କାହିଁକି ଆସାମ ପାଇଁ ପ୍ରିୟଙ୍କା… ?
BHUBANESWAR: ଆସାମ… ଏଥର କାହା ପାଇଁ ହେବ ଆସାନ୍ ! ବିଜେପି କ୍ଷମତା ରିପିଟ୍ କରିବ ନା କଂଗ୍ରେସ କବଜାକୁ ଯିବ ଏହି ନର୍ଥ-ଇଷ୍ଟ ଷ୍ଟେଟ୍ ! ଗୁଆହାଟୀ ଗଡ଼କୁ ଫେରି ପାଇବ ତ କଂଗ୍ରେସ ! ବିଜେପିର ହିମନ୍ତ ବିଶ୍ବଶର୍ମାଙ୍କୁ ସୁପରସିଡ୍ କରିପାରିବେ ତ କଂଗ୍ରେସର ଗୌରବ ଗୋଗୋଇ ! ନା ଏଠି ବି ବିଜେପିଠାରୁ ପୁଣି ଥରେ କଂସ କଚଡ଼ା ଖାଇବ ଗ୍ରାଣ୍ଡ ଓଲ୍ଡ ପାର୍ଟି !…

() ଆସାମ ପାଇଁ କଂଗ୍ରେସର ସ୍ବତନ୍ତ୍ର ରଣନୀତି । ପ୍ରିୟଙ୍କା ଗାନ୍ଧିଙ୍କୁ ଆସାମର କମାଣ ଧରାଇଛି କଂଗ୍ରେସ । ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରିୟଙ୍କା ଗାନ୍ଧି ହୋଇଛନ୍ତି କଂଗ୍ରେସର ସ୍କ୍ରିନିଂ କମିଟି ଅଧ୍ୟକ୍ଷା । କଂଗ୍ରେସ ଇତିହାସରେ ପ୍ରଥମ ଥର ପାଇଁ ଗାନ୍ଧି ପରିବାରର କୌଣସି ସଦସ୍ୟଙ୍କୁ ଏଭଳି ପଦରେ ବସା ଯାଇଛି, ଅର୍ଥା କୌଣସି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ସ୍କ୍ରିନିଂ କମିଟି ମୁଖ୍ୟ କରାଯାଇଛି । ତେବେ ପ୍ରିୟଙ୍କା କଣ ଆସାମରେ କଂଗ୍ରେସକୁ ଜିତାଇ ଦେବେ ! ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ି ସାଂସଦ ହୋଇଛନ୍ତି ସେ ! ସାଂସଦ ଭାବେ ତାଙ୍କ ପାଖରେ ରହିଛି ମାତ୍ର ବର୍ଷକର ଅଭିଜ୍ଞତା । ତଥାପି ଆସାମ ପାଇଁ କଂଗ୍ରେସ ରଖିଛି ତାଙ୍କ ଉପରେ ଅତୁଟ ଭରସା ।…
() ହିମନ୍ତ ବିଶ୍ବଶର୍ମା କଂଗ୍ରେସରୁ ବିଜେପିକୁ ଯାଇଥିବା ବେଳେ ଏବେ ମଧ୍ୟ ଆସାମ କଂଗ୍ରେସରେ ଅଛନ୍ତି ତାଙ୍କ ଲୋକ । ଆସାମ କଂଗ୍ରେସ ଅଫିସରେ ସୋରିଷ ଫୁଟିଲେ, କେହି ଜାଣନ୍ତୁ ବା ନଜାଣନ୍ତୁ… ପ୍ରଥମେ କିନ୍ତୁ ହିମନ୍ତ ବିଶ୍ବଶର୍ମା ଜାଣୁଛନ୍ତି । ତେଣୁ ଏଭଳି ସ୍ଥିତିରେ, ଏଥର ନିର୍ବାଚନ ପାଇଁ କଂଗ୍ରେସର ଜଣେ ଟାଣୁଆ ନେତାଙ୍କ ଆବଶ୍ୟକତା ଥିଲା । ତେବେ ଏଠି ପ୍ରଶ୍ନ ଉଠୁଛି- ରାହୁଲ ଗାନ୍ଧିଙ୍କୁ ଦାୟିତ୍ବ ନଦେଇ କାହିଁକି ପ୍ରିୟଙ୍କାଙ୍କୁ ଆସାମରେ ଆଗ କଲା କଂଗ୍ରେସ ! ରାହୁଲଙ୍କ ବଦଳରେ କାହିଁକି ପ୍ରିୟଙ୍କା ! ସଂସଦ ଭିତରେ ହେଉ ବା ବାହାରେ… ବିରୋଧୀଙ୍କୁ କାଉଣ୍ଟର କରିବାରେ ରାହୁଲ ଓ ପ୍ରିୟଙ୍କାଙ୍କ ଭଳି କଂଗ୍ରେସରେ ଆଉ ସେଭଳି କେହି ନାହାଁନ୍ତି କହିଲେ ଭୁଲ ହେବନି । ଉଭୟ ଭାଇ-ଭଉଣୀ ଭଲ ବକ୍ତା… Extempore ଦେବାରେ ଉଭୟ Expert । ରାହୁଲ ଜଣେ ଭଲ ଗ୍ରାଉଣ୍ଡସ୍ ମ୍ୟାନ୍ । ତେବେ କାହିଁକି କଂଗ୍ରେସ ବିଚାରରେ ଆସାମ ପାଇଁ ରାହୁଲଙ୍କ ବଦଳରେ ପ୍ରିୟଙ୍କା ଗାନ୍ଧି ! ଗାନ୍ଧି ଭାଇ-ଭଉଣୀଙ୍କୁ ନେଇ କଂଗ୍ରେସ ଉପର ମହଲରେ ସେମିତି କିଛି କମ୍ପିଟିସନ୍ ଚାଲିଛି କି ! ନା ପ୍ରିୟଙ୍କାକୁ ନେଇ ଭିନ୍ନ ଏକ ପରୀକ୍ଷଣ କରୁଛି କଂଗ୍ରେସ !…
() ଆସାମରେ ବିଜେପି ବିରୋଧରେ ରଣନୀତି ପ୍ରସ୍ତୁତ କରିବେ ଡିକେ ଶିବକୁମାର । କଂଗ୍ରେସ ପ୍ରଚାରକୁ ପ୍ରଭାବଶାଳୀ କରାଇବା ପାଇଁ ରଣନୀତି କରିବେ ଭୂପେଶ ବଘେଲ… ନିଜ ସାୟରୀ ଓ ଭାଷଣ ଶୈଳୀରେ ଇମ୍ରାନ ମାସୁଦ୍ ହେବେ କ୍ରାଉଡ୍ ପୁଲର୍ । ବିଶେଷକରି ମୁସଲିମ ବହୁଳ ବିଧାନସଭା କ୍ଷେତ୍ରରେ ଇମ୍ରାନଙ୍କୁ ବ୍ୟବହାର କରିବ କଂଗ୍ରେସ । ସେପଟେ ଗୌରବ ଗୋଗୋଇ, ନେତା ଓ କର୍ମୀଙ୍କୁ ନେଇ ସଂଗଠନ ସଜାଡ଼ିବା ସହ ମଜଭୁତ କରିବେ… ଆଉ ଏସବୁର ନେତୃତ୍ବ ନେବେ ପ୍ରିୟଙ୍କା ଗାନ୍ଧି ।…
() ୨୦୧୯ ସାଧାରଣ ନିର୍ବାଚନ, ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଲଢ଼ିଥିଲା କଂଗ୍ରେସ । ଆଉ ସେହିବର୍ଷ ଜାନୁଆରି ୧୯ରେ କଂଗ୍ରେସର ପ୍ରତ୍ୟକ୍ଷ ରାଜନୀତିକୁ Officially ଆସିଥିଲେ ପ୍ରିୟଙ୍କା ଗାନ୍ଧି । ପୂର୍ବ ଉତ୍ତର ପ୍ରଦେଶ ପାଇଁ କଂଗ୍ରେସ ସାଧାରଣ ସମ୍ପାଦକ ହୋଇଥିଲେ ସେ । ୨୦୧୯ ଲୋକସଭା ନିର୍ବାଚନ ପାଇଁ ଉତ୍ତର ପ୍ରଦେଶରେ କଂଗ୍ରେସ ପ୍ରଚାରର ନେତୃତ୍ବ ନେଇଥିଲେ ସେ । କିନ୍ତୁ ଏଥର ଆସାମ ନିର୍ବାଚନ ପାଇଁ ଦଳ ତାଙ୍କୁ ସ୍କ୍ରିନିଂ କମିଟି ମୁଖ୍ୟ କରିବା ସହ ପୂରା ନେତୃତ୍ବ ଦେଇଛି । ଉତ୍ତର ପ୍ରଦେଶରେ କଂଗ୍ରେସ ପ୍ରଦର୍ଶନ ଅତି ଖରାପ ହେଲା ସତ, କିନ୍ତୁ କଂଗ୍ରେସରେ ପ୍ରିୟଙ୍କାଙ୍କ ଗୁରୁତ୍ବ କମିଲାନି । ବରଂ ୨୦୨୦ ସେପ୍ଟେମ୍ବରରେ ତାଙ୍କ ପୂରା ଉତ୍ତର ପ୍ରଦେଶ ପାଇଁ କଂଗ୍ରେସର ସାଧାରଣ ସମ୍ପାଦକ କରାଗଲା ।…
() ୨୦୧୯ ଭଳି ୨୦୨୪ରେ ଦୁଇଟି ଆସନରେ ଲଢ଼ିଥିଲେ ରାହୁଲ ଗାନ୍ଧି । ୨୦୧୯ରେ ସେ କେରଳର ୱାଏନାଡ୍ ସହ ଉତ୍ତର ପ୍ରଦେଶର ଆମେଥିରୁ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ୨୦୨୪ରେ ୱାଏନାଡ୍ ସହ ରାଏବରେଲୀରୁ ଲଢ଼ିଲେ । ୨୦୧୯ରେ ରାହୁଲ ୱାଏନାଡରୁ ଜିତିଥିବା ବେଳେ ଆମେଥିରେ ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କଠାରୁ ହାରିଥିଲେ । କିନ୍ତୁ ୨୦୨୪ରେ ଉଭୟ ୱାଏନାଡ୍ ଓ ରାଏବରେଲୀ ଜିତିଲେ । ପରେ ରାହୁଲ ୱାଏନାଡ୍ ଆସନରୁ ଇସ୍ତଫା ଦେଇଥିବା ବେଳେ ଉପନିର୍ବାଚନରେ ଜିତିଛନ୍ତି ପ୍ରିୟଙ୍କା ଗାନ୍ଧି । ଉଭୟ ଆମେଥି ଓ ରାଏବରେଲୀ ଆସନ, ଗାନ୍ଧି ପରିବାର ସଦସ୍ୟଙ୍କ ହାତରେ ଅନେକ ବର୍ଷ ହେବ ରହି ଆସିଛି । ୨୦୨୪ରେ ସୋନିଆ ଗାନ୍ଧି, ପ୍ରତ୍ୟକ୍ଷ ରାଜନୀତିରୁ ସନ୍ୟାସ ନେବା ପରେ କିଛିଟା ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା । ରାଏବରେଲୀ, ଆମେଥି ଏବଂ ୱାଏନାଡରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ… ରାହୁଲ ଗାନ୍ଧି କେଉଁଠାରୁ ଲଢ଼ିବେ… ପ୍ରିୟଙ୍କା ଲଢ଼ିବେ ନା ଲଢ଼ିବେନି… ଯଦି ଲଢ଼ିବେ, କେଉଁଠୁ ଲଢ଼ିବେ… ଏମିତି ଅନେକ କିଛି ଦ୍ବନ୍ଦ୍ବ ଦେଖା ଦେଇଥିଲା । କିନ୍ତୁ କଂଗ୍ରେସ ପ୍ରିୟଙ୍କାଙ୍କୁ ନିର୍ବାଚନୀ ମୈଦାନକୁ ଛାଡ଼ିଲା ନାହିଁ । ପ୍ରିୟଙ୍କା ଯଦି ଏତେ ପାୱାରଫୁଲ୍ ଥିଲେ, କିମ୍ବା ସେ ପାୱାରଫୁଲ୍ ବୋଲି କଂଗ୍ରେସର ଶୀର୍ଷ ନେତୃତ୍ବ ଜାଣିଥିଲେ, ତେବେ କାହିଁକି ତାଙ୍କୁ ନେଇ ୨୦୨୪ ସାଧାରଣ ନିର୍ବାଚନରେ ପଛଘୁଞ୍ଚା ଦେଲା କଂଗ୍ରେସ ! କଣ ପ୍ରିୟଙ୍କା ହାରି ଯାଇଥିଲେ କଂଗ୍ରେସର ନାକ କଟି ଯାଇଥାନ୍ତା ! ପ୍ରିୟଙ୍କାଙ୍କ ପ୍ରଚାର ନେତୃତ୍ବରେ ଉତ୍ତର ପ୍ରଦେଶରେ ଲଜ୍ଜଜନକ ପ୍ରଦର୍ଶନ କଣ କଂଗ୍ରେସର ନାକ କାଟିନି ! ନା, ଏଠି କଂଗ୍ରେସ ନାକ ଅପେକ୍ଷା ଗାନ୍ଧି ପରିବାରର ନାକକୁ ଅଧିକ ଗୁରୁତ୍ବ ଏବଂ ସୁରକ୍ଷା ଦିଆଯାଉଛି !…
() ଉତ୍ତର ପ୍ରଦେଶରେ କାମ ଦେଇନି ପ୍ରିୟଙ୍କା ଗାନ୍ଧିଙ୍କ କରୀଶ୍ମା । ପୁଣି ତାଙ୍କ ଭାଇ ରାହୁଲ ଗାନ୍ଧି ୱାଏନାଡ୍ ଜିତିସାରି ଛାଡ଼ିବା ପରେ, ସେଠାରୁ ଉପନିର୍ବାଚନରେ ଜିତିଛନ୍ତି ସେ । ଏଭଳି ସ୍ଥିତିରେ ପ୍ରିୟଙ୍କା କଂଗ୍ରେସରେ ଏତେ ପାୱାରଫୁଲ୍ କେମିତି ହେଲେ ! ତାଙ୍କ ନେତୃତ୍ବ ଉପରେ କଂଗ୍ରେସର ଏତେ ଭରସା କେଉଁଠୁ ଆସିଲା ! ୨୦୧୯ ଉତ୍ତର ପ୍ରଦେଶ ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ବି ପ୍ରିୟଙ୍କାକୁ ଡିମୋସନ୍ ବଦଳରେ କଂଗ୍ରେସ ଦେଇଛି ପ୍ରମୋସନ୍ । ପୁଣି ଏଥର ଯଦି ଆସାମରେ କଂଗ୍ରେସକୁ ବିଜୟୀ କରାଇ ନପାରିବେ, ତେବେ ଦଳରେ କଣ ହେବ ପ୍ରିୟଙ୍କାଙ୍କ ସ୍ଥିତି ! ଦଳ ପୁଣି ତାଙ୍କୁ ପ୍ରମୋସନ୍ ଦେବ ନା ଡିମୋସନ୍ !…
() ସ୍ମୃତି ଇରାନୀଙ୍କ ବିରୋଧରେ ଆମେଥିରେ ୨୦୧୯ର ବଦଲା, ୨୦୨୪ରେ ନେଲା କଂଗ୍ରେସ । ଠିକ ସେମିତି ଏଥର ଆସାମରେ କଂଗ୍ରେସ ଟାର୍ଗେଟରେ ହିମନ୍ତ ବିଶ୍ବଶର୍ମା । ସାଂସଦ ଥିବା ବେଳେ ସଂସଦରେ ବିଜେପି ନେତ୍ରୀ ସ୍ମୃତି ଇରାନୀ କଂଗ୍ରେସକୁ ଯେତିକି ଟାର୍ଗେଟ କରି ନାହାଁନ୍ତି, ତାଠାରୁ ଢେର ଅଧିକ ଟାର୍ଗେଟ କରିଛନ୍ତି ଗାନ୍ଧି ପରିବାରକୁ… ସୋନିଆ ଗାନ୍ଧିଙ୍କୁ ଡାଇରେକ୍ଟ ଆଟାକ୍ କରିବାକୁ ପଛାଇ ନାହାଁନ୍ତି ସେ । ଠିକ ସେମିତି କଂଗ୍ରେସରୁ ବିଜେପିକୁ ଯାଇଥିବା ହିମନ୍ତ ବିଶ୍ବଶର୍ମା ମଧ୍ୟ ଅଧିକାଂଶ ସମୟ କଂଗ୍ରେସଠାରୁ ଅଧିକ ସମାଲୋଚନା କରୁଛନ୍ତି ଗାନ୍ଧି ପରିବାରକୁ । ଏଭଳି ସ୍ଥିତିରେ ହିମନ୍ତଙ୍କୁ ହିଟ୍ ଆଉଟ୍ କରିବାକୁ ପ୍ରିୟଙ୍କାଙ୍କ ନେତୃତ୍ବରେ ଆସାମକୁ ଦଳର A ଟିମ୍ ପଠାଇ ନାହିଁ ତ କଂଗ୍ରେସ !…











