ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ : ଠାବ ହେଲା ମାଓ କ୍ୟାମ୍ପ
ମାଲକାନାଗିରି, (ଓଡିଶା ଟାଇମ୍): ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ । ମାଲକାନଗିରି ଜିଲ୍ଲା ମାଥିଲି ଥାନା ତୁଳସୀ ପାହାଡ଼ ନିକଟ କିରିମିଟି ଗାଁ ନିକଟରେ ଠାବ ହୋଇଛି ମାଓ କ୍ୟାମ୍ପ । ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ ହୋଇଛି ।
ଖବର ଅନୁଯାୟୀ, ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସି ପାହାଡ ଉପରେ ଥିବା କିରିମିଟି ଗାଁ ନିକଟରେ ନକ୍ସଲ ମାନେ ଏକ କ୍ୟାମ୍ପ କରି ରହିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏହାପରେ ଜବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା । ଏହି କୁମ୍ବିଂ ଅପରେସନରେ ଏସଓଜି, ଡିଭିଏଫ ଓ ବିଏସଏଫ ବାହୀନି ସାମିଲ ଥିଲେ । ତେବେ ସୁରକ୍ଷା କର୍ମୀଙ୍କ ଆସିବା ଦେଖି ମାଓବାଦୀ ମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ଏହା ପରେ ଜବାନ ମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ ।
ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହେବା ପରେ ନକ୍ସଲ ମାନେ ଛତ୍ରଭଙ୍ଗ ଦେଇଥିଲେ । ଘଟଣା ପରେ ଜବାନଙ୍କ ପକ୍ଷରୁ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହି ସର୍ଚ୍ଚ ଅପରେସନ ସମୟରେ ମାଓ ଶିବିରରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା । ଯାହା ମଧ୍ୟରେ ଅନେକ ଅଫୁଟା ଗୁଳି, ଲ୍ୟାଣ୍ଡମାଇନ, ଡିଟୋନିଟର, ୱାକି ଟକି, ନକ୍ସଲ କିଟ୍ ବ୍ୟାଗ, ପୋଷାକ ଓ ଔଷଧ ସହ ମାଓ ପୋଷ୍ଟର ରହିଛି । ଟପ୍ ମାଓ ନେତା ସୁରେସ ଓରଫ ସୁରାନା ଏହି ମାଓ ଶିବିରରୁ ଖସି ପଳାଇଥିବା ମାଲକାନଗିରି ଏସପି ସୂଚନା ଦେଇଛନ୍ତି ।L