ସିନ୍ଦୂର ନୁହେଁ ଖେଳ ଘର…
BHUBANESWAR: ସିନ୍ଦୂର…. ହାଟ କିମ୍ବା ବଜାରରେ ମିଳୁଥିବା ଏକ ସାମଗ୍ରୀ ସତ । ଠିକ ସେହିପରି ମଙ୍ଗଳ ସୂତ୍ର ମଧ୍ୟ । ଏହି ଦୁଇ ସାମଗ୍ରୀର ବଜାର ମୂଲ୍ୟ ରହିଛି ନିଶ୍ଚିତ । ହେଲେ, ହାଟ ବଜାରର ଏହି ଦୁଇ ସାମଗ୍ରୀ କିଣା ହୋଇ ଘରକୁ ଆସିବା ପରେ ତାର ମୂଲ୍ୟ, ଅମୂଲ ହୋଇଯାଇ ଥାଏ । ସେହି ସିନ୍ଦୂର ଜଣେ ବିବାହିତା ମହିଳାର ମଥା କିମ୍ବା ସିମନ୍ତରେ ଲାଗିଯିବା ପରେ… ସେହି ମଙ୍ଗଳ ସୂତ୍ର ବିବାହିତା ମହିଳାର ଗଳାର ମାଳା ହୋଇସାରିବା ପରେ… ଏହି ଦୁଇ ସାମଗ୍ରୀର ମୂଲ୍ୟାୟନ କେହି ସ୍ଥିର କରିଛନ୍ତି କି… ନା ସ୍ଥିର କରିପାରିବେ ! ଏହି ଦୁଇ ସାମଗ୍ରୀର ମୂଲ୍ୟାୟନ କରିବାର ଅଧିକାର କାହାର ନାହିଁ । କାରଣ, ମଙ୍ଗଳ ସୂତ୍ର ଓ ସନ୍ଦୂରର ଶକ୍ତି ସ୍ବତନ୍ତ୍ର । ମଙ୍ଗଳ ସୂତ୍ର ଓ ସିନ୍ଦୂର ଏମିତି ଏକ ଶକ୍ତିର ସୂତ୍ରରେ ସତ୍ତାୟିତ, ଯାହାକୁ ଏ ଦୁନିଆର କୌଣସି ବି ଶକ୍ତି ମୂଲ୍ୟାୟନ କରିପାରିବ ନାହିଁ । କିନ୍ତୁ ମଙ୍ଗଳ ସୂତ୍ରକୁ ନେଇ ଏ ଦେଶର ନିର୍ବାଚନୀ ରାଜନୀତି ହୋଇଛି ସରଗରମ । ଠିକ ସେହିପରି ପହଲଗାମ୍ ଆତଙ୍କୀ ହମଲା ପରେ, ଭାରତୀୟ ନାରୀର ସର୍ବସ୍ବ ସିନ୍ଦୂର ହୋଇଛି ସାରା ବିଶ୍ବରେ Buzz Word ।
ସତରେ, ସିନ୍ଦୂରର ଶକ୍ତି ସ୍ବତନ୍ତ୍ର…
ସିନ୍ଦୂରର ଶକ୍ତି ସ୍ବତନ୍ତ୍ର । ସିନ୍ଦୂର… ଏହା ଏମିତି ଏକ ଶବ୍ଦ, ଏମିତି ଏକ ସମ୍ପତ୍ତି, ଯାହା ସହ ଅନ୍ୟ କୌଣସି ସାମଗ୍ରୀ କିମ୍ବା ସମ୍ପତ୍ତି ତୁଳନୀୟ ନହେଁ । ସିନ୍ଦୂର, କେବେ, କାହାକୁ ପର କରିନି, ବରଂ ଅନେକଙ୍କୁ କରିଛି ନିଜର । ବାପ ଘର ଲୋକଙ୍କ ସହ, ନିଜ ବା ଶାଶୂଘର ଲୋକଙ୍କୁ ନିଜର କରିଛି । ସତ କହିବାକୁ ଗଲେ, ସବୁ ଏଇ ସିନ୍ଦୂରର କମାଲ ।
ବିବାହ ବେଦୀରେ ସଦ୍ୟ ପାଣିଗ୍ରହୀତା ସ୍ତ୍ରୀର ସୀମନ୍ତରେ ସିନ୍ଦୂର ଲଗାଇ ଦେବାର ଦୃଶ୍ୟ, ସବୁ ଦମ୍ପତିଙ୍କ ପାଇଁ ଚିରସ୍ମରଣୀୟ ଏବଂ ଅବିସ୍ମରଣୀୟ ମଧ୍ୟ ।
ସିନ୍ଦୂର ପରିଧାନର ଆବଶ୍ୟକତା…
ମଥାରେ, ମାଆ ସାବିତ୍ରୀଙ୍କ ନାମରେ । ସୀମନ୍ତରେ, ମାଆ ଲକ୍ଷ୍ମୀଙ୍କ ନାମରେ । କଣ୍ଠରେ, ମାଆ ସରସ୍ବତୀଙ୍କ ନାମରେ । ଶଙ୍ଖାରେ, ମାଆ ଦୁର୍ଗାଙ୍କ ନାମରେ । କାନରେ, ମାଆ କାଳୀଙ୍କ ନାମରେ । ଜଣେ ବିବାହିତା ମହିଳା ଗାଧୋଇ ସାରି, ଏହି ୫ ଦେବୀଙ୍କ ନାମରେ ସିନ୍ଦୂର ନାଇଥାଏ । ସିନ୍ଦୂର ନାଇବା ପରେ ତାଠାରେ ଏହି ୫ ଦେବୀ ହିଁ ଆବିର୍ଭାବ ହୋଇଥାନ୍ତି । ସିନ୍ଦୂର କେବଳ ନାରୀର ସୌନ୍ଦର୍ଯ୍ୟ ନୁହେଁ, ଏହା ତା ପରିବାରର ସୌନ୍ଦର୍ଯ୍ୟ ମଧ୍ୟ । ଆଉ ଏ ସମାଜର ବି…
ଟ୍ରାଫିକ୍ ପୋଷ୍ଟର Red Signal ଭଳି, ନାରୀ ମଥାର ସିନ୍ଦୂର, ସୁଦୂର ସୁଦୃଶ୍ୟମାନ । ନାଲି ରଙ୍ଗକୁ ବିପଦର ସଙ୍କେତ ବୋଲି କୁହାଯାଏ, ଆଉ ଏହାକୁ ବିପଦର ସଙ୍କେତ ଭାବେ ବ୍ୟବହାର କରାଯାଏ, କେବଳ ତାର ସ୍ବତନ୍ତ୍ର Wavelength ପାଇଁ । ପରିସ୍ଥିତି କିମ୍ବା ପରିବେଶ ଯେତେ ପ୍ରତିକୂଳ ହେଉନା କାହିଁକି, ନାଲି ରଙ୍ଗ ହିଁ ଯଥେଷ୍ଟ ଦୂରରୁ ସମସ୍ତଙ୍କୁ କରି ଦେଇଥାଏ ସତର୍କ । … ରହିଯାଅ, ଆଗରେ ବିପଦ…
କିନ୍ତୁ ପହଲଗାମରେ ହେଲା କଣ… କିଛି ନିର୍ଦ୍ଦିଷ୍ଟ ଆତଙ୍କବାଦୀ, କିଛି ମହିଳାଙ୍କ ମଥାର ସିନ୍ଦୂର ସବୁଦିନ ପାଇଁ ଲିଭାଇ ଦେଲେ । ବିପଦ ସଙ୍କେତ ଡେଇଁ ବିପଦକୁ ବରଣ କଲେ ସେମାନେ । ଯାହାର Aftermath ହେଉଛି Operation Sindoor । ହେଲେ ସେହି ନିର୍ଦ୍ଦିଷ୍ଟ ଆତଙ୍କବାଦୀଙ୍କୁ ସଜା ମିଳିଛି ତ ! ନା, ୨୦୨୪ ସାଧାରଣ ନିର୍ବାଚନ ବେଳେ ବିବାହିତା ମହିଳାଙ୍କ ବେକର ମଙ୍ଗଳ ସୂତ୍ରକୁ ନେଇ ଯେଉଁ ରାଜନୀତି ହୋଇଥିଲା, ଏବେ ସିନ୍ଦୂରକୁ ନେଇ ସେହିପରି ରାଜନୈତିକ ରୋଟି ସେକା ଚାଲିଛି !
ମଙ୍ଗଳସୂତ୍ର ଓ ସିନ୍ଦୂର କେବେ ରାଜନୈତିକ ସାମଗ୍ରୀ ନୁହେଁ । ଏହି ଦୁଇଟି ମଧ୍ୟ ଭାରତୀୟ ହିନ୍ଦୁ ନାରୀ ପାଇଁ କେବେ ବି ସାମଗ୍ରୀ ନୁହେଁ, ଏ ଦୁଇଟି କେବଳ ତାର ନିଜସ୍ବ ସମ୍ପତ୍ତି ।
କିଏ କହିପାରେ, ସିନ୍ଦୁର ଓ ମଙ୍ଗଳସୂତ୍ର ବାଟର ହାଟ ସଉଦା । କିନ୍ତୁ ଏ ଦୁଇଟି ସ୍ରଷ୍ଟାଙ୍କର ଏଭଳି ସୃଷ୍ଟି, ଯାହା ପରିସ୍ଥିତି ପଡ଼ିଲେ ସୃଷ୍ଟି ଏବଂ ସ୍ରଷ୍ଟାଙ୍କ ଶେଷ କରିଦେଇ ପାରେ, କିନ୍ତୁ ସତ୍ତାର ନୁହେଁ । ଠିକ ଏମିତି ଦିନେ, ବିପଦ ସଙ୍କେତ ଡେଇଁ ବିପଦକୁ ବରଣ କରିଥିଲେ ଲଙ୍କାର ରାଜା ରାବଣ । ଆଉ, ମାତା ସୀତାଙ୍କ ମଥାର ସିନ୍ଦୂରର ପ୍ରଭାବ, ରାବଣଙ୍କ ସୁନାର ଲଙ୍କାର ଅବସ୍ଥା ଯାହା କଲା, ତାରା ରାମାୟଣରେ ବର୍ଣ୍ଣିତ ହୋଇ ରହିଛି । ଠିକ ସେହିଭଳି ସିନ୍ଦୂରକୁ ନେଇ ଯଦି କେହି ରାଜନୀତି କରିଥାଏ ବା କରୁଥାଏ ବା ପୁଣି କରିବାକୁ ଚେଷ୍ଟା କରେ ବା ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରିଥାଏ, ତେବେ ସ୍ପଷ୍ଟ ଭାବେ ଜାଣିବାକୁ ହେବ ଯେ, ସେ ବିପଦ ସହ ଖେଳୁଛି… ବିପଦକୁ ବରଣ କରୁଛି ।
ସିନ୍ଦୂର କେବେ ବି ଏକ ଖେଳ କିମ୍ବା ରାଜନୈତିକ ସାମଗ୍ରୀ ନୁହେଁ । ଏହା କେବଳ ବିବାହିତା ନାରୀର ସମ୍ପତ୍ତି, ଯାହା ଉପରେ ଅନ୍ୟ କାହାର ହସ୍ତକ୍ଷେପ କରିବା ଦୂର କଥା, ତିଳେ ମାତ୍ର ଅଧିକାର ମଧ୍ୟ ନାହିଁ । କାରଣ ବିବାହିତା ନାରୀର ସିନ୍ଦୂର ଯେଉଁ ୫ ଦେବୀଙ୍କୁ ଆବାହନ କରାଇଥାଏ, ସେହି ୫ ଦେବୀଙ୍କ ଆଶୀର୍ବାଦ, ପ୍ରଭାବ ଓ ପ୍ରକୋପ ପ୍ରାୟ ସମସ୍ତଙ୍କୁ ଜଣା । ତେଣୁ ଏଭଳି ସ୍ଥିତିରେ ସିନ୍ଦୂରକୁ କେବଳ ସମ୍ମାନ ଛଡ଼ା ଆଉ କିଛି ଦିଆଯାଇ ପାରିବ ନାହିଁ ।…