ଗାୟତ୍ରୀ ପ୍ରଜାପତିଙ୍କୁ ଆଜୀବନ କାରାଦଣ୍ଡ
ଲକ୍ଷ୍ନୋ, (ଓଡିଶା ଟାଇମ୍): ଚିତ୍ରକୂଟ ଧର୍ଷଣ ମାମଲାରେ ଦୋଷୀ ସାବ୍ୟସ୍ତ ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତିଙ୍କୁ ଶୁକ୍ରବାର ଅଦାଲତ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଲକ୍ଷ୍ନୌର ଏକ ସ୍ବତନ୍ତ୍ର ଅଦାଲତ ବିଚାରପତି ପି.କେ ରାଏ ବୁଧବାର ଏ ସମ୍ପର୍କିତ ମାମଲାର ରାୟ ଶୁଣାଇବା ସହ ଦଣ୍ଡାଦେଶ ଶୁକ୍ରବାରକୁ ସ୍ଥଗିତ ରଖିଥିଲେ। ପ୍ରଜାପତିଙ୍କ ସହ ତାଙ୍କ ସହଯୋଗୀ ଅଶୋକ ତିୱାରୀ, ଆଶିଷ ଶୁକ୍ଲାଙ୍କୁ ମଧ୍ୟ ଆଜୀବନ କରାଦଣ୍ଡାଦେଶ ଶୁଣାଇଛନ୍ତି। ସମସ୍ତ ଦୋଷୀଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଦେଇଛନ୍ତି। ବିକାଶ ବର୍ମା, ରୁପେଶ୍ୱର, ଅମରେନ୍ଦ୍ର ସିଂହ, ପିଣ୍ଟୁ ଓ ଚନ୍ଦ୍ରପାଲଙ୍କୁ ନିର୍ଦୋଷ ଘୋଷିତ ହୋଇଛନ୍ତି। ଅଖିଳେଶ ସିଂହ ଯାଦବ ମୁଖ୍ୟମନ୍ତ୍ରୀ ଥିବାବେଳେ ଗାୟତ୍ରୀ ପ୍ରଜାପତି ମନ୍ତ୍ରୀ ଥିଲେ। ଚିତ୍ରକୂଟର ଜଣେ ମହିଳାଙ୍କୁ ଚାକିରି ଦେବା ଆଳରେ ଅଭିଯୁକ୍ତମାନେ ଗଣଧର୍ଷଣ କରିଥିଲେ। ମହିଳାଙ୍କ ନାବାଳିକା ଝିଅ ମଧ୍ୟ ସେମାନଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତି ନ ଥିଲା। ସେମାନଙ୍କୁ ଅଭିଯୁକ୍ତମାନେ ହତ୍ୟା ଧମକ ମଧ୍ୟ ଦେଇଥିଲେ। ଏହି ମାମଲାରେ ପ୍ରଜାପତିଙ୍କୁ ୨୦୧୭ ମାର୍ଚ୍ଚ ୧୫ରେ ତାଙ୍କୁ ଗିରଫ କରାଯାଇଥିଲା।











