ସୋଆର ନୂତନ ଚାନ୍ସଲର ହେଲେ ପ୍ରଫେସର ଦେବୀ ପ୍ରସାଦ ରାୟ
ଭୁବନେଶ୍ବର, (ଓଡିଶା ଟାଇମ୍): ବିଶିଷ୍ଟ କୃଷି ବିଜ୍ଞାନୀ ପ୍ରଫେସର (ଡ଼ଃ ) ଦେବୀ ପ୍ରସାଦ ରାୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ଡିମ୍ଡ ବିଶ୍ୱବିଦ୍ୟାଳୟର ନୂତନ ଚାନ୍ସଲର ଭାବେ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି l ସୋଆ ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକଙ୍କ ପ୍ରମୁଖ ଉପଦେଷ୍ଟା ଭାବେ କାର୍ଯ୍ୟରତ ଥିବା ପ୍ରଫେସର ରାୟ ପୂର୍ବରୁ ଭୁବନେଶ୍ୱରସ୍ଥିତ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁଳପତି ଭାବେ ଦୁଇ ଥର ଦାୟିତ୍ୱ ତୁଲାଇଛନ୍ତି । ୨୦୧୧ ମସିହାରୁ ପ୍ରଫେସର ଖଗେଶ୍ବର ପ୍ରଧାନ ସୋଆ ର ଚାନ୍ସଲର ଭାବେ କାର୍ଯ୍ୟ କରୁଥିଲେ। ମଙ୍ଗଳବାର ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକଙ୍କ ଉପସ୍ଥିତିରେ ପ୍ରଫେସର ରାୟ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି |
ଏହି ଅବସରରେ ବିଶ୍ଵବିଦ୍ୟାଳୟକୁ ପ୍ରଫେସର ରାୟ ସଫଳତାର ଶିଖରକୁ ନେବା ନିମନ୍ତେ ନେତୃତ୍ୱ ଓ ଦିଗଦର୍ଶନ ଦେବେ ବୋଲି ପ୍ରଫେସର ନାୟକ କହିଥିଲେ। ପ୍ରଫେସର ରାୟ ୧୯୭୧ ମସିହାରେ ଓୟୁଏଟିରୁ ଵିଏସସି (ଏଗ୍ରିକଲଚର) ଶିକ୍ଷା ଗ୍ରହଣ ପରେ କଲିକତା ବିଶ୍ୱବିଦ୍ୟାଳୟରୁ ଏମଏସସି (ଏଜି) ଓ ୧୯୮୧ ମସିହାରେ ପିଏଚଡି ଡ଼ିଗ୍ରୀ ହାସଲ କରିଥିଲେ । କଲିକତା ବିଶ୍ୱବିଦ୍ୟାଳୟରେ ହର୍ଟିକଲ୍ଚର ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଓ ଓୟୁଏଟିରେ ଆସୋସିଏଟ ପ୍ରଫେସର ଭାବେ କାର୍ଯ୍ୟ ତୁଲାଇବା ସହ ଆସୋସିଏଟ ଡାଇରେକଟର (ରିସର୍ଚ୍ଚ ), ହର୍ଟିକଲ୍ଚର ବିଭାଗର ପ୍ରଫେସର ଓ ବିଭାଗୀୟ ମୁଖ୍ୟ, ଏକ୍ସଟେନସନ ଏଜୁକେସନ ଡିନ ଏବଂ ରେଜିଷ୍ଟ୍ରାର ଭାବେ ଦାୟିତ୍ୱ ତୁଲାଇଥିଲେ । ପ୍ରଫେସର ରାୟ ୨୦୦୬ ରେ ଓୟୁଏଟିର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଓ ୨୦୧୨ପର୍ଯ୍ୟନ୍ତ ଏହି ପଦବୀରେ ଅବସ୍ଥାପିତ ଥିଲେ ।
ସେ ଫଳ, ବିଭିନ୍ନ ବୃକ୍ଷ ରୋପଣ ଓ ଫସଲର ଉନ୍ନତି, ଅରକାର୍ଡ ମ୍ୟାନେଜେମେଣ୍ଟ ଓ ଜଳ ପରିଚାଳନା ଭଳି ବିଭିନ୍ନ କ୍ଷେତ୍ରରେ ଗବେଷଣା କରିଛନ୍ତି । ସେ ୫୦ରୁ ଅଧିକ ପୋଷ୍ଟ ଗ୍ରାଜୁଏଟ ଓ ପିଏଚଡି ଛାତ୍ରଛାତ୍ରୀଙ୍କୁ ଗାଇଡ଼ କରିଥିବା ବେଳେ ଜାତୀୟ ଓ ଆନ୍ତର୍ଜାତକ ସ୍ତରରେ ତାଙ୍କର ୨୦୦ରୁ ଅଧିକ ସନ୍ଦର୍ଭ ପ୍ରକାଶ ପାଇଛି ।
ପ୍ରଫେସର ରାୟ ଇଣ୍ଡିଆନ କାଉନସିଲ ଅଫ ଏଗ୍ରିକଲଚରାଲ ରିସର୍ଚ୍ଚ, ଡିପାର୍ଟମେଣ୍ଟ ଅଫ ବାୟୋ ଟେକ୍ନୋଲୋଜି, ଡିପାର୍ଟମେଣ୍ଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଏବଂ ଭାରତ ସରକାରଙ୍କ ଯୋଜନା କମିଶନ ଅଧୀନରେ ଥିବା ବିଭିନ୍ନ ଜାତୀୟ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି ।
ନ୍ୟାସନାଲ ଏକାଡେମୀ ଅଫ ଏଗ୍ରିକଲଚରାଲ ସାଇନ୍ସ, ନୂଆଦିଲ୍ଲୀ ସ୍ଥିତ ହର୍ଟିକଲଚର ସୋସାଇଟି ଅଫ ଇଣ୍ଡିଆ, ଚେନ୍ନାଇ ସ୍ଥିତ ନାସନାଲ ଏକାଡେମୀ ଅଫ ବାୟୋ ଲୋଜିକାଲ ସାଇନ୍ସେସ, ବାରଣାସୀ ସ୍ଥିତ ଇଣ୍ଡିଆନ୍ ସୋସାଇଟି ଅଫ ଭେଜିଟେବୁଲ ସାଇନ୍ସ, ନୂଆଦିଲ୍ଲୀ ସ୍ଥିତ କନଫେଡେରେସନ୍ ଅଫ ହର୍ଟିକଲଚର ଆସୋସିଏସନ ଅଫ ଇଣ୍ଡିଆ ଏବଂ ଭୁବନେଶ୍ୱର ସ୍ଥିତ ଓଡିଶା ପରିବେଶ ସମାଜର ଫେଲୋ ରହିଥିବା ପ୍ରଫେସର ରାୟ ୨୦୦୯ରେ ଡ଼ଃ ଏମ୍ ଏଚ୍ ମାରିଗୌଡା ଜାତୀୟ ପୁରସ୍କାର ପାଇଛନ୍ତି । ୨୦୧୦ରେ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଥିଙ୍କ୍ ଓଡିଶା ଲିଡରସିପ୍ ସମ୍ନାନ, ୨୦୧୧ରେ ଲାଇଫ ଟାଇମ ଆଚିଭମେଣ୍ଟ ଇନ୍ ଭେଜିଟେବୁଲ କ୍ରପ୍ସ ଆୱାର୍ଡ, ୨୦୧୧ ରେ ଲାଇଫ ଟାଇମ କଣ୍ଟ୍ରିବ୍ୟୁସନ୍ ଫର ପ୍ରମୋସନ ଅଫ ଏଗ୍ରିକଲଚର ସାଇନ୍ସ, ୨୦୧୬ ରେ ସିନିଅର ସାଇନଟିଷ୍ଟ ଆୱାର୍ଡ ଏବଂ ୨୦୧୯ରେ ପନିପରିବା ଓ ଶିକ୍ଷା କ୍ଷେତ୍ରରେ ଅବଦାନ ନିମନ୍ତେ ଓଡିଶା ବିଜ୍ଞାନ ଏକାଡେମି ସମ୍ମାନରେ ସମ୍ମାନିତ ହୋଇଛନ୍ତି ।
ସେ ବାରଣାସୀ ସ୍ଥିତ ଇଣ୍ଡିଆନ ସୋସାଇଟି ଅଫ ଭେଜିଟେବୁଲ ସାଇନ୍ସ, କୋଲକାତା ସ୍ଥିତ ଏଗ୍ରିକଲଚର ସୋସାଇଟି ଅଫ ଇଣ୍ଡିଆ, ଭୁବନେଶ୍ୱର ସ୍ଥିତ ଓଡିଶା ହର୍ଟିକଲଚର ସୋସାଇଟି ଓ କନଫେଡେରେସନ ଅଫ ହର୍ଟିକଲଚର ଆସୋସିଏସନ ଅଫ ଇଣ୍ଡିଆ ର ସଭାପତି ଭାବେ ଦାୟିତ୍ୱ ତୁଲାଇ ଥିବା ବେଳେ ନୂଆଦିଲ୍ଲୀ ସ୍ଥିତ ହର୍ଟିକଲଚର ସୋସାଇଟି ଅଫ ଇଣ୍ଡିଆ ଓ କନଫେଡେରେରେସନ ଅଫ ହର୍ଟିକଲଚର ଆସୋସିଏସନ ଅଫ ଇଣ୍ଡିଆ ର ଉପ ସଭାପତି ଭାବେ କାର୍ଯ୍ୟ କରିଛନ୍ତି ।