ଜଗଦୀପ ଧନଖଡ଼ କେଉଁଠି ?
BHUBANESWAR: ଚାଲିଛି ସଂସଦର ମୌସୁମି ଅଧିବେଶନ, ହେଲେ ଶୁଣିବାକୁ ମିଳୁନି, ପ୍ରତିଥର ଅଧିବେଶନ ଚାଲୁଥିବା ବେଳେ ରାଜ୍ୟସଭାରୁ ବାହାରକୁ ଆସୁଥିବା ବାକ୍ୟ- Nothing will go on record । ବିରୋଧୀଙ୍କୁ ଦବାଇବାକୁ ଅନେକ ସମୟରେ ଏହି ବାକ୍ୟ ବ୍ୟବହାର କରିଛନ୍ତି ସେତେବେଳର ରାଜ୍ୟସଭା ଅଧ୍ୟକ୍ଷ ତଥା ପୂର୍ବତନ ଉପରାଷ୍ଚ୍ରପତି ଜଗଦୀପ ଧନଖଡ଼ । କିନ୍ତୁ ଜୁଲାଇ 22 ତାରିଖରୁ ଜଗଦୀପ ଧନଖଡ଼ ନା ଅଛନ୍ତି ରାଜ୍ୟସଭାର ଅଧ୍ୟକ୍ଷ ନା ଦେଶର ଉପରାଷ୍ଟ୍ରପତି… କିନ୍ତୁ, ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାର କିଛି ଘଣ୍ଟା ପୂର୍ବରୁ, ରାଜ୍ୟସଭାରେ ଅଧ୍ୟକ୍ଷତା କରୁଥିବା ବେଳେ ତାଙ୍କ ବ୍ୟବହୃତ ବାକ୍ୟକୁ ନେଇଗଲେ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭାରେ ଗୃହର ନେତା ଜେ. ପି. ନଡ୍ଡା । ଜଗଦୀପ ଧନଖଡ଼ ରାଜ୍ୟସଭାର ଅଧ୍ୟକ୍ଷ ଆସନରେ ଥିବା ବେଳେ ଏମିତି କହିଦେଲେ ନଡ୍ଡା । ଆଉ ତାର କିଛି ସମୟ ପରେ ଅର୍ଥାତ 22 ତାରିଖ ରାତି ପ୍ରାୟ 9ଟା ବେଳକୁ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଦେଲେ ଜଗଦୀପ ଧନଖଡ଼ ।…
() ପଶ୍ଚିମବଙ୍ଗର ରାଜ୍ୟପାଳ ଥିବା ଜଗଦୀପ ଧନଖଡ଼, 2022 ଅଗଷ୍ଟରୁ ଥିଲେ ଦେଶର ଉପରାଷ୍ଟ୍ରପତି । ରାଜ୍ୟସଭା ଅଧ୍ୟକ୍ଷ ଭାବେ ତାଙ୍କ ପ୍ରଥମ ଦିନରୁ ହିଁ, ଏ ଦେଶ ଏବଂ ବିଶ୍ବ, ତାଙ୍କ ପକ୍ଷପାତିତା ଓ ନିରପେକ୍ଷତାକୁ ମାପି ସାରିଛି । ଯଦି ଭଗବାନ ଚାହାଁନ୍ତି, ତେବେ 2027 ଅଗଷ୍ଟରେ ସେ ଅବସର ନେବେ ବୋଲି କହିଥିଲେ । କିନ୍ତୁ ତାର ଯଥେଷ୍ଟ ପୂର୍ବରୁ ସେ ଅବସର ନେଇଗଲେ । ଭାରତ ଇତିହାସରେ ପ୍ରଥମ ଥର ପାଇଁ ଦ୍ବିତୀୟ ସାମ୍ବିଧାନିକ ପଦରେ ଥିବା ଜଣେ ବ୍ୟକ୍ତି, ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ । ଆଉ ଧନଖଡ଼ ସାହେବ ହିଁ ହେଉଛନ୍ତି ସେହି ବ୍ୟକ୍ତିତ୍ବ, ଯାହାଙ୍କ ବିରୋଧରେ ଉପରଷ୍ଟ୍ରପତି ଥିବା ବେଳେ ମହାଭିଯୋଗ ପ୍ରସ୍ତାବ ଆସି କାଟ୍ ଖାଇଥିଲା । କିନ୍ତୁ ଏବେ ସେ ନିଜ ଆଡୁ ଇସ୍ତଫା ଦେଇ ପୂର୍ବତନ ଉପରାଷ୍ଟ୍ରପତି ହୋଇ ଯାଇଛନ୍ତି । ହେଲେ ଦେଶବାସୀ ଦେଖି ପାରିଲେନି ରାଜ୍ୟସଭାରେ ତାଙ୍କ ଫେୟାରୱେଲ୍ ବା ବିଦାୟୀକାଳୀନ ସମ୍ବର୍ଦ୍ଧନା !
() ଫେୟାରୱେଲ୍ କଥା ଛାଡ଼ନ୍ତୁ, ଜଗଦୀପ ଧନଖଡ଼ ଏବେ କେଉଁଠି ? ଡାକ୍ତରଙ୍କ ପରାମର୍ଶରେ ନିଜ ସ୍ବାସ୍ଥ୍ୟକୁ ପ୍ରାଧାନ୍ୟ ଦେଇ ଖୁବବଡ଼ ଦାୟିତ୍ବସମ୍ପନ୍ନ ପଦରୁ ଇସ୍ତଫା ଦେଇଛନ୍ତି । ଧନଖଡ଼ ସାହେବଙ୍କ ଇସ୍ତଫା ପତ୍ରର ପ୍ରଥମ ବାକ୍ୟ ହିଁ ଏହା ସ୍ପଷ୍ଟ କରୁଛି । ହେଲେ, ଦେହ ଭଲ ନଥିବା ମଣିଷଟା ଏବେ କେଉଁଠି ? ପୂର୍ବତନ ମନ୍ତ୍ରୀ, ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ରାଜ୍ୟସଭାର ସ୍ବାଧୀନ ସଦସ୍ୟ କପିଲ ସିବଲ ଏହି କଥା ଉଠାଇବା ସହ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କଠାରୁ ଉତ୍ତର ଦାବି କରିଛନ୍ତି । ଏପରିକି ଦରକାର ପଡ଼ିଲେ Habeas Corpus ମାଧ୍ୟମରେ ନ୍ୟାୟାଳୟର ଦ୍ବାରସ୍ଥ ହେବେ ବୋଲି ମଧ୍ୟ ସଙ୍କେତ ଦେଇଛନ୍ତି ।…
() କିଛିଦିନ ତଳେ ପରଲୋକ ଗମନ କରିଛନ୍ତି ଜାମ୍ମୁ-କାଶ୍ମୀରର ପୂର୍ବତନ ଉପରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ପୁଲୱାମା ଆତଙ୍କୀ ହମଲା ଉପରେ ସତ୍ୟପାଲ ମଲ୍ଲିକ ଯାହା କହିଛନ୍ତି, ତାହା ସର୍ବଜନବିଦିତ । ପୁଣି ଉପରାଜ୍ୟପାଳ ଥିବା ବେଳେ ଯେଉଁ ଦୁର୍ନୀତି ପ୍ରସଙ୍ଗକୁ ନେଇ ସେ ଅଭିଯୋଗ ଆଣିଥିଲେ, ସେହି ମାମଲାରେ ସେ ଅଭିଯୁକ୍ତ ହୋଇ ଯାଇଥିଲେ । କିନ୍ତୁ ମୃତ୍ୟୁ ପୂର୍ବରୁ ଭଲ ଜମାନ ବନ୍ଦୀଟେ ଛାଡ଼ିଦେଇ ଯାଇଛନ୍ତି ସେ । ମୃତ୍ୟୁ ପରେ ବି ପୂର୍ବତନ ମନ୍ତ୍ରୀ, ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ଉପରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଅନ୍ତିମ ବିଦାୟ ବେଳେ ମିଳିଲାନି ରାଷ୍ଟ୍ରୀୟ ମର୍ଯ୍ୟାଦା !!! …
() ସତରେ, ଏ ଦେଶରେ କଣ ଚାଲିଛି ! ଏସବୁ କଣ ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ବିଡ଼ମ୍ବନା ନୁହେଁ !











