ଆଜି କଳାହାଣ୍ଡି ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜି କଳାହାଣ୍ଡି ଯିବେ ମୁଖ୍ୟମନ୍ତ୍ରୀ । କଳାହାଣ୍ଡି ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବନୀପାଟଣା ଓୟୁଏଟି ଅଡିଟୋରିୟମରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ କଳାହାଣ୍ଡି ରାଜନୀତି ଗତ କିଛି ଦିନ ଧରି ଅଶାନ୍ତ ରହିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଚର୍ଚ୍ଚାରେ ରହିଛି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭବାନୀପଟଣା ଓୟୁଏଟି ଅଡିଟୋରିୟମରେ କୋଭିଡ କଟକଣା ମଧ୍ୟରେ ମୋଟ ୩ଶହ ଜଣଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ପୂର୍ବରୁ ସମସ୍ତଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଛି। ସେହିପରି ଓୟୁଏଟି ପଡିଆରେ ଆଉ ଏକ ସଭାର ଆୟୋଜନ କରାଯାଇଛି। ଯେଉଁଥିରେ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ନିମନ୍ତ୍ରିତ ଅତିଥି ମାନେ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ କାର୍ଡ ବଣ୍ଟନ କରିବା ପରେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବ୍ଲକରେ ମନ୍ତ୍ରୀମାନଙ୍କ ଦ୍ବାରା ଜିଲ୍ଲାର ସମସ୍ତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ। ସେହିପରି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ କଳାହାଣ୍ଡିରେ ଗତ କିଛି ଦିନ ଧରି ରାଜନୀତି ଉଷ୍ମ ରହିଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ସତର୍କ ରହିଛି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଂଗ୍ରେସ ୧ଘଣ୍ଟା ପାଇଁ ଜନତା କର୍ଫ୍ୟୁ ଡକରା ଦେଇଛି। ଏପଟେ ବିଜେପି ବି ସମାଜିକ ବାସନ୍ଦ କରିବାକୁ ଆହ୍ବାନ ଦେଇଛି। ବିରୋଧୀଙ୍କର ଏଭଳି ପ୍ରତିବାଦକୁ ନେଇ ବିଜେଡି କହିଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମୁଖ୍ୟମନ୍ତ୍ରୀ ଦୂରଦୂରନ୍ତରେ ଲୋକଙ୍କୁ କାର୍ଡ ବଣ୍ଟନ କରି ଲୋକଙ୍କ ସହିତ ଯୋଡି ହେଉଛନ୍ତି। ଯାହା ବିରୋଧୀଙ୍କୁ ବିଚଳିତ କରୁଛି।

Leave a Reply

Your email address will not be published. Required fields are marked *