ପାକିସ୍ତାନର ପରବର୍ତ୍ତି ପ୍ରଧାନମନ୍ତ୍ରୀ ହୋଇପାରନ୍ତି ନୱାଜ ସରିଫଙ୍କ ଭାଇ ଶେହୱାଜ ସରିଫ
ଇସଲାମାବାଦ, (ଓଡିଶା ଟାଇମ୍): ନିଜ ଆସନ ବଞ୍ଚାଇବାକୁ ଶତ ଚେଷ୍ଟା କରି ଶେଷରେ ବିଫଳ ହୋଇଛନ୍ତି ପାକିସ୍ତାନ ତେହେରିକ-ଏ ଇନ୍ସଫା ଫାର୍ଟିର ମୁଖ୍ୟ ଇମ୍ରାନ ଖାନ। ଅନାସ୍ଥ ପ୍ରସ୍ତାବରେ ହାରିବା ପରେ ତାଙ୍କ ପ୍ରଧାନମନ୍ତ୍ରୀ ଆସନ ଯାଇଛି। ଏବେ ତାଙ୍କ ସ୍ଥାନରେ ପାକିସ୍ତାନ ମୁସ୍ଲିମ ଲିଗ୍ର ନୱାଜର ନେତା ଶେହବାଜ ସରିଫ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ବିରୋଧୀ ଦଳଗୁଡ଼ିକ ରବିବାର ଶେହବାଜଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବାଛିଚନ୍ତି। ଏନେଇ ପାକିସ୍ତାନ ନ୍ୟୁଜ୍ ଚ୍ୟାନେଲ୍ ଆର୍ଯ୍ୟା ନ୍ୟୁଜ୍ରେ ରିପୋର୍ଟ ପ୍ରକାଶ ପାଇଛି।
ସୂଚନା ଥାଉକି, ଶେହବାଜ୍ ପାକିସ୍ତାନ ପଞ୍ଜାବରେ ୩ ଥର ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି। ଏପଟେ ବିଲାୱାଲ ଭୁଟ୍ଟୋଙ୍କର ମଧ୍ୟ ରାଜନୈତିକ ଭିତ୍ତିଭୂମି ମଜଭୁତ ରହିଛି। ବିଲାୱାଲ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋ ଓ ପୂର୍ବତନ ରାଷ୍ଟ୍ରପତି ଅସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କ ପୁଅ। ସେହିପରି ପୂର୍ବତନ ପାକ ରାଷ୍ଟ୍ରପତି ଜୁଲ୍ଫିକର ଅଲ୍ଲୀ ଭୁଟ୍ଟୋ ହେଉଛନ୍ତି ବିଲାୱଲଙ୍କ ଅଜା।
ଶନିବାର ମଧ୍ୟ ରାତ୍ରୀରୁ ଆସ୍ଥା ଭୋଟ୍ ହାରିବା ପରେ ପ୍ରଧାନମନ୍ତ୍ରୀ ପଦରୁ ବିଦା ହୋଇଛନ୍ତି ଇମ୍ରାନ। ବିରୋଧୀ ଦଳ ପକ୍ଷରୁ ତାଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଶନିବାର ବିଳମ୍ବିତ ରାତିରେ ସଂସଦ (ନ୍ୟାସନାଲ ଆସେମ୍ବ୍ଲି)ରେ ଭୋଟିଂ ହୋଇଥିଲା। ସଂସଦର ମୋଟ ସଦସ୍ୟ ସଂଖ୍ୟା ହେଉଛି ୩୪୨। ସେଥିମଧ୍ୟରୁ ଇମ୍ରାନଙ୍କୁ ହଟାଇବାକୁ ୧୭୨ ଭୋଟ ଆବଶ୍ୟକ ଥିଲା ବେଳେ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୭୪ ଭୋଟ ପଡ଼ିଥିଲା। ଯାହାଫଳରେ ୬୯ ବର୍ଷୀୟ ଇମ୍ରାନଙ୍କୁ ଗାଦିଚ୍ୟୁତ ହେବାକୁ ପଡିଛି। ଅନାସ୍ଥା ପ୍ରସ୍ତାବ ବଳରେ ଗାଦିଚ୍ୟୁତ ହେବାରେ ସେ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଶନିବାର ବିଳମ୍ବିତ ରାତିରେ ଇମ୍ରାନ ପ୍ରଧାନମନ୍ତ୍ରୀ ହାଉସ୍ ଛାଡ଼ିଦେବା ସହ ନିଜର ବ୍ୟକ୍ତିଗତ ଘରକୁ ଚାଲିଯାଇଥିବା ସ୍ଥାନୀୟ ଗଣମାଧ୍ୟମରୁ ଜଣାପଡ଼ିଛି ।