ସତରେ କ’ଣ ରାଜନୈତିକ ନେତା ଓ ଦଳ ଲୁଟେରା, ଆଇଏଏସ୍ ଅଫିସର ସଚ୍ଚୋଟ ?
ଭୁବନେଶ୍ୱର,( ଓଡ଼ିଶା ଟାଇମ୍) – ବେସାମରିକ ସେବା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ ଏବେ ଆଲୋଚନାର ବିଷୟବସ୍ତୁ ପାଲଟଛି। ରାଜନୀତି କରୁଥିବା ନେତା ଓ ଦଳମାନେ ଲୁଟେରା ଓ ଆଇଏଏସ୍ ଅଫିସରମାନେ ସଚ୍ଚୋଟ। ତେଣୁ ସେମାନେ ରାଜନୈତିକ ଦଳ ଓ ନେତାମାନଙ୍କୁ ଜଗିବାକୁ ମୋଦି ଯେଉଁ ଆହ୍ୱାନ ଦେଇଚନ୍ତି ତାହା ଚିନ୍ତାର କାରଣ ହୋଇଛି।
୫୮୧ଜଣ ଆଇଏଏସ୍ ୟଅଫିସରଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ରୁଜ୍ଜୁ
କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ୨୦୨୧ ମାର୍ଚ୍ଚ ୧୦ ତାରିଖରେ ସଂସଦରେ ଦେଇଥିବା ବିବୃତି ଅନୁସାରେ ସେହି ବର୍ଷ ୫୮୧ଜଣ ଆଇଏଏସ୍ ଓ ଆଇପିଏସ୍ ଅଫିସରଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ରୁଜ୍ଜୁ କରାଯାଇଥିବାବେଳେ ୨୦୧୯-୨୦ରେ ୭୫୩ଜଣ ଓ ୨୦୧୮-୧୯ରେ ୬୪୩ଜଣ, ୨୦୧୭-୧୮ରେ ୬୨୩ଜଣ ୨୦୧୬-୧୭ରେ ୪୮୪ଜଣ ଓ ୨୦୧୫-୧୬ରେ ୩୮୦ଜଣଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ରୁଜ୍ଜୁ କରାଯାଇଛି। ୨୦୧୬ରୁ ୨୦୨୧ ସୁଦ୍ଧା ଆଇଏଏସ୍ ଅଫିସରଙ୍କ ବରୁଦ୍ଧରେ ୪୪ଟି ଓ ଆଇପିଏସ୍ ଅଫିସରଙ୍କ ବିରୁଦ୍ଧରେ ୧୨ଟି ଅସତ୍ ଉପାୟରେ ସମ୍ପତ୍ତି ଠୁଳ କରିବା ମାମଲା ରୁଜ୍ଜୁ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ ସଂସଦରେ କହିଥିଲେ । ଆଇଏଏସ୍ ଓ ଆଇପିଏସ୍ ଅଫିସରଙ୍କ ବିରୁଦ୍ଧରେ ଏହି ସବୁ ଦୁର୍ନୀତି ମାମଲା କେବଳ ବିଜେପି ନେତୃତ୍ୱାଧୀନ ମୋଦି ସରକାର ଅମଳରେ ହୋଇଛି।
ଏସିଆ ମହାଦେଶରେ ୩୯ ପ୍ରତିଶତ ଦୁର୍ନୀତି ମାମଲା ସହିତ ଭାରତ ସବୁଠାରୁ ଆଗରେ
ଅପରପକ୍ଷରେ ଟ୍ରାନ୍ସପାରେନ୍ସି ଇଣ୍ଟରନ୍ୟାସନାଲ ପକ୍ଷରୁ ଜାରୀ କରାଯାଇଥିବା ତଥ୍ୟ ଅନୁସାରେ ୧୮୦ଟି ଦେଶ ମଧ୍ୟରେ ୧୯୯୫ରୁ ୨୦୨୨ ମଧ୍ୟରେ ଭାରତର ଦୁର୍ନୀତି ହାର ୭୬.୮୬ ରହିଛି । ୨୦୧୧ ମସିହାରେ ସର୍ବାଧିକ ୯୫ ପ୍ରତିଶତ ରହିଥିବାବେଳେ ୧୯୯୫ରେ ସର୍ବନିମ୍ନ ୩୫ ପ୍ରତିଶତ ରହିଥିଲା। ମୋଦି ସରକାର କ୍ଷମତାକୁ ଆସିଥିବା ୨୦୧୪ରେ ଏହା ୮୫ ପ୍ରତିଶତ ଥିଲା। ଏହା ମଝିରା ହ୍ରାସ ପାଇଥିବାବେଳେ ୨୦୨୦ରେ ୮୬ ପ୍ରତିଶତକୁ ବୃଦ୍ଧି ପାଇଥିଲା । ୨୦୨୧ ଓ ୨୦୨୨ ଡିସେମ୍ବର ମାସ ସୁଦ୍ଧା ଏହି ହାର ୮୫ ପ୍ରତିଶତରେ ସ୍ଥିର ରହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। କେବଳ ସେତିକି ନୁହେଁ ଏସିଆ ମହାଦେଶରେ ୩୯ ପ୍ରତିଶତ ଦୁର୍ନୀତି ମାମଲା ସହିତ ଭାରତ ସବୁଠାରୁ ଆଗରେ ରହିଛି।
୫୦ ପ୍ରତିଶତ ରାଜନେତା ଦୁର୍ନୀତିରେ ଲିପ୍ତ
ଇଣ୍ଡିଆ ଟୁଡେ ୨୦୨୦ର ସର୍ଭେ ଅନୁସାରେ ଭାରତର ୫୦ ପ୍ରତିଶତ ରାଜନେତା ଦୁର୍ନୀତିରେ ଲିପ୍ତ ଥିବାବେଳେ ୧୯ ପ୍ରତିଶତ ପୁଲିସ୍, ୧୨ ପ୍ରତିଶତ ସରକାରୀ କର୍ମଚାରୀ ଓ ୬ ପ୍ରତିଶତ ବ୍ୟୁରୋକ୍ରଟମାନେ ଦୁର୍ନୀତିରେ ଲିପ୍ତ ଅଛନ୍ତି । ବ୍ୟବସାୟୀ, ଡାକ୍ତର ଓ ସାମ୍ବାଦିକମାନଙ୍କ ମଧ୍ୟରୁ ୩ ପ୍ରତିଶତ ଲେଖାଏଁ ଦୁର୍ନୀତିରେ ରହିଥିବା କୁହାଯାଇଛି।
ଦୁର୍ନୀତି ମାମଲାରେ ଓଡ଼ିଶା ୫ମ ସ୍ଥାନରେ
ଆଉ ଏକ ସର୍ଭେ ଅନୁସାରେ ୨୦୨୧ ସୁଦ୍ଧା ଦୁର୍ନୀତି ମାମଲା ତଦନ୍ତ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ୫ମରେ ରହିଛି। ଏହି ସର୍ଭେର ତଥ୍ୟ ଅନୁସାରେ ମହାରାଷ୍ଟ୍ରର ସର୍ବାଧିକ ୭୭୩ଟି ମାମଲା ଦନନ୍ତ ହୋଇଥିବାବେଳେ ରାଜସ୍ଥାନର ୫୦୧ଟି, ତାମିଲନାଡଉର ୪୨୩ଟି ଓ କର୍ଣ୍ଣାଟକର ୩୬୦ଟି ଦୁର୍ନୀତି ମାମଲାର ତଦନ୍ତ ହୋଇଛି। ଓଡ଼ିଶାରେ ୨୬୫ଟି ଦୁର୍ନୀତି ମାମଲାର ତଦନ୍ତ ହୋଇ ୫ମ ସ୍ଥାନରେ ରହିଛି।
ବିଜେଡିକୁ ସମାଲୋଚନା କରିବାର ଅଧିକାର ବିଜେପିର ନାହିଁ
ଗତ ୨୩ବର୍ଷ ହୋଲା କ୍ଷମତାରେ ଥିବା ବିଜେଡି ସରକାର ଅମଲାତାନ୍ତ୍ରିକ ସରକାରବୋଲି ୨୦୦୯ରୁ ବିଜେପି ମେଣ୍ଟରୁ ବାହାରିବା ପରେ ଅଭିଯୋଗ କରି ଆସୁଛି। ନେତାମାନଙ୍କ ଦୁର୍ନୀତିକୁ ଜଗିବାପାଇଁ ମୋଦି ଆଇଏଏସ୍ ଅଫିସରଙ୍କୁ ପରାମର୍ଶ ଦେଇଥିବାରୁ ରାଜ୍ୟ ବିଜେପି ନେତାମାନେ ଆଉ ବିଜେଡି ସରକାରକୁ ଅମଲାତାନ୍ତ୍ରିକବୋଲି କହିବାର ସୁଯୋଗ ରହିବ ନାହିଁ।
ଆଇଏଏସ୍ ଅଫିସରଙ୍କୁ କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି
ସିଭିଲ ସର୍ଭିସ ଦିବସରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶବାସୀଙ୍କ ଆଶା ପୂରଣ କରିବାପାଇଁ ଶୀଘ୍ର ନିଷ୍ପତ୍ତି ନେବାକୁ ପଡ଼ିବ। ଆମକୁ ପୂରା ଶକ୍ତି ସହ ଏକାଠି ହେବାକୁ ପଡ଼ିବ, ନିଷ୍ପତ୍ତି ଶୀଘ୍ର ନିଆଯିବ, ସେହି ନିଷ୍ପତ୍ତିଗୁଡ଼ିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ପଡ଼ିବ। ଭାରତର ସମୟ ଆସିଯାଇଛି। ଏଭଳି ସ୍ଥିତିରେ ଭାରତର ଅମଲାତନ୍ତ୍ରକୁ ଗୋଟିଏ ମୁହୂର୍ତ୍ତ ବି ହରାଇବାକୁ ପଡ଼ିବ ନାହିଁ, ତାହା ରାଜ୍ୟ ହେଉ କି କେନ୍ଦ୍ରରେ। ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଦେଶ ଆପଣଙ୍କ ଉପରେ ବହୁତ ବିଶ୍ୱାସ ରଖିଛି, ସେହି ବିଶ୍ୱାସକୁ ବଜାୟ ରଖ । ଆପଣଙ୍କ ସେବାରେ, ଆପଣଙ୍କ ନିଷ୍ପତ୍ତିର ଆଧାର ଜାତୀୟ ସ୍ୱାର୍ଥ ହେବା ଉଚିତ। ମୋର ବିଶ୍ୱାସ ଯେ ଆପଣମାନେ ମଧ୍ୟ ଏହି ମାନଦଣ୍ଡ ପୂରଣ କରିବେ। ଯେ କୌଣସି ଗଣତନ୍ତ୍ରରେ ରାଜନୈତିକ ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଜଣେ ପ୍ରଶାସନିକ ଅଧିକାରୀ, ଜଣେ ସରକାରୀ କର୍ମଚାରୀ ହିସାବରେ ପ୍ରତ୍ୟେକ ନିଷ୍ପତ୍ତିରେ ପ୍ରଶ୍ନର ଯତ୍ନ ନେବା ନିହାତି ଜରୁରୀ। କ୍ଷମତାକୁ ଆସିଥିବା ରାଜନୈତିକ ଦଳ ଦେଶର ଟିକସଦାତାଙ୍କ ଟଙ୍କା କୁଆଡ଼େ ବ୍ୟବହାର କରୁଛି, ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ସେହି ରାଜନୈତିକ ଦଳ ନିଜର ଭୋଟ୍ ବ୍ୟାଙ୍କ ନିର୍ମାଣପାଇଁ ସରକାରୀ ଟଙ୍କା ଲୁଟୁଛନ୍ତି, ନା ସମସ୍ତଙ୍କ ଜୀବନକୁ ସହଜ କରିବାପାଇଁ କାମ କରୁଛନ୍ତି, ସେହି ରାଜନୈତିକ ଦଳ ଟଙ୍କା ନେଇ ପ୍ରଚାର କରୁଛି, ଏହା ଦେଖିବାକୁ ପଡ଼ିବ। ସର୍ଦ୍ଦାର ପଟେଲ ଯେଉଁ ଅମଲାତନ୍ତ୍ରକୁ ଷ୍ଟିଲ୍ ଫ୍ରେମ୍ ଅଫ୍ ଇଣ୍ଡିଆ କହୁଥିଲେ, ତାହା ପୂରଣ ହେବା ଦରକାର, ଅମଲାତନ୍ତ୍ରରେ ଯଦି କୌଣସି ତ୍ରୁଟି ହୁଏ, ତେବେ ଦେଶର ଟଙ୍କା ଲୁଟ୍ ହେବ।