ସେପ୍ଟେମ୍ବର ୧୭ ପରେ କ’ଣ ହେବ ?
BHUBANESWAR: ଏବେ ସବୁଠି ଗୋଟିଏ ଚର୍ଚ୍ଚା… ସେପ୍ଟେମ୍ବର ୧୭ ପରେ କଣ ହେବ ! ହଁ, ଆଜ୍ଞା… ସେପ୍ଟେମ୍ବର ୧୭, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ସେହିଦିନ ତାଙ୍କୁ ୭୫ ବର୍ଷ ପୂରିବ । ଆପଣ ଭାବୁଥିବେ, ୭୫ ବର୍ଷ ପୂରିବା ସହ, ଆଗକୁ କଣ ହେବ, ନହେବ… ତାର ବା କଣ ସମ୍ପର୍କ ରହିଛି !
ସମ୍ପର୍କ ଏହି ଯେ, କଣ ୭୫ ବର୍ଷ ପୂରା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜନୈତିକ ଜୀବନରୁ ଅବସର ନେବେ ନା ନେବେନି ? ନିଜେ ଗଢ଼ିଥିବା ମାର୍ଗଦର୍ଶକ ମଣ୍ଡଳୀକୁ, ସେ ଯିବେ, ନା ଯିବେନି ? ଯଦି ଯାଆନ୍ତି, ତେବେ ସରକାରରେ ତାଙ୍କ ସ୍ଥାନ କିଏ ନେବେ ? ଏଠି ନୀତନ ଗଡ଼କରିଙ୍କ ଧନୀ, ଅଧିକ ଧନୀ ହେବା ଏବଂ ଗରିବ ଅଧିକ ଗରିବା ହେବା ମନ୍ତବ୍ୟର ଟାଇମିଂ ଏବଂ ଆବଶ୍ୟକତା ଉପରେ ଗହିରିଆ ବିଶ୍ଳେଷଣ କରାଯାଇପାରେ ।…
୨୦୧୪ରେ କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରର ନେତୃତ୍ବ ନେବା ପରେ ବିଜେପି ପକ୍ଷରୁ ଏକ ଅଲିଖିତ ଘୋଷଣା ହୋଇଥିଲା । ୭୫ ବର୍ଷ ପରେ ରାଜନୈତିକ ଅବସର ନେଇ… । ଏହି ଅଲିଖିତ ଘୋଷଣାରେ ଲାଲକୃଷ୍ଣ ଆଡ଼ଭାନି, ମୁରଲୀ ମନୋହର ଯୋଶୀ, ଅରୁଣ ଶୌରୀ, ଯଶୱନ୍ତ ସିହ୍ନା, ସାନ୍ତା କୁମାର, ବି. ସି. ଖଣ୍ଡୁରୀଙ୍କ ଭଳି ନେତାଙ୍କୁ ନିର୍ବାଚନୀ ରାଜନୀତିକୁ ବାଏ ବାଏ କରିବାକୁ ପଡ଼ିଲା । ଆଉ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଳି । ଯେଉଁ ଅଲିଖିତ ନିୟମ ସେ ନିଜେ ବନାଇଥିଲେ, ଏବେ ସେହି ନିୟମ ତାଙ୍କ ପାଇଁ ଲାଗୁ ହେବାର ସମୟ ଆସି ଯାଇଛି । କିନ୍ତୁ ଲାଗୁ ହେବ କି ନାହିଁ, ତାହା କିଏ କହିବ ! …
ମୋଦିଙ୍କ କ୍ଷେତ୍ରରେ ତାହା ଲାଗୁ ହେବ କି ନାହିଁ, ତାହା ସେପ୍ଟେମ୍ବର ୧୭ ପରେ ହିଁ ସ୍ପଷ୍ଟ ହେବ । କିନ୍ତୁ ତା ପୂର୍ବରୁ ଆରଏସଏସ ମୁଖ୍ୟ ମୋହନ ଭାଗବତ କହି ସାରିଛନ୍ତି, ୭୫ ବର୍ଷ ହେବା ପରେ ବ୍ୟକ୍ତିଙ୍କୁ ପବ୍ଲିକ ଲାଇଫରୁ ସ୍ବୟଂ ଅବସର ନେଇଯିବାର ଅଛି । ଭାଗବତ ଯେତେବେଳ ଏମିତି କହୁଛନ୍ତି, ଏଥିରୁ ସେ ନିଜକୁ ବାଦ ଦେଇ ତ କହୁ ନଥିବେ ନା ! କାରଣ, ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ତାଙ୍କୁ ମଧ୍ୟ ୭୫ ବର୍ଷ ପୂରୁଛି । ଯଦି ଭାଗବତ ଅବସର ନିଅନ୍ତି, ତେବେ ମୋଦି ମଧ୍ୟ ଅବସର ନେଇପାରନ୍ତି ।… କାରଣ ବିଜେପି ନିଜକୁ ଯେତେ ପାୱାରଫୁଲ୍ କହୁଥିଲେ ମଧ୍ୟ, ବିନା ଆରଏସଏସରେ ନିଜର ସ୍ବତନ୍ତ୍ର ଅସ୍ତିତ୍ବ ଗଠନ କରିପାରିନି । ଏଠି ଆମେ ୨ଟି ନିର୍ବାଚନକୁ ଉଦାହରଣ କରିପାରିବା । ଲୋକପ୍ରିୟତାର ଶୀର୍ଷରେ ଥାଇ, ସାଇନିଂ ଇଣ୍ଡିଆର ନାରା ଦେଇ ୨୦୦୪ ନିର୍ବାଚନରେ ହାରିଗଲା ବିଜେପି… ହାରିଗଲେ ବାଜପେୟୀ … କଣ ହୋଇପାରେ ଏହାର କାରଣ .!!! … କଣ ରାଜଧର୍ମରେ ବ୍ରତୀ ହେବା କାରଣରୁ ବାଜପେୟୀଙ୍କୁ ୨୦୦୪ ନିର୍ବାଚନ ମହଙ୍ଗା ପଡ଼ିଲା କି !… ଠିକ ସେମିତି କିଛି ଝଲକ୍ ଦେଖିବାକୁ ମିଳିଛି ୨୦୨୪ ନିର୍ବାଚନରେ । ନିର୍ବାଚନୀ ପ୍ରଚାର ଜୋର୍ ଧରିଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଲେ, “ବିଜେପିକୁ ଆଉ ଆରଏସଏସର ସହଯୋଗ କିମ୍ବା ସମର୍ଥନ ଦରକାର ନାହିଁ” । ନଡ୍ଡାଙ୍କ ଏଭଳି ମନ୍ତବ୍ୟକୁ ନେଇ ସେତେବେଳେ ବିଜେପି ଓ ଆରଏସଏସ ମଧ୍ୟରେ ଭିତିରିଆ ପ୍ରବଳ ମୁହାଁମୁହିଁ ହୋଇଛି । ନଡ୍ଡା, ତାଙ୍କ ମନ୍ତବ୍ୟ ଫେରାଇ ନେଲେ । କିନ୍ତୁ ୪ ଶହ ପାରର ନାରା ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପିକୁ ୨୪୦ ଡିଆଁଇ ପାରିଲେ ନାହିଁ । ତେଣୁ, ଏଠି ଗ୍ରାଉଣ୍ଡରେ ଏମିତି କଣ ହେଲା ଯେ, ବିଜେପି ୨୪୦ରେ ସୀମିତ ରହିଗଲା ! … ଏହି ଦୁଇ ନିର୍ବାଚନର ଫଳାଫଳ ଏବଂ ସେତେବେଳର ରାଜନୈତିକ ସ୍ଥିତିକୁ ପୃଥକ ଭାବେ ବିଶ୍ଳେଷଣ କରାଯାଇ, ଯଦି ତୁଳନାତ୍ମକ ଭାବେ ଅନୁଶୀଳନ କରାଯାଏ, ତେବେ ଅନେକ କିଛି ସାଦୃଶ୍ୟତା ଦୃଶ୍ୟମାନ ହୋଇପାରିବ ।…
ଗୋଟିଏ କଥା ଅନୁଭବ ହେଉଛି ଯେ, ଏବେ ବି ବିଜେପି, ଆରଏସଏସ ନିୟନ୍ତ୍ରଣରେ ରହିଛି । ୭୫ ବର୍ଷ ଅବସର ବୟସ ସୀମା ଆରଏସଏସରେ ନଥିବା ବେଳେ ମୋହନ ଭାଗବତ କିନ୍ତୁ କହିଛନ୍ତି, ୭୫ ବର୍ଷ ପରେ ବ୍ୟକ୍ତିକୁ ପବ୍ଲିକ ଲାଇଫରୁ ଅବସର ନେଇଯିବାର ଅଛି । ଭାଗତବତଙ୍କ ମୁହଁରୁ ଏଭଳି ମନ୍ତବ୍ୟ ଆସିବା ପରେ ଅମିତ ଶାହ ମଧ୍ୟ ତାଙ୍କ ରିଟାୟାରମେଣ୍ଟ ପ୍ଲାନିଂ ଘୋଷଣା କରି ସାରିଛନ୍ତି । ରାଜନୀତିରୁ ଅବସର ନେବା ପରେ ସେ, ବେଦ ଏବଂ ଉପନିଷେଦ ପଢ଼ିବା ସହ ଜୈବିଷ ଚାଷ କରିବେ ବୋଲି କହିଛନ୍ତି । ଶାହଙ୍କୁ ଏବେ ମାତ୍ର ୬୧ ବର୍ଷ । ତେବେ ୧୪ ବର୍ଷ ପୂର୍ବରୁ ସେ ଏମିତି ଘୋଷଣା କାହିଁକି କଲେ ! … ସେହିଭଳି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମଧ୍ୟ କହିଛନ୍ତି, ୨୦୨୭ ଅଗଷ୍ଟରେ ସେ ପବ୍ଲିକ ଲାଇଫରୁ ଅବସର ନେବେ । ଅବଶ୍ୟ ତାହା ସେ ଭଗବାନଙ୍କ ଉପରେ ତାହା ଛାଡ଼ି ଦେଇଛନ୍ତି… । ଏପଟେ, କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ କହିଲେଣି, ସେ ଆଉ ନିର୍ବାଚନ ଲଢ଼ିବେନି । ଅବଶ୍ୟ ରାଜ୍ୟସଭା ଓ ରାଜ୍ୟପାଳ ପଦ ପାଇଁ ସେ ତାଙ୍କ ଅପସନ୍ ସମ୍ପୂର୍ଣ୍ଣ ଖୋଲା ରଖିଛନ୍ତି ।…
କ୍ରୀଡ଼ା ଜଗତରୁ ଅବସର ନେବାର ଅଛି ତ, ଫର୍ମରେ ଥିବା ବେଳେ ନିଅ । କାରଣ, ଲୋକେ ଯେମିତି ଆପଣଙ୍କ ଅବସରକୁ ଅପ୍ରତ୍ୟାଶିତ ଭାବୁଥିବେ ଏବଂ କହୁଥିବେ ମଧ୍ୟ । ଠିକ ଯେମିତି କ୍ରିକେଟରୁ ସୁନୀଲ ଗାଭାସ୍କରଙ୍କ ଅବସର କ୍ରିକେଟ ପ୍ରେମୀଙ୍କ ପାଇଁ ଥିଲା ଅପ୍ରତ୍ୟାଶିତ । କିନ୍ତୁ ସୌରଭ ଗାଙ୍ଗୁଲିଙ୍କ ପାଇଁ ଗଣମାଧ୍ୟମକୁ ‘Ganguly Must Go’ ଶୀର୍ଷକରେ ସଂପାଦକୀୟ ଲେଖିବାକୁ ପଡ଼ିଲା । ପୁଣି ସେମିତିରେ ଦେଖିବାକୁ ଗଲେ, ସରକାରୀ କର୍ମଚାରୀ ତ ପୁଣି ୬୦ ବର୍ଷରେ ଅବସର ନେଉଛନ୍ତି ନା ! ତେଣୁ ରାଜନେତାଙ୍କ କ୍ଷେତ୍ରରେ ତାହା ସମ୍ଭବ ହେବାରେ ଅସୁବିଧା ରହୁଛି କେଉଁଠି ! ସେପଟେ ବିଶ୍ବର ସର୍ବ ପୁରାତନ ଗଣତନ୍ତ୍ର ଆମେରିକାର ସମ୍ବିଧାନ ଅନୁଯାୟୀ, ୨ ଥର ରାଷ୍ଟ୍ରପତି ହୋଇ ସାରିଥିବା ବ୍ୟକ୍ତି ତୃତୀୟ ଥର ରାଷ୍ଟ୍ରପତି ନିର୍ବାଚନ ଆଦୌ ଲଢ଼ିପାରିବେ ନାହିଁ । ତେଣୁ ବିଶ୍ବର ସର୍ବବୃହତ ଗଣତନ୍ତ୍ର, ଭାରତ କ୍ଷେତ୍ରରେ, ଯଦି ସେହିଭଳି କିଛି ହୁଏ, ତେବେ ଅସୁବିଧା ରହୁଛି କେଉଁଠି ! ତେଣୁ, ଚାହିଁଲେ, ସବୁକିଛି ହୋଇପାରିବ, କିଛି ନହୋଇ ବି ପାରିବ…











