ସିରିଜ୍ ବିସ୍ଫୋରଣରେ ଥରିଲା ଉଗାଣ୍ଡା, ସଂସଦ ଭବନ ବାହାରେ ବି ଫୁଟିଲା ବୋମା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସିରିଜ ବିସ୍ଫୋରଣରେ ଥରିଛି ଆଫ୍ରିକୀୟ ଦେଶ ଉଗାଣ୍ଡା । ଉଗାଣ୍ଡାର ରାଜଧାନୀ କମ୍ପାଲାର ସଂସଦ ଭବନ ବାହାରେ ଏହି ବିସ୍ଫୋରଣ ହୋଇଛି । ଏଥିରେ ୬ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ବିସ୍ଫୋରଣସ୍ଥଳରୁ ମାତ୍ର ୧୦୦ ମିଟର ଦୂରରେ ଭାରତୀୟ ପାରା ବ୍ୟାଡମିଣ୍ଟନ୍ ଟିମ୍ ଉପସ୍ଥିତ ଥିଲା । ତେବେ ବିସ୍ଫୋରଣରେ ଭାରତୀୟ ଦଳର କୌଣସି କ୍ଷୟକ୍ଷତି ହୋଇନାହିଁ । ଏହି ଟିମରେ ଅଲିମ୍ପିକ ପଦକ ଜିତିଥିବା  ପ୍ରମୋଦ ଭଗତ ଓ ମନୋଜ ସରକାରଙ୍କ ଭଳି ଖେଳାଳି ଥିଲେ ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ପ୍ରଥମେ ଏକ ଥାନା ପାଖରେ ବିସ୍ଫୋରଣ ହୋଇଥିଲା । ଦ୍ୱିତୀୟ ବିସ୍ଫୋରଣ ସଂସଦ ଭବନ ନିକଟରେ ଥିବା ରାସ୍ତାରେ ହୋଇଥିଲା । ସଂସଦ ଭବନ ପାଖରେ ଥିବା ଏକ ବିଲ୍ଡିଂକୁ ଟାର୍ଗେଟ୍ କରି ବିସ୍ଫୋରଣ କରାଯାଇଥିଲା । ଏଥିରେ ପାଖଆଖରେ ଥିବା ଗାଡି ଗୁଡିକରେ ନିଆଁ ଲାଗିଯାଇଥିଲା । ଏହାପରେ ସଂସଦ ଭବନକୁ ଖାଲି କରିଦିଆଯାଇଛି । ଆଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ବିସ୍ଫୋରଣ ପରେ ଚାରିଆଡେ ଧୂଆଁମୟ ହୋଇଯାଇଥିଲା ।  ପୋଲିସ ଏହି ଘଟଣା ନେଇ ମୁହଁ ଖୋଲିନାହିଁ । ସିରିଜ୍ ବିସ୍ଫୋରଣ ପରେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ମଧ୍ୟ ଗତ ଅକ୍ଟୋବର ୨୩ରେ କମ୍ପାଲାର ଏକ ରେଷ୍ଟୁରାଣ୍ଟରେ ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ୭ ଜଣ ଗୁରୁତର ହୋଇଥିଲେ । ବିସ୍ଫୋରଣ ପାଇଁ ଆଇଏସଆଇର ଛାମୁଆ ସଙ୍ଗଠନ ଆଲାଇଡ୍ ଡେମୋକ୍ରାଟିକ୍ ଫେର୍ସେସ୍ ନିଜକୁ ଦାୟୀ କରିଥିଲା ।

Leave a Reply

Your email address will not be published.