ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସର ଲାଠିଚାର୍ଜ ଘଟଣାକୁ କଂଗ୍ରେସର ନିନ୍ଦା, ଆହତ କର୍ମୀଙ୍କ ପାଇଁ କ୍ଷତିପୂରଣ ଦାବି

ଭୁବନେଶ୍ବର, (ଓଡିଶା ଟାଇମ୍):ଲୋୟର ପିଏମଜିରେ ଛାତ୍ର କଂଗ୍ରେସର ଆନ୍ଦୋଳନ ବେଳେ ପୋଲିସର ଲାଠିଚାର୍ଜ ପ୍ରତିବାଦ କରିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି,  ମାଡରେ ଅନେକ ଛାତ୍ର କଂଗ୍ରେସ କର୍ମୀ ଆହତ ହୋଇଛନ୍ତି । ମାଡ ଘଟଣାର ନ୍ୟାୟିତ ତଦନ୍ତ ଦାବି କରିଛି କଂଗ୍ରେସ ।ଏ ନେଇ ମାନବାଧିକାର ସୁରକ୍ଷା ଆୟୋଗରେ କଂଗ୍ରେସ ଅଭିଯୋଗ କରିବ । ଛାତ୍ର କଂଗ୍ରେସର ଧାରଣା ଓ ବିକ୍ଷୋଭ ବେଳେ ଘଟିଥିଲା ଏଭଳି ଘଟଣା । ଆନ୍ଦୋଳନକାରୀ ଛାତ୍ରଙ୍କୁ କଂଗ୍ରେସ ଭବନରେ ପଶି ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଣିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

କଂଗ୍ରେସ କହିଛି, ଏ ଆନ୍ଦୋଳନ ଏଇଠି ଥମିବ ନାହିଁ । କେଉଁ ଆଇନରେ ଅଛି ଆମ ପାର୍ଟି ଅଫିସରେ ପଶିକି ବାଡେଇବ ପୋଲିସ । କାହା ଅନୁମତି ନେଇ ପୋଲିସ କାର୍ଯ୍ୟାଳୟ ଭିତରେ ପଶିଲା । ବାଡି ଧରି ନିର୍ମମ ଭାବେ ପିଟିବା ଠିକ୍ ହୋଇନାହିଁ । ଯେଉଁ କଂଗ୍ରେସ ଦଳ ଇଂଗ୍ରେଜଙ୍କ ବନ୍ଧୁକକୁ ଡରି ନଥିଲା । ସେ ଏ ମାଡରେ ଡରିଯିବ ନାହିଁ । ଆନ୍ଦୋଳନ ଜାରି ରହିବ । ପଶୁଙ୍କୁ ମାରିଲା ଭଳି ପୋଲିସ କଂଗ୍ରେସ କର୍ମୀଙ୍କୁ ମାରି ଚାଲିଥିଲା ।

ଶୁକ୍ରବାର ମାନବଧକାର ଦିବସ ଥିଲା । ସରକାର ଏହାକୁ କାର୍ଯ୍ୟକ୍ରମ କରିକି ପାଳନ କରୁଛନ୍ତି । ଅନ୍ୟପଟେ ସେହି ସମୟରେ ଓଡିଶା ପୋଲିସ କେଉଁଭଳି ବ୍ୟବହାର କରୁଥିଲା କଂଗ୍ରେସ କର୍ମୀଙ୍କ ସହ ତାହା ସମସ୍ତେ ଦେଖିଲେ । ଦାୟିତ୍ବରେ ଥିବା ପୋଲିସ ଅଫିସର ବୋଧେ ସିଆରପିସି ସହ ଆଇନ ପଢିନାହାନ୍ତି । ସରକାରଙ୍କ ଚାପରେ ବେଆଇନ କାମ କରିଛନ୍ତି । ଆନ୍ଦୋଳନକାରୀଙ୍କୁ ଘଉଡାଇବା ପାଇଁ ସର୍ବନିମ୍ନ ଫୋର୍ସ ବ୍ୟବହାର କରାଯିବ, ପାଣି ସ୍ପ୍ରେ କରାଯିବ ନହେଲେ ଗିରଫ କରାଯିବାର ନିୟମ ରହିଛି  । ଶୁକ୍ରବାର ବିନା ମାଜିଷ୍ଟ୍ରେଟ ନିର୍ଦ୍ଦେଶରେ ମୁଣ୍ଡ ଫଟେଇ ମାରି ଚାଲିଲା ପୋଲିସ । କାଲିର ଘଟଣାକୁ ଦୃଢ଼ ନିନ୍ଦା କରିଛି ଦଳ । ଏହି ଘଟଣାରେ ବିଚାର ବିଭାଗୀୟ ତଦନ୍ତ କରାଯାଉ । କମିଶନର କହୁଛନ୍ତି ସେ ଘଟଣା ବିଷୟରେ ଜାଣିନାହାନ୍ତି, ତାହେଲେ ସେ କରୁଛନ୍ତି କ’ଣ ? ପୋଲିସ ବିରୋଧରେ ୩୦୭ ଦଫାରେ ତଦନ୍ତ ହେଉ । ଆମ ଆହତ କର୍ମୀଙ୍କୁ ପୋଲିସ କ୍ଷତିପୂରଣ ଦେଉ ବୋଲି କଂଗ୍ରେସ ଦାବି କରିଛି ।

Leave a Reply

Your email address will not be published. Required fields are marked *