ଆଜି ମୁଖ୍ୟମନ୍ତ୍ରୀଙ୍କ ଅନୁଗୋଳ ଓ ଢେଙ୍କାନାଳ ଗସ୍ତ : BSKY ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବାଣ୍ଟନ
ଭୁବନେଶ୍ବର, (ଓଡିଶା ଟାଇମ୍): ଆଜି ଅବିଭକ୍ତ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ନବୀନ । ଏହାସହ ଉଭୟ ଜିଲ୍ଲାରେ ଅନ୍ୟୁନ ୧୮ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଦୁଇଟି ଯାକ ଜିଲ୍ଲାରେ ସ୍ଥାନରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଉଭୟ ଜିଲ୍ଲାକୁ ଗ୍ରସ୍ତ କରିବେ । ଅନୁଗୋଳ ଜିଲ୍ଲାର ମୁଖ୍ୟ ଷ୍ଟାଡିୟମ ପଡିଆ ଓ ଢେଙ୍କାନାଳର ମିନି ଷ୍ଟାଡିୟମ ଠାରେ ମୁଖ୍ୟମନ୍ତ୍ରୀ ସାଧାରଣ ସଭାରେ ଯୋଗ ଦେଇ ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ଅନୁଗୋଳ ଜିଲ୍ଲାରେ ୯୨୪କୋଟି ଓ ଢେଙ୍କାନାଳ ଜିଲ୍ଲାରେ ୮ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।