ଫେବୃୟାରୀ୨୭ରେ ପୋଲିଓ ଟିକା
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ଫେବୃୟାରୀ ୨୭ରେ ଭୁବନେଶ୍ୱର ମ୍ୟୁନିସିପାଲିଟି ଅଞ୍ଚଳର ୫ ବର୍ଷ ଯାଏ ସମସ୍ତ ଶିଶୁଙ୍କୁ ପଲ୍ସ ପୋଲିଓ ଟିକା ଦିଆଯିବ। lଯଉଁମାନେ କ୍ୟାମ୍ପରେ ଟିକା ଗ୍ରହଣ ନକରିଥିବେ ସେମାନଙ୍କ ପାଇଁ ଫେବୃୟାରୀ ୨୮ ଓ ମାର୍ଚ୍ଚ ୧ ତାରିଖରେ ଉକ୍ତ ଶିଶୁଙ୍କ ଘରକୁ ଘର ବୁଲି ଟିକାକରଣ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏହି ଅଭିଯାନରେ ୯୦, ୪୨୫ ଜଣ ଶିଶୁଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଭୁବନେଶ୍ୱର ମହାନଗର ନିଗମରେ ନୂତନ ଭାବେ ଅନ୍ତର୍ଭୁକ୍ତ ହୋଇଥିବା ସମସ୍ତ ଅଂଚଳର ଯୋଗ୍ୟ ଶିଶୁଙ୍କୁ ଏହି ଅଭିଯାନରେ ସାମିଲ୍ କରାଯାଇଛି। ଖାଲି ସେତିକି ନୁହେଁ, ଶୂନରୁ ୨ ବର୍ଷର ଶିଶୁଙ୍କୁ ମିଳିମିଳା ଓ ରୁବେଲା ଟିକାକରଣ କାର୍ଯ୍ୟକ୍ରମ ମାର୍ଚ୍ଚ ୭ ତାରିଖ, ଏପ୍ରିଲ ୭ ଓ ମଇ ମାସ ୭ ତାରିଖରେ ଦିଆଯିବାକୁ ବିଏମ୍ସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି।
ଶୁଙ୍କୁ ପଲ୍ସ ପୋଲିଓ ବୁନ୍ଦା ଟୀକାକରଣ ନେଇ ସହର ଟ୍ୟାକ୍ସ ଫୋର୍ସ ବୈଠକ ଆଜି ଅପରାହ୍ଣରେ ଭୁବନେଶ୍ୱର ମହାନଗର ନିଗମ କମିଶନର ସଂଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ସହରରେ ଶତ ପ୍ରତିଶତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବା ନିଶ୍ଚିତ କରାଯିବାକୁ କମିଶନର ଶ୍ରୀ ସିଂ ସମ୍ପୃକ୍ତ ସମସ୍ତ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ ଏହି କାର୍ୟ୍ୟକ୍ରମର ସଫଳତା ପାଇଁ ସମ୍ପୃକ୍ତ ସହଯୋଗୀ କାର୍ୟ୍ୟାଳୟ ଓ ଅନୁଷ୍ଠାନର ସହଯୋଗ କାମନା କରିଛନ୍ତି ।
ସହରରେ ୨୫୦ ଟି ବୁଥ ମାଧ୍ୟମରେ ଏହି ପୋଲିଓ ବୁନ୍ଦା ଟୀକାକରଣ କରାଯିବ । ଫେବୃୟାରୀ ୨୭ରେ ସମସ୍ତ ବୁଥରେ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ । କୌଣସି କାରଣରୁ ଏହି ଦିନ ଶିଶୁପୋଲିଓ ବୁନ୍ଦା ନ ନେଇପାରିଲେ, କୋଭିଡ୍ କଟକଣା ଅନୁପାଳନ କରାଯାଇ ଏହି କାର୍ୟ୍ୟକ୍ରମ ହେବ । ୫୦୦ଟି ଟିମ୍ ଏହି କାର୍ୟ୍ୟକ୍ରମ ପାଇଁ ନିୟୋଜିତ ହେବେ । ଏଥିରେ ସାମିଲ ହେଉଥିବା କର୍ମୀମାନେ ୨ ଡୋଜ୍ କୋଭିଡ୍ ଟୀକାସହ ପ୍ରିକସନାରୀ ଡୋଜ୍ ନେବା ବାଧ୍ୟତାମୂଳକ ହେବ । ସେହିପରି ମା’ କିମ୍ବା ଶିଶୁ ବା ଉଭୟ କୋଭିଡରେ ସଂକ୍ରମିତ ହୋଇଥିଲେ ଟୀକାକରଣ କେନ୍ଦ୍ରକୁ ଯିବାକୁ ବାରଣ ରହିବ । ପୋଲିଓ ବୁନ୍ଦା ଓ ଟୀକାକରଣ ସମ୍ପର୍କରେ ସହରରେ ବହୁଳ ଭାବେ ପ୍ରଚାର କରାଯିବ । ଏହି କାର୍ୟ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନଓ୍ୱାଡି କର୍ମୀମାନଙ୍କ ସମେତ ଜନସାଧାଣଙ୍କୁ ସଚେତନ କରିବା ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହଯୋଗ ନିଆଯିବ । ସହରାଂଚଳ ସୀମାରେ ଥିବା ଗ୍ରାମଗୁଡିକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସମସ୍ତ ଶିଶୁଙ୍କୁ ଟୀକାକରଣ କରାଯିବ।ବିଶେଷ କରି ସ୍ୱଳ୍ପଦିନ ପାଇଁ ସହରରେ ରହୁଥିବା ପରିବାର, ନିର୍ମାଣ ଶ୍ରମିକ, ମତ୍ସ୍ୟଜୀବୀ, ବସ୍ତି ଅଂଚଳ,ଇଟା ଭାଟି ଅଂଚଳରେ ରହୁଥିବା ପରିବାରର ଶିଶୁଙ୍କୁ ପୋଲିଓ ବୁନ୍ଦା ଦେବା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଅତିରିକ୍ତ ଜିଲ୍ଲା ସହରାଂଚଳ ସ୍ୱାସ୍ଥ୍ୟ ଅଧିକାରୀ, ବିଏମସିର ସମସ୍ତ ଜୋନ ଅଧିକାରୀ, ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ବିଏମସି ଅନ୍ତର୍ଗତ ସମସ୍ତ ସିଡିପିଓ, ବ୍ଲକ ଶିକ୍ଷା ଅଧିକାରୀ, ସମାଜ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।