ପିପିଲି ଉପ ନିର୍ବାଚନ: ସକାଳ ୮ଟାରୁ ଭୋଟ୍ ଗଣତି, ତାଲାପଡ଼ିଛି ୧୦ ପ୍ରାର୍ଥୀଙ୍କ ଭାଗ୍ୟ
ଭୁବନେଶ୍ୱର (ଓଡ଼ିଶା ଟାଇମ୍): ରବିବାର ଅପରାହ୍ଣ ସୁଦ୍ଧା ଆସିପାରେ ପିପିଲି ଉପନିର୍ବାଚନ ଫଳାଫଳ। ୧୦ ଜଣ ପ୍ରାର୍ଥୀଙ୍କ ଭିତରୁ କିଏ ଜିତିବ ଏବଂ କିଏ ହାରିବ ତାହା ସ୍ପଷ୍ଟ ହେବ। ଏଥିଲାଗି ଭୋଟର ଦେଇଥିବା ରାୟକୁ ସକାଳ ୮ଟାରୁ ଗଣତି ହେବ। ବିଧି ଅନୁସାରେ ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣତି କରାଯିବ। ଏହା ପରେ ୮ଟା ୩୦ରୁ ଇଭିଏମ୍ରେ ପଡ଼ିଥିବା ଭୋଟ୍ ଗଣତି କରାଯିବ। ୨ଟି ହଲ୍ ଇଭିଏମ୍ ଓ ଗୋଟିଏ ହଲ୍ ପୋଷ୍ଟାଲ୍ ବାଲାଟ୍ ଗଣତି କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ କହିଛନ୍ତି।
ଇଭିଏମ୍ ରେ କଏଦ ଥିବା ଭୋଟ ଗଣତି ପାଇଁ ଗୋଟିଏ ହଲ୍ରେ ୭ଟି ଲେଖାଏଁ ଟେବୁଲ୍ ପଡ଼ିବ। ସେହି ହିସାବରେ ଦୁଇଟି ହଲ୍ରେ ୧୪ଟି ଟେବୁଲ ପଡ଼ିବ। ଗଣତି କରିବାକୁ ମୋଟ ୬୨ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ଗଣତି ଟେବୁଲ୍ ନିକଟରେ ପ୍ରାର୍ଥୀମାନେ ସେମାନଙ୍କ ଏଜେଣ୍ଟ ରଖିପାରିବେ। ସେହିପରି ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ଲୋହାନୀ କହିଛନ୍ତି।
ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ଥିବା ବେଳେ ସେମାନଙ୍କ ମଧ୍ୟରୁ ୭୮.୨୫ % ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ। ୧୯୯୫ ମସିହା ପରେ ପିପିଲି ନିର୍ବାଚନ ମଣ୍ଡଳୀରେ ଏହା ସର୍ବାଧିକ ମତଦାନ। ୧୯୯୫ ମସିହାରେ ଏଠାରେ ୮୨.୩% ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ।
ଏଥର ଉପନିର୍ବାଚନ ପାଇଁ ୩୪୮ଟି ବୁଥ୍ କରାଯାଇଥିଲା। ସେଥିରୁ ୨୦୧ଟି ସମ୍ବେଦନଶୀଳ ବୁଥ୍ରେ କୌଣସି ପ୍ରକାର ଗଡ଼ବଡ଼କୁ ଏଡ଼ାଇବାକୁ ଅତିରିକ୍ତ ଦୃଢ଼ ବ୍ୟବସ୍ଥା ହୋଇଥିଲା।