ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଓ୍ବେଲ୍ ମାର୍କଡ ଲୋ’ ପ୍ରେସର କ୍ଷେତ୍ର ସୃଷ୍ଟି ହୋଇଛି । ଏହା କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ । ୩ ତାରିଖ ସନ୍ଧ୍ୟା କିମ୍ବା ରାତି ସମୟରେ ଏହା ବାତ୍ୟାରେ ପରିଣତ ହୋଇପାରେ । ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୂଳ ସମୁଦ୍ରରେ କେନ୍ଦ୍ରୀଭୂତ ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଏହା ପ୍ରଭାବରେ ୩ ତାରିଖରୁ ଓଡିଶାରେ ବର୍ଷା ହେବ । ବର୍ଷା ଧିରେ ଧିରେ ବଢିବ । ଦକ୍ଷିଣ ଓଡିଶା ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୪ ତାରିଖରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ନିକଟସ୍ଥ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୩ ତାରିଖ ମଧ୍ୟରାତ୍ରିରୁ ଉପକୂଳିଆ ଅଞ୍ଚଳରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ବହିପାରେ । ଏହା ବଢି ବଢି ୪ ତାରିଖ ଅପରାହ୍ନରୁ ୭୦-୮୦ କିଲୋମିଟରରେ ପହଞ୍ଚିପାରେ । ପବନର ବେଗ ୯୦ ଛୁଇଁବ ବୋଲି ଆକଳନ କରାଯାଇଛି । ଏହି ବାତ୍ୟାରେ ଅତି ବେଶୀରେ ୯୦-୧୦୦ କିଲୋମିଟର ବେଗରେ ପବନ ବହିପାରେ ।

ତେବେ ଏହା କେଉଁ ଉପକୂଳ ଦେଇ ଅତିକ୍ରମ କରିବ ତାହା ଆକଳନ ହୋଇନାହିଁ । ଅବପାତ ପରେ ଏହା ସ୍ପଷ୍ଟ ହେବ । ଏହାର ପ୍ରଭାବରେ ୩ରୁ ୫ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି ସେପଟେ ସମ୍ଭାବ୍ୟ ବାତ୍ୟାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । IMD ଡିଜି, NDRF ଓ ODRAF ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ବାତ୍ୟା ଦ୍ବାରା ପ୍ରଭାବିତ ହେବାକୁ ଥିବା ୩ ରାଜ୍ୟ ଓଡିଶା, ଆନ୍ଧ୍ର ଓ ପଶ୍ଚିମବଙ୍ଗର ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା ହୋଇଛି । ଲୋକଙ୍କୁ ସ୍ଥାନାନ୍ତରଣ ନେଇ ଆଲୋଚନା କରାଯାଇଛି ।

Leave a Reply

Your email address will not be published. Required fields are marked *