ଇସ୍ତଫା ଦେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ
ତ୍ରିପୁରା,(ଓଡ଼ିଶା ଟାଇମ୍):ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ଶନିବାର ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବିପ୍ଳବ ଦେବ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏବେ ବିଧାୟକ ଦଳ ବୈଠକରେ ନୂତନ ମୁଖ୍ୟମନ୍ତ୍ରୀ କିଏ ହେବ ତାର ଚୟନ କରାଯିବ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିପ୍ଳବ ଦେବ କହିଛନ୍ତି, ପାର୍ଟିର ନିଷ୍ପତ୍ତି ସର୍ବୋପରି। ସଂଗଠନକୁ ମଜବୁତ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନେଇଛି। ଗତକାଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କୁ ବିପ୍ଳବ ଭେଟିଥିଲେ।
ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ତ୍ରିପୁରାରେ ବିଜେପି ବିଧାୟକ ଦଳର ବୈଠକ ବସିବ। ଏଥିରେ ନୂତନ ମୁଖ୍ୟମନ୍ତ୍ରୀ ନାମ ଉପରେ ନିଷ୍ପତ୍ତି ନିଆଯିବ। ଏନେଇ ବିଜେପି ହାଇକମାଣ୍ଡଙ୍କ ତରଫରୁ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଯାଦବ ଏବଂ ବିଜେପି ସାଧାରଣ ସଂପାଦକ ବିନୋଦ ତାଓ୍ଵଡେଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି।
ବିପ୍ଳବ କୁମାର ଦେବଙ୍କ ଛବି ତ୍ରିପୁରାରେ ବିଜେପିର ସବୁଠୁ ବଡ ଚେହେରା ଭାବେ ରହି ଆସିଛି। ୨୦୧୮ ତ୍ରିପୁରା ବିଧାନସଭା ନିର୍ବାଚନରେ ବିପ୍ଳବ ଦେବ ଦଳର ସବୁଠୁ ବଡ ଚେହେରା ମଧ୍ୟ ରହିଥିଲେ। ରାଜ୍ୟରେ ୨୫ ବର୍ଷର ପୁରୁଣା ବାମପନ୍ଥୀ ସରକାରଙ୍କୁ ହରାଇ ବିଜେପି ରାଜ୍ୟରେ ପ୍ରଥମ ସରକାର ଗଢିଥିଲା। ଏଥିରେ ବିପ୍ଳବ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ତ୍ରିପୁରାର ମୁଖ୍ୟମନ୍ତ୍ରୀ ହେବା ପରେ ସର୍ବଦା ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଥିଲେ ବିପ୍ଳବ ଦେବ। ତାଙ୍କୁ ନେଇ ଦଳ ସଂଗଠନରେ ଅସନ୍ତୋଷର ମାହୋଲ ଲାଗି ରହିଥିଲା। ଏପରିକି ଦୁଇ ଜଣ ବିଧାୟକ ପାର୍ଟି ଛାଡି ଦେଇଥିଲେ। ଏମିତି ସ୍ଥିତିରେ ବିଧାନସଭା ନିର୍ବାଚନର ରଣନୀତିକୁ ନେଇ ବିଜେପି କୌଣସି ରିସ୍କ ଉଠାଇବାକୁ ଚାହୁଁନଥିଲା। ଦିନକୁ ଦିନ ବିପ୍ଳବ ଦେବଙ୍କ ଉପରେ ଇସ୍ତଫାର ଚାପ ବଢିବାରେ ଲାଗିଥିଲା। ଏହି କ୍ରମରେ ଶନିବାର ବିପ୍ଳବ ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଉଲ୍ଲେଖନୀୟ ୨୦୨୩ରେ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ଗୁଜରାଟ ପରି ତ୍ରିପୁରାରେ ମନ୍ତ୍ରୀଠୁ ନେଇ ସାଂଗଠନିକ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇପାରେ। ଇସ୍ତଫା ପରେ ବିପ୍ଳବ ସଂଗଠନରେ କୌଣସି ପଦ ସମ୍ଭାଳି ପାରନ୍ତି।