାଙ୍କ ସଂଗଠନ ସଜାଡ଼ି ରଖିପାରିବେ ତ ! କାରଣ ବୟସ ଓ ଅଭିଜ୍ଞତା ଦୃଷ୍ଟିକୋଣରୁ ଦେଖିଲେ ଅଜିତ ପାୱାରଙ୍କ ଏହି ଦୁଇ ପୁଅ, ସେତେଟା ଅଭିଜ୍ଞ ନୁହଁନ୍ତି କି ଦଳର ନେତୃତ୍ବ ନେଲା ଭଳି ସେମାନଙ୍କର ବୟସ ମଧ୍ୟ ହୋଇନି ।…
ଅଜିତଙ୍କ ଅନ୍ତେ କଣ ! ଦାଦା-ପୁତୁରା ଟଣା-ଓଟରାରେ ଏନସିପି ଦି ଫାଳ ହୋଇଥିଲେ ମଧ୍ୟ ନିକଟରେ ଶେଷ ହୋଇଥିବା ପୁଣେ ଏବଂ ପିମ୍ପରି-ଛିଣ୍ଡୱାଡ଼ା ପୌର ନିର୍ବାଚନରେ ଏକାଠି ଲଢ଼ିଥିଲେ ଦୁଇ ଏନସିପି । ଏଭଳି ସ୍ଥିତିରେ ଆମେ କହିପାରିବା କି ଅଜିତଙ୍କୁ ଅନୁସରଣ କରି ଯେଉଁମାନେ ଶରଦ ପାୱାରଙ୍କୁ ଛାଡ଼ି ଚାଲି ଯାଇଥିଲେ, ଏବେ ସେମାନେ ଘର ୱାପସି କରିପାରନ୍ତି ! କିଛି ଅସମ୍ଭବ ହୋଇ ନପାରେ… କିନ୍ତୁ ଏହା ସେତେଟା ସହଜ ଲାଗୁନି । କାରଣ ଯେଉଁ ଏନସିପିକୁ ଦି ଫାଳ କରିବାକୁ ବିଜେପି ତାର ସମସ୍ତ କଳବଳ ଲଗାଇ ଦେଇଥିଲା, ଏବେ ସେହି ବିଜେପି ପୁଣି ଏନସିପି ଏକ୍ ହେବାକୁ ଦେବ ତ ! ବିଜେପି ଏହା କଦାପି ଚାହିଁବନି, ପୁଣି ନହେବାକୁ ସମସ୍ତ କଳବଳ ଲଗାଇ ଦେଇପାରେ । କିନ୍ତୁ ସିନିଅର ପାୱାରଙ୍କ Power play ବୁଝିବା ସେତେଟା ସହଜ ନୁହେଁ । କାରଣ ୮୫ ବର୍ଷ ବସୟରେ ବି ଏବେ ଭଲ ରକମ Political Active ଅଛନ୍ତି ମରାଠା ଟାଇଗର୍ ଶରଦ ପାୱାର ।…
କ୍ଷମତା ଲୋଭରେ ଯେ ଅଜିତ ପାୱାର ଏନସିପିକୁ ଦି ଫାଳ କରି, ବିଜେପି ନେତୃତ୍ବାଧୀନ ମହାୟୁତିରେ ସାମିଲ ହୋଇଥିଲେ, ଏହା କାହାକୁ ଅଛପା ନାହିଁ । ଏବେ ଅଜିତଙ୍କ ଏନସିପି ମହାରାଷ୍ଟ୍ରରେ ସରକାରରେ ଅଛି । ତାଙ୍କ ଦଳର କିଛି ବିଧାୟକ ମନ୍ତ୍ରୀ ଅଛନ୍ତି । ତେଣୁ ଏଠି ପ୍ରଶ୍ନ ଉଠୁଛି, ଯେଉଁମାନେ କ୍ଷମତା ପାଇଁ ଅଜିତଙ୍କ ସହ ଯାଇଥିଲେ, ସେମାନେ କଣ ଏବେ, କ୍ଷମତାକୁ ଛି କରି ଶରଦ ପାୱାରଙ୍କ ଏନସିପିକୁ ଫେରି ଆସିବେ ! ଏହା ଅସମ୍ଭବ ଲାଗୁ ନଥିଲେ ମଧ୍ୟ ସେତେଟା ସହଜ ଲାଗୁନି । କାରଣ ମହାରାଷ୍ଟ୍ରରେ ଆଉ ଆଗଭଳି ନାହିଁ ‘ମରାଠା ମାନୁଷ’ ରାଜନୀତି ।…
ମନେ କରନ୍ତୁ ଦୁଇ ଏନସିପି ପୁଣି ଏକାଠି ହୋଇଗଲେ… ଶରଦ ପାୱାରଙ୍କ ଏନସିପି ସହ ଅଜିତଙ୍କ ଏନସିପି ମିଶିଗଲା… ସେଭଳି ସ୍ଥିତିରେ କିଏ ନେବେ ଏନସିପିର ନେତୃତ୍ବ ! ବୟସାଧିକ କାରଣରୁ ଚଳିତବର୍ଷ ଶରଦ ପାୱାର ରାଜନୀତିରୁ ଅବସର ନେବେ ବୋଲି ଆଗରୁ କହିଥିଲେ । କିନ୍ତୁ ଏବେ ପୁତୁରା ଅଜିତ ପାୱାରଙ୍କ ମୃତ୍ୟୁ ପରେ ସିନିଅର ପାୱାରଙ୍କ ସେହି ନିଷ୍ପତ୍ତି ହୁଏତ ବିଳମ୍ବ ହୋଇପାରେ । ବଡ଼ଭାଇ ଅନନ୍ତରାଓ ପାୱାରଙ୍କ ପୁଅ ଅଜିତ ପାୱାରଙ୍କୁ ରାଜନୀତିର ଅ-ଆ ଶିଖାଇଥିଲେ ଶରଦ ପାୱାର । ଏଥି ସହିତ ନିଜ ଝିଅ ସୁପ୍ରିୟା ସୁଲେଙ୍କୁ ମଧ୍ୟ ରାଜନୀତିର A-B-C-D ଶିଖାଇଛନ୍ତି । କିଛିବର୍ଷ ହେବ ଝିଅ ଏବଂ ପୁତୁରାଙ୍କୁ ଆଗକୁ ଛାଡ଼ି, ସେମାନଙ୍କ ରାଜନୈତିକ କ୍ୟାରିଅର୍ ଆହୁରି Line-up କରାଉଥିଲେ । ଅଜିତ ପାୱାର ଦଳୀୟ ସଂଗଠନ ସହ ରାଜ୍ୟ ରାଜନୀତିରେ ବେଶ ଦକ୍ଷ ଥିଲେ । ସେପଟେ ସୁପ୍ରିୟା ସୁଲେଙ୍କୁ ଶରଦ ପାୱାର, ଏନସିପିର National Figure ହିସାବରେ ଦିଲ୍ଲୀ ଛାଡ଼ିଛନ୍ତି । ତେଣୁ ଏଭଳି ସ୍ଥିତିରେ, ଯଦି ଦୁଇ ଏନସିପି ଏକାଠି ହୋଇଯାଆନ୍ତି, ତେବେ ସୁପ୍ରିୟା ସୁଲେ କଣ ତାର ନେତୃତ୍ବ ନେଇପାରିବେ ! Cousin ଅଜିତ ପାୱାରଙ୍କ ଭଳି ମହାରାଷ୍ଟ୍ରରେ ଏନସିପିର ସଂଗଠନ ମଜଭୁତ କରିପାରିବେ ! ଦଳକୁ ଏକାଠି କରି ରଖିପାରିବେ ତ ! ଏକାଳୀନ ରାଜ୍ୟ ଓ କେନ୍ଦ୍ରରେ ଦଳକୁ Co-ordinate କରିପାରିବେ ତ ସେ ! ସେ ପାରନ୍ତୁ ବା ନପାରନ୍ତୁ… ଶରଦ ପାୱାର କିନ୍ତୁ ଅବସର ନେବା ପରେ ସୁପ୍ରିୟା ସୁଲେ ହିଁ ଏନସିପିର ନେତୃତ୍ବ ନେବେ । ଦୁଇ ଏନସିପି ଏକାଠି ହେଲେ ନେବେ… ଏକାଠି ନହେଲେ ବାପାଙ୍କ ଦଳର ନେତୃତ୍ବ ନେବେ ସୁପ୍ରିୟା । ଆଗକୁ ଦଳର ସ୍ଥିତି କଣ ହେବ, ତାହା ପର କଥା ।… 
ଅଜିତଙ୍କ ଦୁଇ ପୁଅ ପାର୍ଥ ଓ ଜୟଙ୍କ ମଧ୍ୟରୁ ବଡ଼ପୁଅ ପାର୍ଥ ଗତ ସାଧାରଣ ନିର୍ବାଚନରେ ମାଭଲ ଲୋକସଭା ଆସନରୁ ଲଢ଼ିଥିଲେ । ହିସାବରେ ଏହି ଦୁଇ ଜଣ ଶରଦ ପାୱାରଙ୍କ ନାତି ହେବେ । ଶରଦ ପାୱାରଙ୍କ ଅନ୍ୟତମ ଭାଇ ଦିନାକର ରାଓ ପାୱାରଙ୍କ ନାତି ହେଉଛନ୍ତି ରୋହିତ ପାୱାର । ହିସାବରେ ରୋହିତ, ଅଜିତଙ୍କ ପୁତୁରା ଏବଂ ଶରଦ ପାୱାରଙ୍କ ନାତି ମଧ୍ୟ । ଏନସିପି ବିଭାଜନ ପରଠାରୁ ରାଜନୈତିକ Limelightକୁ ଆସିଛନ୍ତି ରୋହିତ । ଜେଜେ ଶରଦ ପାୱାରଙ୍କ ଏନସିପି ଦଳର ଟିକେଟରେ ସେ ମଧ୍ୟ ନିର୍ବାଚନ ଲଢ଼ିଛନ୍ତି । ସେପଟେ ଅଜିତଙ୍କ ନିଜ ଭାଇ ଶ୍ରୀନିବାସ ପାୱାରଙ୍କ ପୁଅ ୟୁଗେନ୍ଦ୍ର ପାୱାର ମଧ୍ୟ ରାଜନୀତିକୁ ଆସି ସାରିଛନ୍ତି । ଗତ ବିଧାନସଭା ନିର୍ବାଚନରେ ଦାଦା ଅଜିତଙ୍କ ବିରୋଧରେ ଏନସିପି(ଏସପି) ଟିକେଟରେ ଲଢ଼ିଥିଲେ ୟୁଗେନ୍ଦ୍ର । କିନ୍ତୁ ଦାଦା ଅଜିତଙ୍କୁ ହରାଇ ନପାରି, ହାରିଗଲେ । କହିବାକୁ ଗଲେ ମହାରାଷ୍ଟ୍ର ରାଜନୀତିରେ ପାୱାର ଫ୍ୟାମିଲିର Third Generation ଆକ୍ଟିଭ ହୋଇ ସାରିଛି । ତେଣୁ ଏଭଳି ସ୍ଥିତିରେ ପାୱାର୍ ଫ୍ୟାମିଲିର ଥାର୍ଡ ଜେନେରେସନ୍ ରୋହିତ, ପାର୍ଥ ଓ ଜୟଙ୍କୁ ରାଜନୀତିର ଲମ୍ବା ଇନିଂସ ଖେଳିବାକୁ ହେଲେ ଶରଦ ପାୱାରଙ୍କ ଏନସିପି ଏବଂ ନିଜ ପରିବାର ସହ Power Packed ହୋଇ ରହିବାକୁ ପଡ଼ିବ । ମହାରାଷ୍ଟ୍ର ରାଜନୀତିରେପତିଆରା ବଢ଼ାଇବାକୁ ଚାହିଁଲେ, ବାପ ଛେଉଣ୍ଡ ପାର୍ଥ ଓ ଜୟଙ୍କୁ ଜେଜେ ଶରଦ ପାୱାରଙ୍କ ଚାଟଶାଳୀରେ ସାନି ଖଡ଼ି ଛୁଇଁବାକୁ ପଡ଼ିବ । କାରଣ ଭାରତରେ ପ୍ରାୟ ସବୁ ଆଞ୍ଚଳିକ ରାଜନୈତିକ ଦଳ ପରିବାର ଆଧାରିତ । ତେଣୁ ଏଭଳି ସ୍ଥିତିରେ ଦୁଇ ଏନସିପି ଯଦି ଏକାଠି ହୁଅନ୍ତି ତେବେ ପାୱାର ପରିବାରର କାହାକୁ ଜଣକୁ ହିଁ ନେତୃତ୍ବ ନେବାକୁ ପଡ଼ିବ । ତାହା ପୁଣି ସଠିକ ରଣନୀତିଭିତ୍ତିକ ହେବା ଦରକାର । କାରଣ ମହାରାଷ୍ଟ୍ର ରାଜନୀତିର ସେ କାଳ ପଖାଳ ଆଉ ଏବେ ନାହିଁ ।… 
ଗତ ବିଧାନସଭା ନିର୍ବାଚନ ପରେ ଏକନାଥ ସିନ୍ଦେଙ୍କ ନିଜସ୍ବ ସ୍ଥିତି ଏବଂ ତାଙ୍କ ଦଳ ଶିବସେନାର ସ୍ଥିତି କଣ ଏବଂ କେମିତି, ତାହା ସମସ୍ତଙ୍କୁ ଜଣା । କାରଣ ବାରୁଦ ଗଦା ଉପରେ ସିନ୍ଦେ ଓ ତାଙ୍କ ଶିବସେନା । ସେପଟେ ଦଳ ଦି ଫାଳ ହେବା ପରେ ଉଦ୍ଧବଙ୍କ ଶିବସେନା ଗୋଟେ ପରେ ଗୋଟେ ନିର୍ବାଚନରେ ତାର ଅସ୍ତିତ୍ବ ହରାଇବାରେ ଲାଗିଛି । ମହାରାଷ୍ଟ୍ର ରାଜନୀତିର ଦୁଇ ଟାଣୁଆ ଫିଗର୍ ବାଲା ସାହେବ ଥାକରେ ଓ ଶରଦ ପାୱାର । ବାଲା ସାହେବ ଥାକରେ କେବେଠୁ ସ୍ବର୍ଗବାସୀ… ଆଉ ବୟସର ଅପରାହ୍ନରେ ଶରଦ ପାୱାର । ବାଲା ସାହେବଙ୍କ ଅନ୍ତେ, ତାଙ୍କ ପୁଅ ଉଦ୍ଧବ ଥାକରେ, ଶିବସେନାକୁ ସମ୍ଭାଳି ରଖିପାରି ନାହାଁନ୍ତି । ଯାହା ପ୍ରମାଣିତ ହୋଇ ସାରିଛି । ଆଉ ଶରଦ ପାୱାର ଆଖି ଆଗରେ ତାଙ୍କ ଦଳ ଦି ଫାଳ ହୋଇଯାଇଥିବା ବେଳେ ଏବେ ଚାଲିଗଲା ଏକଦା ତାଙ୍କ Right Hand ଥିବା ପୁତୁରା ଅଜିତ ପାୱାର । ଦୁଇ ଦଳର ରାଜନୈତିକ ଅସ୍ତିତ୍ବ ଏବଂ ଦବଦବା ଏବେ ବିଲୁପ୍ତପ୍ରାୟ ସ୍ଥିତି ଆଡ଼କୁ ଗତି କରୁଥିବା ବେଳେ ସାରା ରାଜ୍ୟରେ ନିଜ ଅସ୍ତିତ୍ବ ଓ ଦବଦବା ମଜଭୁତ କରିସାରିଛି ବିଜେପି । ତେଣୁ ଏଭଳି ସ୍ଥିତିରେ ଆମେ କହିପାରିବା କି ମହାରାଷ୍ଟ୍ରରେ ଖୁବ ଶୀଘ୍ର The end ହେବାକୁ ଯାଉଛି ଆଞ୍ଚଳିକ ରାଜନୈତିକ ଦଳର ପତିଆରା !…

Leave a Reply

Your email address will not be published. Required fields are marked *