ଭୁବନେଶ୍ୱରରେ ୧୦୭ ଟପିଲା ପେଟ୍ରୋଲ

ଭୁବନେଶ୍ବର, (ଓଡିଶା ଟାଇମ୍): ଓଡ଼ିଶା ସମେତ ସମଗ୍ର ଦେଶରେ ମହଙ୍ଗା ମାଡ଼ ଜାରି ରହିଛି। କ୍ରମାଗତ ଭାବେ ତୈଳଦର ବଢ଼ୁଥିବାରୁ ଲୋକଙ୍କ ଚିନ୍ତା ବଢ଼ି ଯାଇଛି। ବର୍ତ୍ତମାନ ଦେଶର ଅଧିକାଂଶ ସହରରେ ପେଟ୍ରୋଲ ଲିଟର ୧୦୫ ଟଙ୍କାରୁ ଅଧିକ ଦାମରେ ବିକ୍ରି ହେଉଛି। ଡିଜେଲ ମଧ୍ୟ ୧୦୦ ଟଙ୍କା ପାର କରି ସାରିଲାଣି। ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଥିଲେ ମଧ୍ୟ ଏହା ହ୍ରାସ ପାଇବାର ନାଁ ଧରୁନି। ଏସବୁ ଭିତରେ ଆଜି ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଦାମ ଅପରିବର୍ତ୍ତିତ ରହିଛି। କିନ୍ତୁ ଓଡ଼ିଶାର ରାଜଧାନୀରେ ତୈଳଦର ମହଙ୍ଗା ହୋଇଛି।

ଆଜି ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୨୫ ପଇସା ଓ ଡିଜେଲ ୨୪ ପଇସା ବଢ଼ିଛି। ବର୍ଦ୍ଧିତ ଦର ପରେ ରାଜଧାନୀରେ ପେଟ୍ରୋଲର ଲିଟର ପିଛା ଦାମ ୧୦୭ ଟଙ୍କା ପାର କରିଛି। ସେହିପରି ଡିଜେଲର ଲିଟର ପିଛା ଦାମ ୧୦୩.୩୯ ଟଙ୍କା ଛୁଇଁଛି। ଗତକାଲି ପେଟ୍ରୋଲ ଓ ଡିଜେଲର ଦାମ ଅପରିବର୍ତ୍ତିତ ରହିଥିଲା। ହେଲେ ଆଜି ସକାଳୁ ପୁଣିଥରେ ଏହାର ଦର ବୃଦ୍ଧି ପାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉପାନ୍ତ ମାଲକାନଗିରିରେ ଏବେ ପେଟ୍ରୋଲର ଲିଟର ପିଛାର ୧୧୨.୩୬ ଟଙ୍କା ଓ ଡିଜେଲ ୧୦୮.୫୬ ଟଙ୍କାରେ ବିକ୍ରି ହେଉଛି।

ଲୋକମାନେ ଦର ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିଲେ ମଧ୍ୟ ସରକାର ନିଦାବିଷ୍ଣୁ ସାଜିଛନ୍ତି। ଅଗଷ୍ଟ-ସେପ୍ଟେମ୍ବରରେ ପେଟ୍ରୋଲ ଓ ଡିଜେଲର ଦାମ ବଢ଼ିବା ବନ୍ଦ ହୋଇଯାଇଥିଲା। କିନ୍ତୁ ସେପ୍ଟେମ୍ବର ୨୪ରୁ ଡିଜେଲ ଓ ସେପ୍ଟେମ୍ବର ୨୮ରୁ ପେଟ୍ରୋଲ ଦାମ ବଢ଼ିବା ଆରମ୍ଭ ହୋଇଥିଲା।

Leave a Reply

Your email address will not be published.