ଆସାମ ବନ୍ୟା ସଂକଟ: ଆଉ ୪ ମୃତ୍ୟୁ, ସଂଖ୍ୟା ୧୮ ଛୁଇଁଲା, ୬ ଲକ୍ଷରୁ ଅଧିକ ପ୍ରଭାବିତ

ଦିସପୁର,(ଓଡିଶା ଟାଇମ୍):ଆସାମ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି। ବନ୍ୟା ଯୋଗୁ ଆଉ ୪ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ସେହିପରି ଆଉକିଛି ନୂଆ ଏରିଆକୁ ବନ୍ୟାଜଳ ପ୍ରବେଶ କରିଥିବାରୁ ରାଜ୍ୟରେ ୩୧ ଟି ଜିଲ୍ଲା ପ୍ରଭାବିତ ହୋଇଛନ୍ତି। ଶନିବାର ଆସାମ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ବନ୍ୟା ଜଳ ଅତି ଧୀରେ ଧୀରେ କମୁଥିବାରୁ ଅଧିକ ଲୋକ ପ୍ରଭାବିତ ହେଉଛନ୍ତି ବୋଲି ଆସାମ ଷ୍ଟେଟ୍ ଡିଜାଷ୍ଟର ମ୍ୟାନେଜ୍‌ମେଣ୍ଟ ଅଥୋରିଟି(ASDMA) କହିଛି।

ରାଜ୍ୟରେ ନାଗାଓଁ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି। ଜିଲ୍ଲାରେ ୩.୩୯ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ତା ପଛକୁ ଚାଚର ଜିଲ୍ଲାରେ ୧.୭୭ ଲକ୍ଷ, ହୋଜାଇରେ ୭୦,୨୩୩ ଲୋକ ପ୍ରଭାବିତ ହୋଇଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ୭୪,୯୦୭ ପ୍ରଭାବିତ ଲୋକଙ୍କୁ ୨୮୨ ରିଲିଫ କ୍ୟାମ୍ପରେ ରଖାଯାଇଛି। ସେହିପରି ୨୧୪ ରିଲିଫ୍ ବଣ୍ଟନ କେନ୍ଦ୍ର କାର୍ଯ୍ୟ କରୁଛି ବୋଲି ASDMA ସୂଚନା ଦେଇଛି।

ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଆର୍ମି, ପାରାମିଲିଟାରୀ ଫୋର୍ସ, ଏନ୍‌ଡିଆର୍‌ଏପ୍‌, ଏସ୍‌ଡିଆର୍‌ଏଫର ପ୍ରଶିକ୍ଷିତ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହିତ ରିଲିଫ ପରିଚାଳନାରେ ନିୟମିତ କାର୍ଯ୍ୟ ଜାରି ରଖିଛନ୍ତି। ବନ୍ୟା ଯୋଗୁ କିଛି ଟ୍ରେନ୍ ମଧ୍ୟ ବାତିଲ କରାଯାଇଛି। ପୂର୍ବୋତ୍ତର ଫ୍ରଣ୍ଟିୟର ରେଳବାଇ ବିଜ୍ଞପ୍ତି ଜାରି କରି କହିଛି ଯେ ଲମଦିନ ଓ ବଦରପୁର ହିଲ୍ ସେକ୍‌ସନରେ ଅନେକ ସ୍ଥାନରେ ପାଣି ଜମିବା ଓ ମାଟି ଅତଡ଼ା ଖସିବା କାରଣରୁ ୧୧ ଯୋଡ଼ା ଟ୍ରେନ୍ ବାତିଲ କରାଯାଇଛି।

ସେହିପରି ୫ ଯୋଡ଼ା ଟ୍ରେନ୍‌ର ସ୍ୱଳ୍ପ ସମୟ ପାଇଁ ବନ୍ଦ କରାଯାଇଛି। ବନ୍ୟାରେ ପ୍ରଭାବିତ ଅଞ୍ଚଳମାନଙ୍କରେ ନଦୀବନ୍ଧ,ରାସ୍ତା, ପୋଲ, ଘର ଏବଂ ଅନ୍ୟସବୁ ନିର୍ମାଣ କ୍ଷତିଗ୍ରସ୍ତ ହୋଇଛି ବୋଲି ASDMA ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *