ୟୁପିଏସସି ୨୦୨୦ ପରୀକ୍ଷାଫଳ, ଶୁଭମ ହେଲେ ଟପ୍ପର

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ପ୍ରକାଶ ପାଇଛି ୟୁପିଏସସି ୨୦୨୦ ପରୀକ୍ଷା ଫଳ। ବିହାର କାଟିହରର ଶୁଭମ କୁମାର ହୋଇଛନ୍ତି ଟପ୍ପର। ଇଂଜିନିଅରରୁ ସେ ବନିଛନ୍ତି ଆଇଏଏସ୍‌। ଜାଗୃତି ଅୱସ୍ତି ଏବଂ ଅଙ୍କିତା ଜୈନ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ୧୯ ବର୍ଷ ପରେ ବିହାରରୁ ଶୁଭମ ହୋଇଛନ୍ତି ୟୁପିଏସସି ଟପ୍ପର। ବିହାରର ଆଲୋକ ରଂଜନ ଝା ୨୦୦୧ରେ ୟିପିଏସସିରେ ଟପ୍ପର ହୋଇଥିଲେ।

ପରୀକ୍ଷାରେ ଟପ୍ପର ହେବା ପରେ ଶୁଭମ କହିଛନ୍ତି, ମୋର ସ୍ୱପ୍ନ ପୂରଣ ହୋଇଛି। ଏକ ଛୋଟିଆ ଗାଁରୁ ଆସିଥିବା ଏହି ଟପ୍ପର ପିଟିଆଇକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କାମ କରିବା ବେଳେ ଗ୍ରାମାଞ୍ଚଳର ବିକାଶ, ରୋଜଗାର ସୃଷ୍ଟି ଏବଂ ଦାରିଦ୍ର୍ୟ ଦୂରିକରଣ ଉପରେ ତାଙ୍କର ଫୋକସ ରହିବ। ୨୪ ବର୍ଷୀୟ ଶୁଭମ ତୃତୀୟ ପ୍ରୟାସରେ ସେ ଏହି ସ୍ଥାନରେ ପହଂଚିଥିବା କହିଛନ୍ତି । ସେ ଇଚ୍ଛାଧୀନ ଭାବରେ ଆନ୍ଥ୍ରୋପୋଲୋଜି ରଖିଥିଲେ। ୨୦୧୯ ୟୁପିଏସସି ପରୀକ୍ଷାରେ ଶୁଭମ ଯୋଗ୍ୟତା ହାସଲ କରିବା ପରେ ଭାରତୀୟ ପ୍ରତିରକ୍ଷା ଆକାଉଣ୍ଟସ ସର୍ଭିସ (IDAS) କୁ ମନୋନୀତ ହୋଇଥିଲେ। ସେହିପରି ୨୦୧୮ ପରୀକ୍ଷାରେ ସେ ପ୍ରଥମ ଥର ପାଇଁ ପରୀକ୍ଷା ଦେଇଥିଲେ। ଆଇଆଇଟି ବମ୍ବେରୁ ସିଭିଲ୍ ଇଞ୍ଜିନିୟରିଂରେ ବିଟେକ କରିଥିଲେ ଶୁଭମ।

ଶୁଭମ କୁମାର କହିଛନ୍ତି ଯେ ପରୀକ୍ଷା ପାଇଁ ପ୍ରସ୍ତୁତି ବେଳେ ତାଙ୍କ ବାପା, କୋଚିଂ ସଂସ୍ଥା ବିଶେଷକରି କୋଚିଂ ଅନୁଷ୍ଠାନର ନିର୍ଦ୍ଦେଶକଙ୍କଠାରୁ ତାଙ୍କୁ ବହୁତ ସମର୍ଥନ ମିଳିଛି। ସେ ଓ ତାଙ୍କର ଜଣେ ବଡ ଭଉଣୀ ରହିଛନ୍ତି । ତାଙ୍କ ବଡ଼ ଭଉଣୀ ଏବେ ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ର (BARC)ରେ ବୈଜ୍ଞାନିକ ଭାବରେ କାର୍ଯ୍ୟରତ। ତାଙ୍କ ବାପା ବିହାରରେ ବ୍ୟାଙ୍କ ମ୍ୟାନେଜର ଭାବରେ କାର୍ଯ୍ୟରତ। ଏହି ପରୀକ୍ଷା ପାଇଁ ତାଙ୍କ ବାପା ବହୁତ ପ୍ରୋତ୍ସାହିତ କରୁଥିଲେ ଏବଂ ଏକ ସକରାତ୍ମକ ମନୋଭାବ ବଜାୟ ରଖିବାରେ ସାହାଯ୍ୟ କରିଥିଲେ ଯାହାର ରେଜଲ୍ଟ ଏବେ ସମସ୍ତଙ୍କ ଆଗରେ ରହିଛି ବୋଲି ଶୁଭମ କହିଛନ୍ତି।

Leave a Reply

Your email address will not be published. Required fields are marked *