୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଅନିଲ ଦେଶମୁଖ
ମୁମ୍ବାଇ, (ଓଡିଶା ଟାଇମ୍):ମନି ଲଣ୍ଡରିଂ କେସରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଆଜି ସ୍ବତନ୍ତ୍ର ପିଏମ୍ଏଲଏ କୋର୍ଟରେ ହାଜର କରାଯାଇଥିଲା । ଶୁଣାଣି ପରେ କୋର୍ଟ ଅନିଲ ଦେଶମୁଖଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଦେଶମୁଖଙ୍କୁ ହେପାଜତରେ ନେବାକୁ ଆବେଦନ କରିଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ ବା ED । ଯାହାକୁ କି କୋର୍ଟ ଅଗ୍ରାହ୍ୟ କରିଛନ୍ତି । ମନି ଲଣ୍ଡରିଂ କେସରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଗିରଫ କରିଥିଲା ଇଡି ।
ଶନିବାର ଅନିଲ ଦେଶମୁଖଙ୍କୁ ସ୍ପେଶାଲ କୋର୍ଟରେ ହାଜର କରାଯାଇଥିଲା । ଶୁଣାଣି ବେଳେ ଦେଶମୁଖଙ୍କୁ ହେପାଜତକୁ ନେବାକୁ କୋର୍ଟଙ୍କ ନିକଟରେ ଅପିଲ କରିଥିଲା ଇଡି । କିନ୍ତୁ ସ୍ପେଶାଲ କୋର୍ଟ ଏହାକୁ ଖାରଜ କରିଦେବା ସହ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜକୁ ପଠାଇବାକୁ ଅନୁମତି ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତ ସୋମବାର ମନି ଲଣ୍ଡରିଂ କେସରେ ଅନିଲ ଦେଶମୁଖଙ୍କୁ ପ୍ରାୟ ୧୨ ଘଣ୍ଟା ଧରି ଜେରା କରିବା ପରେ ଗିରଫ କରାଯାଇଥିଲା । ପଚରାଉଚରା ବେଳେ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ ଦେଶମୁଖ । ପରେ ତାଙ୍କୁ ଗିରଫ କରାଯାଇଥିଲା । ପୂର୍ବରୁ ଅନିଲଙ୍କ ପୁଅ ଋଷିକେଶ ଦେଶମୁଖଙ୍କୁ ମଧ୍ୟ ପଚରାଉଚରା ପାଇଁ ସମନ ଜାରି କରାଯାଇଥିଲା । ତେବେ ସେ ଇଡି ନିକଟରେ ହାଜର ହୋଇ ନାହାନ୍ତି । ତାଙ୍କୁ ପଚରାଉଚରା ବେଳେ ଆଉ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବ । ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିୟା ବାହାରୁ ଗତ ଫେବୃଆରୀ ୨୫ ତାରିଖରେ ବିସ୍ଫୋଟକ ବୋଝେଇ ସ୍କର୍ପିଓ ଜବତ କରାଯାଇଥିଲା । ଏହି ମାମଲାରେ ମୁମ୍ବାଇ ପୋଲିସ ଅଧିକାରୀ ସଚିନ ବାଜେଙ୍କ ନାଁ ସାମ୍ନାକୁ ଆସିଥିଲା । ସେତେବେଳେ ସଚିନ ବାଜେଙ୍କୁ ବଦଳି କରିଦେଇଥିଲେ ମହାରାଷ୍ଟ୍ର ସରକାର । ତାଙ୍କୁ ହୋମଗାର୍ଡ ଡିଜି ଭାବେ ନିଯୁକ୍ତି ମିଳିଥିଲା । ଏହା ପରେ ପରମବୀର ସିଂହ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଥିଲେ। ଏହି ଚିଠିରେ ସେ ଉଲ୍ଲେଖ କରିଥିଲେ ଯେ, ଅନିଲ ଦେଶମୁଖ ଗୃହମନ୍ତ୍ରୀ ଥିବା ବେଳେ ପ୍ରତି ମାସରେ ୧୦୦ କୋଟି ଟଙ୍କା ଦେବାକୁ ସଚିନ ବାଜେଙ୍କୁ କହିଥିଲେ । ଏହି ମାମଲାର ତଦନ୍ତ ଜାରି ରହିଥିଲା ।