୧୨ ସାଂସଦ ନିଲମ୍ୱିତ
ଓଡ଼ିଶା ଟାଇମ୍ (ଭୁବନେଶ୍ୱର) : ବିଶୃଙ୍ଖଳିତ ଆଚରଣ ପାଇଁ ୧୨ ସାଂସଦ ନିଲମ୍ୱିତ। ଆଜି ଶୀତ ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭାରେ କୃଷି ଆଇନ ସମେତ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଗୁଡ଼ିକର ସାଂସଦମାନେ ହୋହଲ୍ଲା କରିବା ସହ ନାରାବାଜି କରିଥିଲେ । ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଯାହାଫଳରେ ବାକି ଥିବା ଶୀତ ଅଧିବେଶନ ପର୍ଯ୍ୟନ୍ତ ୧୨ ସଂସଦଙ୍କୁ ନିଲମ୍ୱିତ କରାଯାଇଛି। ନିଲମ୍ବିତ ସାଂସଦଙ୍କ ମଧ୍ୟରେ ୬ଜଣ କଂଗ୍ରେସର, ଦୁଇ ଜଣ ଟିଏମସି, ୨ଜଣ ଶିବସେନା ଓ ସିପିଏମ ଏବଂ ସିପିଆଇରୁ ଜଣେ ଲେଖାଁଏ ଅଛନ୍ତି।
ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ଭଭୟ ସଦନରେ ବିରୋଧୀମାନେ ବିଭିନ୍ନ ପ୍ରସଙ୍ଗରେ ନାରାବାଜି କରିଥିଲେ। ୩ କୃଷି ଆଇନ ରଦ୍ଦ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲେ ବିରୋଧୀ। ତେବେ ହୋହଲ୍ଲା ପାଟିତୁଣ୍ଡ ଭିତରେ ଉଭୟ ଲୋକସଭା ଓ ରାଜ୍ୟ ସଭାରେ ୩ କୃଷି ଆଇନ ଉଚ୍ଛେଦ ବିଲ ପାରିତ ହୋଇଥିଲା। ସେପଟେ କୃଷି ଆଇନ ଉଚ୍ଛେଦ ବିଲ ପାରିତ ହୋଇଥିଲେ ବି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ। ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ଅନ୍ୟାନ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ ।
ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ସାଂସଦମାନେ ଲୋକସଭାରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହା ପରେ ଗୃହକୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା। କଂଗ୍ରେସ ସଦସ୍ୟମାନେ ସଂସଦ ବାହାରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ପ୍ରଦର୍ଶନ କରି ସମସ୍ତ ତିନୋଟି କୃଷି ଆଇନ ପ୍ରତ୍ୟାହାର ସହ ଏମଏସପି ଗ୍ୟାରେଣ୍ଟି ଆଇନ ଲାଗୁ କରିବାକୁ ଦାବି କରିଥିଲେ ।