ଆସନ୍ତା ୨୮ରେ କଂଗ୍ରେସ ଦଳରେ ସାମିଲ ହେବେ ସିପିଆଇ ନେତା କହ୍ନେୟା କୁମାର ଏବଂ ଜିଗ୍ନେଶ୍‌ ମେଓ୍ବାନୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କଂଗ୍ରେସରେ ଯୋଗଦେବେ ସିପିଆଇ ନେତା କହ୍ନେୟା କୁମାର ! ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ପୁର୍ବତନ ଛାତ୍ର ସଂସଦ ସଭାପତି ତଥା ସିପିଆଇ ନେତା କହ୍ନେୟା କୁମାର ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି । କଂଗ୍ରେସ ମୁଖ୍ୟାଳୟରେ କହ୍ନେୟା କୁମାରଙ୍କ ସମେତ ଗୁଜୁରାଟରୁ ବିଧାୟକ ଜିଗ୍ନେଶ୍‌ ମେଓ୍ବାନୀ ମଧ୍ୟ କଂଗ୍ରେସରେ ଯୋଗଦେଇପାରନ୍ତି ।

ନ୍ୟୁଜ୍‌ ଏଜେନ୍ସି ANI ପକ୍ଷରୁ ଜାରି ସୂଚନା ଅନୁସାରେ ଏ ନେଇ ଖବର ପ୍ରକାଶ ପାଇଛି । ଗୋଟିଏ ପରେ ଗୋଟିଏ ନିର୍ବାଚନ ହାରୁଥିବା କଂଗ୍ରେସ ଦଳ ଏବେ ଯୁବ ଚେହେରାଙ୍କୁ ଦଳରେ ସାମିଲ କରି ଭୋଟ ବ୍ୟାଙ୍କ ବଢେଇବା ଲକ୍ଷ୍ୟରେ ରହିଛି । ଦଳର ନଜର ଆସନ୍ତା ବର୍ଷ କିଛି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ରହିଛି । ନିର୍ବାଚନ ବୈତରଣୀ ପାର୍‌ ହେବାପାଇଁ କଂଗ୍ରେସ ଏବେ ଜାତୀୟ ସମୀକରଣ ସହିତ ଯୁବ ଚେହେରାଙ୍କୁ ଦଳରେ ସାମିଲ କରି ମାଷ୍ଟର ​‌େ​‌ଷ୍ଟ୍ରାକ୍‌ ଖେଳିବାକୁ ଯାଉଛି । ସିପିଆଇ ନେତା କହ୍ନେୟା କୁମାର ଏବଂ ଜିଗ୍ନେଶ୍‌ ମେଓ୍ବାନୀଙ୍କୁ ଦଳରେ ସାମିଲ କରିବା ଆଗାମୀ ନିର୍ବାଚନରେ କଂଗ୍ରେସ ପାଇଁ ଶୁଭଙ୍କର ହୋଇପାରେ ।

କହ୍ନେୟା କୁମାର : ବିହାରର ବେଗୁସୁରାୟ ହେଉଛି କହ୍ନେୟା କୁମାରଙ୍କ ପୈତୃକ ସ୍ଥାନ । ୨୦୧୯ ଲୋକସଭା ନିର୍ବାଚନରେ ସେ ବେଗୁସୁରାୟରୁ ପ୍ରାର୍ଥୀ ମଧ୍ୟ ହୋଇଥିଲେ । କିନ୍ତୁ ବିଜେପିର ଫାୟାରବ୍ରାଣ୍ଡ୍ ଲିଡର୍ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଠାରୁ ପରାଜିତ ହୋଇଥିଲେ । ବେଗୁସରାୟରେ ଭୂମିହାର ମତଦାତାଙ୍କ ସଂଖ୍ୟା ଅଧିକ । କହ୍ନେୟା କୁମାର ମଧ୍ୟ ଜଣେ ଭୂମିହାର । ତଥାପି ସେ ନିଜକୁ ପ୍ରମାଣିତ କରିବାରେ ବିଫଳ ହୋଇଥିଲେ । ଏହା ପରେ ମଧ୍ୟ ତାଙ୍କ ଉପରେ ଦଳ ନେତୃତ୍ବ ଭାର ଦେବାକୁ ଚାହୁଁଛି । ବିହାର କଂଗ୍ରେସ ନେତା ଅମରିନ୍ଦର ସିଂହ କହିଛନ୍ତି, କହ୍ନେୟା କୁମାର ଦଳରେ ଯୋଗଦେଲେ କଂଗ୍ରେସ ଆହୁରି ମଜବୁତ ହେବ ।

ଜିଗ୍ନେଶ୍‌ ମେଓ୍ବାନୀ : ୨୦୧୭ ନିର୍ବାଚନରେ ହାର୍ଦ୍ଧିକ ପଟେଲ, ଅଳ୍ପେଶ ଠାକୁରଙ୍କ ସମେତ ଜିଗ୍ନେଶ ମେଓ୍ବାନୀ ଯୋଡୀ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ପୂର୍ବରୁ ହାର୍ଦ୍ଧିକ ପଟେଲ କଂଗ୍ରେସରେ ସାମିଲ ହୋଇସାରିଛନ୍ତି । ଅଳ୍ପେଶ୍‌ ଠାକୁର ବିଜେପିକୁ ଚାଲିଯାଇଛନ୍ତି । କିନ୍ତୁ ଜିଗ୍ନେଶ୍‌ ମେଓ୍ବାନୀ କୌଣସି ଦଳରେ ସାମିଲ ହୋଇନଥିଲେ । ଲଗାତାର ଭାବେ ସେ ବିଜେପିକୁ ଟାର୍ଗେଟ୍‌ କରିଆସିଛନ୍ତି । ଗୁଜୁରାଟରେ ମୋଟ ୭ ପ୍ରତିଶତ ଦଳିତ ଶ୍ରେଣୀର ଏବଂ ସେମାନଙ୍କ ପାଇଁ ୧୩ଟି ସିଟ୍‌ ସଂରକ୍ଷିତ ହୋଇ ରହିଛି । ଗତ ନିର୍ବାଚନରେ ଅଧିକାଂଶ ସିଟ୍‌ରେ ବିଜେପି ପ୍ରାର୍ଥୀଙ୍କର ବିଜୟ ହୋଇଥିଲା । ଜିଗ୍ନେଶ ମେଓ୍ବାନୀ ୨୦୧୭ ମସିହା ବିଧାନସଭା ନିର୍ବାଚନରେ ବଡଗାମ୍‌ ଆସନରୁ ନିର୍ଦଳୀୟ ପ୍ରାର୍ଥୀ ହୋଇ ଲଢିଥିଲେ ଏବଂ ବିପୁଳ ଭୋଟରେ ବିଜୟୀ ହୋଇଥିଲେ ।

Leave a Reply

Your email address will not be published.