ଆଣ୍ଡାମାନ ନିକୋବରରେ ପହଞ୍ଚିଲା ମୌମୁମୀ, ରଜ ସୁଦ୍ଧା ଓଡ଼ିଶା ଛୁଇଁବା ସମ୍ଭାବନା
ଭୁବନେଶ୍ୱର,(ଓଡ଼ିଶା ଟାଇମ୍): ବାତ୍ୟା ‘ଆସାନି’ ପରେ ପୁଣିଥରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଏହାରି ମଧ୍ୟରେ ପୁଣିଥରେ ପାଣିପାଗ ପରିବର୍ତ୍ତନ ହେବାକୁ ଯାଉଛି । ଆଣ୍ଡାମାନ ସାଗରରେ ପ୍ରବେଶ କରିଛି ମୌସୁମୀ ବାୟୁ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁଛି । ତେବେ ଓଡ଼ିଶାରେ ରଜ ସୁଦ୍ଧା ମୌସୁମୀ ଆସିବ ବୋଲି ସ୍ପଷ୍ଟ କରିଛନ୍ତି ପାଣିପାଗ ବିଜ୍ଞାନୀ ଆର.କେ ଜେନାମଣି । ବର୍ତ୍ତମାନ ଦେଶର ପ୍ରାୟ ଅଧିକାଂଶ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତେଣୁ ଏଭଳି ସ୍ଥିତିରେ ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀର ଶୀଘ୍ର ଆଗମନ ଲୋକଙ୍କ ପାଇଁ ଆଶ୍ୱସ୍ତି ଆଣିପାରେ ।
ଅନ୍ୟପଟେ ଆଜି ରାଜ୍ୟର ୯ ଜିଲ୍ଲାରେ ବଜ୍ରପାତ ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର ଓ କଟକ। ଏହି ସବୁ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବ। ଏହାଛଡ଼ା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ ସୁନ୍ଦରଗଡ଼ର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷାର ବି ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।