ହେ ନବ…, ତୁମକୁ ନେଲା କିଏ !
Bhubaneswar: ନବ ବାବୁ, କେଉଁଠି ଅଛନ୍ତି ? ସ୍ବାସ୍ଥ୍ୟମନ୍ତ୍ରୀ ଭାବେ କୋରୋନା ବେଳେ ଆପଣଙ୍କ ଦେଖା ନଥିଲା, କିନ୍ତୁ ଯେତେବେଳେ ଦେଖା ହେଲା, ତାର କିଛିଦିନ ପରେ ଆପଣ ଚାଲିଗଲେ । ନବ ବାବୁ, ବେଳ ପୂର୍ବରୁ ଏମିତି ଅବେଳରେ ଆପଣ ଗଲେ କାହିଁକି ? କିଏ, ଆପଣଙ୍କୁ କାହିଁକି ଆରପାରିକୁ ନେଇଗଲା ବା ପଠାଇ ଦେଲା ? ଆପଣଙ୍କ ମୃତ୍ୟୁ ତ ବର୍ତ୍ତମାନର ସରକାରୀ ରେକର୍ଡ ଅନୁସାରେ ସ୍ବାଭାବିକ ନୁହେଁ । କାହିଁକି ଆପଣଙ୍କ ମୃତ୍ୟୁ ଅସ୍ବାଭିକ ? କାହିଁକି ଆପଣ ଏଭଳି ଅସ୍ବାଭାବିକ ମୃତ୍ୟୁର ଶିକାର ହେଲେ ? ଆପଣ ତ ଜଣେ ସ୍ବାଭାବିକ ଲୋକ ତଥା ରାଜନେତା ଥିଲେ ନା ! ବ୍ୟକ୍ତିଗତ… ବ୍ୟାବସାୟିକ ଏବଂ ରାଜନୈତିକ ଜୀବନରେ… ତେବେ ସ୍ବାଭାବିକ ମୃତ୍ୟୁ ପୂର୍ବରୁ ହଠାତ ଏଭଳି ଅସ୍ବାଭାବିକ ମୃତ୍ୟୁ ଆସି ପହଞ୍ଚି ଯିବା ପଛର କାରଣ କଣ ହୋଇପାରେ ! ବ୍ୟକ୍ତିଗତ… ବ୍ୟାବସାୟିକ… ନା ରାଜନୈତିକ ! ନବ ବାବୁ, ଆପଣ ଏ ଇହଧାମରେ ନାହାନ୍ତି ସତ, କିନ୍ତୁ ଆପଣଙ୍କ ଅବର୍ତ୍ତମାନରେ ଏବେ ଏଠି ଯାହା ଚାଲିଛି, ତାହା କେବଳ ଆପଣ ହିଁ କହିପାରିବେ । କ୍ଷମା କରିବେ, ନବ ବାବୁ… ଆପଣଙ୍କ ଘର ଲୋକଙ୍କୁ ବି ଓଡ଼ିଶାର ଓଡ଼ିଆ ଲୋକେ ପରତେ ଯାଇପାରୁ ନାହାନ୍ତି । ଦୟାକରି ଏପ୍ରିଲ ଫୁଲ୍ ଫୂର୍ବରୁ, ଆପଣ ଉପରୁ ଥାଇ ଏ ପୂର୍ବାପର ପ୍ରସଙ୍ଗର ସମାଧାନ କିମ୍ବା ସମାଧାନର ସୁତ୍ର ବତାଇପାରିବେ କି ? ଆପଣଙ୍କ ଗଲା ପରେ ପରେ, ଗଣମାଧ୍ୟମ ଆଗରେ ସେତେବେଳେ ଆପଣଙ୍କ ଘର ଲୋକେ ଷଡ଼ଯନ୍ତ୍ରର ଗନ୍ଧ କଥା କହିଥିଲେ । କିନ୍ତୁ ସେତେବେଳର ସରକାର ଓ ସେତେବେଳର ସରକାରଙ୍କ ତ୍ବରିତ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଉପରେ ଭରସା ଏବଂ ବିଶ୍ବାସ ରଖିଥିବା ବି କହିବାକୁ ପଛାଇ ନଥିଲେ । ଗୁଳିବିଦ୍ଧ ହୋଇ ପଡ଼ିଥାଏ, ନବ ଦାସଙ୍କ ଶରୀର । ଘଟଣା ପରେ ପରେ ତୁରନ୍ତ ତାଙ୍କୁ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା । କିନ୍ତୁ ଭୁବନେଶ୍ବର ଏୟାର ଲିଫଟ କରିବାକୁ ପଡ଼ିଲା । ଭୁବନେଶ୍ବରରେ ଡାକ୍ତର ନବଙ୍କ ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ପହଞ୍ଚି ଯାଇଥିଲେ ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ କୁହନ୍ତୁ ବା ତାଙ୍କର ସେତେବେଳର ପ୍ରତୀକ ପିଏସ୍ ସାର୍, (Personal Secretary ବା ବିଜେଡି ନେତା ଓ କର୍ମୀଙ୍କ Pandian Sir) ଯାଉ ଯାଉ ନବ ଦାସଙ୍କ ଶରୀରରେ ଧଳା ଲୁଗା ଆଚ୍ଛାଦିତ ପୂର୍ବରୁ, ପୁଣି ଡାକ୍ତର ମୃତ ଘୋଷଣା କରିବା ପୂର୍ବରୁ ଦୁଇ ହାତ ଯୋଡ଼ି ଜୁହାର ପକାଇଥିଲେ । ଅବଶ୍ୟ ପ୍ରଥମେ ପାଣ୍ଡିଆନ୍ ପକାଇଥିଲେ, ତାଙ୍କ ପରେ ନବୀନ ବାବୁ ।
ଏବେ କ୍ରାଇମବ୍ରାଞ୍ଚ, ତଦନ୍ତର ଚୂଡ଼ାନ୍ତ ଚାର୍ଜସିଟ୍ ଫାଇଲ୍ କରିବା ପୂର୍ବରୁ ନବ ଦାସଙ୍କ ପରିବାରକୁ ନେଇ ଟ୍ରେଲର ଦେଖିବାକୁ ମିଳିଥିଲା । ଦୀପାଳି ଓ ତାଙ୍କ ଭାଇ ବିଶାଳ ଦାସଙ୍କୁ ସମନ୍ ହେବ ଏବଂ ହେଇ ସମନ୍ ହେଲା… କ୍ରାଇମବ୍ରାଞ୍ଚ ନବ ଦାସଙ୍କ ଘରେ ପହଞ୍ଚିବ, ହେଇ ପହଞ୍ଚିଲା । ଠିକ ସେହିଭଳି ମାର୍ଚ୍ଚ ୧୯ ତାରିଖରେ ନବ ଦାସଙ୍କ ପରିବାର ଲୋକେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବା ଏବଂ ସିବିଆଇ ତଦନ୍ତ ଦାବି କରିବା ଖବର, ଆପଣ କେଉଁ ଓଡ଼ିଆ ଗଣମାଧ୍ୟମରୁ ଅତି କମରେ ଗୋଟେ ଦିନ ଆଗରୁ ଦେଖିବାକୁ କିମ୍ବା ପଢ଼ିବାକୁ ପାଇଥିଲେ କି ? କିନ୍ତୁ ହଠାତ ଅପରାହ୍ନରେ ମିଳିଗଲା ବ୍ରେକିଂ ନ୍ୟୁଜ୍ । କାହିଁକି ଦେଢ଼ ବର୍ଷ ପରେ ନବ ଦାସଙ୍କ ପରିବାର ସିବିଆଇ ତଦନ୍ତ ଦାବି କରୁଛନ୍ତି ? ଯଦି ସେମାନେ ସିବିଆଇ ତଦନ୍ତ ଚାହୁଁଥିଲେ, କାହିଁକି ଆଗରୁ ଚାହୁଁ ନଥିଲେ ? କାହିଁକି ରାଜ୍ୟରେ ବିଜେଡି ସରକାର ଥିବା ବେଳେ ଏବଂ ନବଙ୍କ ଝିଅ ବିଜେଡିର ବିଧାୟିକା ଥିବା ବେଳେ ଏହି ଦାବି କରି ନଥିଲେ ? ଯଦି ପୂର୍ବର ବିଜେଡି ସରକାର ପାଖରେ, ସିବିଆଇ ତଦନ୍ତ ଦାବି କରିବାକୁ ସେତେବେଳର ବିଜେଡି ବିଧାୟିକାଙ୍କ ସତସାହସ ନଥିଲା, ଏବେ ଏତେ ସାହସ ଆସିଲା କେଉଁଠୁ ? ନବ ଦାସଙ୍କ ପରିବାର ଚାହିଁଥିଲେ, ସିବିଆଇ ତଦନ୍ତ ପାଇଁ ବହୁ ଆଗରୁ ହାଇକୋର୍ଟ ଯାଇପାରି ଥାନ୍ତେ, କିନ୍ତୁ ଗଲେନି କାହିଁକି ? ଯଦି ରାଜ୍ୟ ସରକାର, ସିବିଆଇ ତଦନ୍ତ ପାଇଁ ଅନୁମୋଦନ ନକରନ୍ତି, ତେବେ କଣ କରିବେ ନବ ଦାସଙ୍କ ସ୍ତ୍ରୀ, ଝିଅ ଓ ପୁଅ ? ସେତେବେଳର ବିଜେଡି ସରକାରକୁ ଅବମାନନା କରି ହାଇକୋର୍ଟ ଯିବାକୁ ସାହସ ଜୁଟାଇ ପାରି ନଥିବା ନବଙ୍କ ପରିବାର ବର୍ତ୍ତମାନର ବିଜେପି ସରକାରଙ୍କୁ ଚ୍ୟାଲେଞ୍ଜ କରି ହାଇକୋର୍ଟକୁ ଯାଇପାରିବେ ତ ! ସେତେବେଳର ପୋଲିସ ଏଏସଆଇ ବା ବର୍ତ୍ତମାନ ପୂର୍ବତନ ପୋଲିସ ଏଏସଆଇ ଗୋପାଳ ଦାସ କଣ ନବ ଦାସଙ୍କୁ ହତ୍ୟା କରି ନାହାନ୍ତି ! ଯଦି ସେ ହତ୍ୟା କରି ନାହାନ୍ତି, ତେବେ କେଉଁ ଆଧାରରେ ତାଙ୍କୁ ଗିରଫ କରି ଜେଲରେ ରଖାଯାଇଛି ! ଯଦି ଏହି ଘଟଣାରେ ଗୋପାଳଙ୍କ ସହ ଆଉ କାହାର ସଂପୃକ୍ତି ରହିଛି ତେବେ କ୍ରାଇମବ୍ରାଞ୍ଚ ଏତେ ଦିନ ଯାଏ, କାହିଁକି ସଂପୃକ୍ତ ସନ୍ଦିଗ୍ଧ ଅଭିଯୁକ୍ତଙ୍କ ଛାଇ ମାଡ଼ିପାରନି ? ଏବେ କଣ ହେବ କ୍ରାଇମବ୍ରାଞ୍ଚ ତଦନ୍ତର ଭାଗ୍ୟ ? ସେତେବେଳର ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗର କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ଥିବା ନବ ଦାସଙ୍କ ପରିବାର କିନ୍ତୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗର କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଭରସା ଓ ବିଶ୍ବାସ ରଖିପାରୁ ନାହାନ୍ତି । ଏଭଳି ସ୍ଥିତିରେ କେନ୍ଦ୍ରର ବିଜେପି ସରକାର ଅଧୀନରେ ଥିବା ସିବିଆଇ ତଦନ୍ତରେ ନବ ଦାସଙ୍କ ପରିବାରକୁ ଯେ ସନ୍ତୋଷ ମିଳିବ, ସେ ଗ୍ୟାରେଣ୍ଟି କିଏ ଦେବ ?
କ୍ରାଇମବ୍ରାଞ୍ଚରେ ଅଛନ୍ତି IPS, ସିବିଆଇରେ ବି ଅଛନ୍ତି IPS । ସିବିଆଇର ତଦନ୍ତ ପରିସର ଅଧିକ, କ୍ରାଇମବ୍ରାଞ୍ଚର ବି ତଦନ୍ତ ପରିସର କିଛି କମ ନାହିଁ । ଏଭଳି ସ୍ଥିତିରେ କ୍ରାଇମବ୍ରାଞ୍ଚ ଓ ସିବିଆଇ ତଦନ୍ତରେ କିଛି ଫରକ ଆସିବ ତ ! କୋଲକାତା ଆରଜି କର ମାମଲାର ତଦନ୍ତ ଭଳି ସିବିଆଇର ତଦନ୍ତ ହେବନି ତ ! ଯଦି ହୋଇଗଲା, ତେବେ କଣ ହେବ ତା ପରର ପରିଣତି ?
ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀଙ୍କୁ ହତ୍ୟା । ଅଭିଯୁକ୍ତ ଗିରଫ ହୋଇ ଜେଲରେ । ହେଲେ ଏଯାଏଁ ରାଜ୍ୟବାସୀ ଜାଣିପାରିଲେନି ନବ ଦାସଙ୍କ ହତ୍ୟା ପଛର କାରଣ । ଏଠି କହିବା କାହାକୁ, ଶୁଣିବ ବା କିଏ, କୁନ୍ଦୁଲି କଥା ଏଠି ନ ଉଠାଇବା ଭଲ । ଯଦି ପୂର୍ବ ସରକାର ଅମଳରେ କ୍ରାଇମବ୍ରାଞ୍ଚ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ଘଟଣାର ସଠିକ ତଦନ୍ତ କରିନି, ଏବେ କେନ୍ଦ୍ରର ବିଜେପି ସରକାର ଅଧୀନରେ ଥିବା ସିବିଆଇ କେମିତି ସାତ ତାଳ ପଙ୍କ ତଳୁ ସତ ବାହାର କରିଦେବ ବୋଲି ଆଶା କରିବା !
ନବ ଦାସ ହତ୍ୟାକାଣ୍ଡର କାରଣ ରାଜନୈତିକ ନା ବ୍ୟାବସାୟିକ, ତାହା ଏଯାଏଁ କ୍ରାଇମବ୍ରାଞ୍ଚ ଜାଣିପାରି ନଥିବା ବେଳେ ରାଜନୀତିର ପଶାପାଲିରେ ସ୍ବର୍ଗତ ନବଦାସଙ୍କ ପରିବାର । ପୂର୍ବର ବିଜେଡି ସରକାର ଅମଳରେ ତଦନ୍ତ ସଠିକ ବାଟରେ ଯାଉଛି ବୋଲି କହୁଥିବା ନବଙ୍କ ସେତେବେଳର ବିଧାୟିକା ଝିଅ, ଏବେ କାହିଁକି ସିବିଆଇ, ସିବିଆଇ ଭଜୁଛନ୍ତି ?
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନବ ଦାସଙ୍କ ପରିବାର ଭେଟି ସିବିଆଇ ତଦନ୍ତ ଦାବି କରିବା ପଛରେ ରାଜନୈତିକ ପଟ ଓ ରଙ୍ଗ ପରିବର୍ତ୍ତନ କରିବାର ଭିତିରି ଉଦ୍ଦେଶ୍ୟ ନାହିଁ ତ ! ହତ୍ୟାକାଣ୍ଡ ପରେ ସେତେବେଳର ବିଜେଡି ସରକାର ତୁରନ୍ତ କ୍ରାଇମବ୍ରାଞ୍ଚ ତଦନ୍ତ ଦେଇଥିବା ବେଳେ ନବ ଦାସଙ୍କ ପରିବାର, ଉଭୟ ସେତେବେଳର ବିଜେଡି ସରକାର ଓ କ୍ରାଇମବ୍ରଞ୍ଚ ଉପରେ ଉରସା ଓ ବିଶ୍ବାସ ଥିବା କହିଥିଲେ । କିନ୍ତୁ ଏବେ ରାଜ୍ୟରେ ସରକାର ବଦଳି ଯାଇଥିବା ବେଳେ ବା ପାୱାର୍ ସିଫ୍ଟ ହୋଇ ଯାଇଥିବା ବେଳେ ନବ ଦାସଙ୍କ ପରିବାରର ଭରସା ଏବଂ ବିଶ୍ବାସ ମଧ୍ୟ ସିଫ୍ଟ ହୋଇଯାଇଛି । କଣ ହୋଇପାରେ ଏହା ପଛର ଉଦ୍ଦେଶ୍ୟ ବା କାରଣ !
ନବ ବାବୁ, କେବଳ ଆପଣ ହିଁ ଏସବୁ ପ୍ରଶ୍ନର ଉତ୍ତର ଦେଇପାରିବେ । ନଚେତ ଆମେ ଜାଣିବୁ, ନବ ବାବୁ ନଥିବା ବେଳେ ନ’ ଛ’ ଲଗାଇ କିଛି ଲୋକ ରାଜନୀତି କରିବାକୁ ଚାହୁଁଛନ୍ତି, ଆଉ କିଛି ରାଜନୈତିକ ନାଟ ଦେଖିବାକୁ ଚାହୁଁଛନ୍ତି । ଏଇ ଯେମିତି ଭାରତର ବିପର୍ଯ୍ୟସ୍ତ ଅର୍ଥନୀତି ବେଳେ ୩ ଶହ ବର୍ଷ ତଳର ମୋଗଲ ଶାସକ ଔରଙ୍ଗଜେବ, ଏବେ ଭାରତୀୟ ରାଜନୀତି ଉପରେ ଭାରି ପଡ଼ିଛନ୍ତି…