The Death Warrant ! ଥରେ ଭାବିବେ ନିଶ୍ଚୟ…

BHUNANESWAR:  ‘ନାଁ ଖାଉଙ୍ଗା, ନା ଖାନେ ଦୁଙ୍ଗା’…, ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଏମିତି ରାଜନୈତିକ Mission Statement ଦେଶବାସୀ ଅନେକ ଥର ଶୁଣିଛନ୍ତି । ଯାହାର ବର୍ତ୍ତମାନର Updated Version ହେଉଛି, ପୂରା କ୍ଷମତାକୁ ପୂରା ହାତମୁଠାରେ ରଖି… ‘ନାଁ କିସିକୋ ଖାନେ ଦୁଙ୍ଗା, ମେଁ ଅକେଲା ହିଁ ସବ୍ ଖାଉଙ୍ଗା’ …

() ୟୁପିଏ-ଟୁ ସରକାରରେ ପ୍ରଧାନମନ୍ତ୍ରୀ ଥିବା (ସ୍ବର୍ଗତ) ଡକ୍ଟର ମନମୋହନ ସିଂହଙ୍କ ବିରୋଧରେ ଏକାଧିକ ଦୁର୍ନୀତିର କଳା ବୋଳି କ୍ଷମତାକୁ ଆସିଛି ବିଜେପି । ମନମୋହନ ଏବେ ସ୍ବର୍ଗରେ, କିନ୍ତୁ ତାଙ୍କ ବିରୋଧରେ ଆସିଥିବା ଗୋଟେ ବି ଦୁର୍ନୀତି ଅଭିଯୋଗ, ଭାରତର କୌଣସି ଅଦାଲତରେ, ସେ ଜୀବିତ ଥିବା ବେଳେ ପ୍ରମାଣିତ ହୋଇପାରିନି । ଏଠି ଦୁର୍ନୀତି ବିରୋଧୀ ମହାପୁରୁଷ ଆନ୍ନା ହଜାରେଙ୍କ କଥା ନ ଉଠାଇବା ଭଲ ।…

() କଂଗ୍ରେସର ୬୦ ବର୍ଷର ସରକାର ବିରୋଧରେ ୬୦ ମାସ ଅର୍ଥାତ ୫ ବର୍ଷ ବା ସରକାରର ଗୋଟେ ଟର୍ମ ମାଗିଥିଲା ବିଜେପି । କଂଗ୍ରେସ ମୁକ୍ତର ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ଏବେ ଅନେକ ମାତ୍ରାରେ କଂଗ୍ରେସ ଯୁକ୍ତ ହୋଇଯାଇଛି । ଆଉ ଏବେ ଭୋଟ ଚୋରି ନାଗଫାସରେ ପଡ଼ି ଛଟପଟ ହେଉଥିବା ବେଳେ ଆଉ ଏକ ଅଜବ ଚିନ୍ତା ମୁଣ୍ଡରେ ପଶି ଯାଇଛି । ତାହା ହେଉଛି Govt. of union Territories Act-୧୯୬୩ରେ ସଂଶୋଧନ ।…

() ସରକାରଙ୍କ କହିବା କଥା, ଗୁରୁତର ଦୁର୍ନୀତି ବା ଅପରାଧରେ ଅଭିଯୁକ୍ତ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା ରାଜ୍ୟ ମନ୍ତ୍ରୀଙ୍କୁ ପଦରୁ ହଟାଇବାକୁ କୌଣସି ଆଇନଗତ ବ୍ୟବସ୍ଥା ନାହିଁ । ଯେଉଁଥି ପାଇଁ ଏହି ବିଲ୍ ଆଣିବା ଜରୁରୀ । ବିରୋଧୀ କିନ୍ତୁ ଏହାର ତୀବ୍ର ବିରୋଧ କରୁଛନ୍ତି । ସେମାନଙ୍କ କହିବା କଥା, ବର୍ତ୍ତମାନର ବିଜେପି ନେତୃତ୍ବାଧୀନ ସରକାର କାଳେ, ଭବିଷ୍ୟତରେ ନିରଙ୍କୁଶ କ୍ଷମତା ବଜାୟ ରଖିବାକୁ ଏମିତି କରୁଛି । ବିରୋଧୀ ଶାସିତ ରାଜ୍ୟକୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ଏଭଳି ଆଇନ ଆଣିବାକୁ ଚାହୁଁଛନ୍ତି ସରକାର । ଯାହା ସାମ୍ବିଧାନିକ ଏବଂ ଗାଣତାନ୍ତ୍ରିକ ବ୍ୟବସ୍ଥା ଏବଂ ମୂଲ୍ୟବୋଧକୁ ସମ୍ପୂର୍ଣ୍ଣ ବୁଡ଼ାଇ ଦେବାକୁ ଉଦ୍ଦିଷ୍ଟ ବୋଲି ବିରୋଧୀ ଖୋଲାଖୋଲି କହୁଛନ୍ତି । ସରକାର, ଦୁର୍ନୀତି ବିରୋଧୀ ଆଭିମୁଖ୍ୟର ଦ୍ବାହି ଦେଇ ନୈତିକତାର ନାଁରେ, ଦେଶର ସାଧାରଣ ଜନତାଙ୍କ ସର୍ବମୂଲ୍ୟ ଅଧିକାର (ଭୋଟ ଦେବାର ଅଧିକାର) ଛଡ଼ାଇ ନେବାକୁ ଯୋଜନା ଚଳାଇଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । …

() କେହି କହିପାରନ୍ତି, ବିଲର ପ୍ରଥମ ବାକ୍ୟରେ ପ୍ରଧାନମନ୍ତ୍ରୀଙ୍କ ନାଁ ନିଆଯାଇଛି । କିନ୍ତୁ କେହି କହିପାରିବେ କି କ୍ଷମତାରେ ଥିବା ବେଳେ ଦେଶର କୌଣସି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ, କେବେ ଏମିତି ଅଭିଯୋଗ ଆସିଛି ! ଦୁର୍ନୀତି କିମ୍ବା ଗୁରୁତର ଅପରାଧିକ ମାମଲାରେ ଅଭିଯୁକ୍ତ ହୋଇ, ଗତ ୧୧ ବର୍ଷ ମଧ୍ୟରେ କେନ୍ଦ୍ର ସରକାର କିମ୍ବା ବିଜେପି ନେତୃତ୍ବାଧୀନ ରାଜ୍ୟର କୌଣସି ମନ୍ତ୍ରୀ ବରଖାସ୍ତ ହେବା ଆପଣ ଦେଖିଛନ୍ତି କି ? କିନ୍ତୁ ଗତ ୧୧ ବର୍ଷ ମଧ୍ୟରେ ଇଡି ଏବଂ ସିବିଆଇରେ ୫ ହଜାରରୁ ଅଧିକ ମାମଲା ରୁଜୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତରୁ ଅଧିକ ହେଉଛନ୍ତି ବିରୋଧୀ ଦଳର । ଦଣ୍ଡବିଧାନର ହାର ମଧ୍ୟ ୨ ପ୍ରତିଶତରୁ କମ ରହିଛି । କିନ୍ତୁ PMLA ଆଇନ ଅନୁସାରେ ବର୍ଷ ବର୍ଷ ଧରି ଜାମିନ ମିଳୁନି । ନେତା ଓ ମନ୍ତ୍ରୀଙ୍କୁ ଜେଲ ହେପାଜତରେ ରହିବାକୁ ପଡୁଛି । ଯାହାର ଜ୍ବଳନ୍ତ ଉଦାହରଣ ଆପ୍ ନେତା ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ ଏବଂ ଜେଏମଏମ ମୁଖ୍ୟ ହେମନ୍ତ ସୋରେନ୍ ପ୍ରମୁଖ । କିନ୍ତୁ Govt. of union Territories(Ammendment Bill), Act-୧୯୬୩ ଯଦି ଆଇନରେ ପରିଣତ ହୋଇଗଲା, ତେବେ, ଏଭଳି ନେତାଙ୍କ ରାଜନୈତିକ କ୍ୟାରିଅରରେ ଏକରକମ ପୂର୍ଣ୍ଣଚ୍ଛେଦ ଲାଗିଯିବ । ଅଦାଲତଙ୍କ ଚୂଡ଼ାନ୍ତ ରାୟ କିମ୍ବା ଦଣ୍ଡବିଧାନ ଯାଏ ଅପେକ୍ଷା କରିବାକୁ ପଡ଼ିବନି । ଅଭିଯୋଗ ଆଧାରରେ ହିଁ ପୋଲିସ କିମ୍ବା ଜେଲ୍ ହାଜତରେ ୩୦ ଦିନ ରହିବା ପରେ ୩୧ତମ ଦିନରେ ସଂପୃକ୍ତ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା କେନ୍ଦ୍ର ବା ରାଜ୍ୟମନ୍ତ୍ରୀଙ୍କ ପଦ ସ୍ବୟଂ ଚାଲିଯିବ ।…

() ଆଇନ କହୁଛି- A person is not guilty, until he is proven guilty in a court of law… ଆଇନ ଏହା ମଧ୍ୟ କହୁଛି- Bail is the rule and jail is the exception । କିନ୍ତୁ ବର୍ତ୍ତମାନର ସରକାର ଆଣୁଥିବା ବିଲ୍ ଯଦି ଆଇନରେ ପରିଣତ ହୁଏ, ତେବେ ଆଇନର ଏସବୁ Mission Statement ବୃଥା ହୋଇଯିବ । କଣ ହୋଇପାରେ ଏଠି ପରିସ୍ଥିତି !… ଲୋକଙ୍କ ସର୍ବମୂଲ୍ୟ ଅଧିକାର ଚୋରି ହୋଇଯିବନି ତ !… ଜନାଦେଶ ମୂଲ୍ୟହୀନ ହୋଇଯିବନି ତ !… ଲୋକଙ୍କ ଦ୍ବାରା ନିର୍ବାଚିତ ସରକାର ଉପରେ କାର୍ଯ୍ୟପାଳିକା ଏବଂ ତଦନ୍ତକାରୀ ସଂସ୍ଥା ଭାରି ପଡ଼ିବନି ତ !…

() ନିର୍ବାଚନ କମିଶନର ନିଯୁକ୍ତିକୁ ନିଜ ହାତମୁଠାରେ ରଖିବାକୁ ସରକାର, ଚୟନ କମିଟିରୁ ପ୍ରଧାନ ବିଚାରପତିଙ୍କୁ ବାହାର କରି ଦେଇଛନ୍ତି । ପୁଣି ନିର୍ବାଚନ କମିଶନ ଆଇନକୁ ଏମିତି ମୋଡି ଦେଇଛନ୍ତି ଯେ, ଜଣେ କମିଶନର ଯେତେ ବଡ଼ ଭୁଲ କରିଥିଲେ ମଧ୍ୟ, ଅବସର ପରେ ବି ଦେଶର କୌଣସି ଅଦାଲତରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇପାରିବ ନାହିଁ । ଅଦାନୀ କମ୍ପାନି ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖୁବ ଖବର ପ୍ରକାଶ ପାଇଥିବା ବେଳେ ବିରୋଧୀ ମଧ୍ୟ ଦେଶ ମଧ୍ୟରେ କମ ହଲ୍ଲାବୋଲ୍ କରି ନାହାନ୍ତି । ପୂର୍ବତନ SEBI ମୁଖ୍ୟ ମାଧୁରୀ ପୁରୀ ବୁଚଙ୍କୁ ପଚରା ଉଚରା ପାଇଁ ପାର୍ଲାମେଣ୍ଟର ଯୁଗ୍ମ ସଂସଦୀୟ କମିଟି ବାରମ୍ବାର ଡାକିଥିଲେ ମଧ୍ୟ ସେ ଆସିଲେ ନାହିଁ । ବରଂ ଅବସର ନେଇ ସାରିଲେଣି । କିଛି ହେଲା କି ?

() ସରକାର ଆଣିଥିବା Govt. of union Territories (Ammendment Bill), Act-୧୯୬୩ ଯଦି ଆଇନରେ ପରିଣତ ହୁଏ, ତେବେ ବିରୋଧୀ ଶାସିତ ରାଜ୍ୟର ସରକାରଙ୍କୁ ଦମନ କରିବା କିମ୍ବା ଭାଙ୍ଗିବା ଖୁବ ସହଜ ହୋଇଯିବ । କାରଣ ଏହି ଆଇନ- ରାଜ୍ୟପାଳଙ୍କ କ୍ଷମତାକୁ ଆହୁରି ବଢ଼ାଇ ଦେବ । ରାଜ୍ୟପାଳଙ୍କ ଅନୁମୋଦନରେ ହିଁ ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହେବ । ଆଉ ଯଦି 30 ଦିନ ପୋଲିସ କିମ୍ବା ଜେଲ ହାଜତରେ ରହିଲେ, ତେବେ ସ୍ବୟଂ ବରଖାସ୍ତ ହୋଇଯିବେ । ରାଜ୍ୟପାଳଙ୍କ ମାଧ୍ୟମରେ ନିର୍ବାଚିତ ସରକାରକୁ ଭାଙ୍ଗିବାର ଉଦ୍ଦାହରଣ ଏହି ସରକାର ଅମଳରେ କିଛି କମ ନାହିଁ । ଜଗଦୀପ ଧନଖଡ଼ ପଶ୍ଚିମବଙ୍ଗର ରାଜ୍ୟପାଳ ଥିବା ବେଳେ, ମମତା ବାନାର୍ଜୀ ସରକାରକୁ ଭାଙ୍ଗି ପାରି ନାହାନ୍ତି ସିନା, କିନ୍ତୁ ସାମ୍ବିଧାନିକ ପଦମର୍ଯ୍ୟାଦାର ଉଲ୍ଲଂଘନ କରି ଯେଉଁଭଳି ଭାବେ ନିର୍ବାଚିତ ସରକାରକୁ ଘେରିଛନ୍ତି, ତାହା ସମସ୍ତେ ଦେଖିଛନ୍ତି । କେରଳ ରାଜ୍ୟପାଳ ଥିବା ବେଳେ ଆରିଫ୍ ମହମ୍ମଦ, ପୁଡୁଚେରୀ ରାଜ୍ୟପାଳ ଥିବା ବେଳେ କିରଣ ବେଦୀ, ମହାରାଷ୍ଟ୍ର ରାଜ୍ୟପାଳ ଥିବା ବେଳେ ଭଗତ ସିଂହ କୋସିୟାରୀ ଏବଂ ବର୍ତ୍ତମାନର ତାମିଲନାଡୁ ରାଜ୍ୟପାଳ ଏନ୍. ରବିଙ୍କ ଭୂମିକା ଓ କାର୍ଯ୍ୟକଳାପକୁ ଅନୁଶୀଳନ କରିବାର ଆବଶ୍ୟକତା ରହିଛି ।…

() ଶାସକ, ବିରୋଧୀ ଏବଂ ଗଣମାଧ୍ୟମ, ଗଣତନ୍ତ୍ରର ପ୍ରମୁଖ ଅଙ୍ଗ । ଏମାନେ ହିଁ ସମ୍ବିଧାନର ରକ୍ଷକ । କିନ୍ତୁ ଆଜକୁ ୧୧ ବର୍ଷ ହେଲା ଭାରତୀୟ ଗଣମାଧ୍ୟମ Pomeranian Media ହୋଇ ସାରିଥିବା ବେଳେ ବାକି ଅଛନ୍ତି ହାତଗଣତି କିଛି ବିରୋଧୀ । କିନ୍ତୁ ସରକାର ଆଣିଥିବା Govt. of union Territories(Ammendment Bill), Act-୧୯୬୩ ଯଦି ଆଇନରେ ପରିଣତ ହୁଏ, ତେବେ ବିରୋଧୀ ଥାଇ ଯାହା, ନଥାଇ ତାହା । ବିରୋଧୀ ହିଁ ଲୋକଙ୍କ ସ୍ବର, ଯାହାକୁ ଏବେ ସବୁଦିନ ପାଇଁ ଦବାଇ ଦେବାକୁ ଚାଲିଛି ଷଡ଼ଯନ୍ତ୍ର । ସମ୍ବିଧାନ ଓ ଗଣତନ୍ତ୍ରକୁ ରସାତଳଗାମୀ କରାଇ ବିଜେପି, ଦେଶରେ ନିର୍ବାଚନ ନିରଙ୍କୁଶତା ହାସଲ କରିବାକୁ ଚାହୁଁନି ତ ! ଉତ୍ତର କୋରିଆ, ଚୀନ ଏବଂ ଋଷିଆ ଶୈଳୀର ଶାସନ ଆଡ଼କୁ ଭାରତ ଅଗ୍ରସର ହେଉନି ତ ! ଥରେ ଭାବିବେ ନିଶ୍ଚୟ…

Leave a Reply

Your email address will not be published. Required fields are marked *