୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଆଜି ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଏହି ୭ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଜିଲ୍ଲା ଗୁଡ଼ିକ ହେଉଛନ୍ତି- ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଏହା ସହିତ ଉପକୂଳବର୍ତ୍ତୀ ଜିଲ୍ଲା ଓ ତତ୍ସଂଲଗ୍ନ କିଛି ଜିଲ୍ଲାକୁ ମିଶାଇ ମୋଟ ୧୭ଟି ଜିଲ୍ଲାରେ ଘଡ଼ଘଡ଼ି ଓ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନ ରହିଛି। ତେଣୁ ଗୋଟେ ଦୁଇଟି ସ୍ଥାନରେ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି।
ଆଗାମୀ ଦୁଇ ଦିନରେ ବର୍ଷାର ପରିମାଣ କମିବ। ଉତ୍ତର ବଙ୍ଗୋପସାଗରରେ ଗଭୀର ସମୁଦ୍ରରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୬୦ କିଲୋମିଟର ମଧ୍ୟରେ ରହିବ। ଏଥିଯୋଗୁଁ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।