ଶ୍ରୀନଗରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିମାଡ

ଶ୍ରୀନଗର, (ଓଡିଶା ଟାଇମ୍):ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ପୁଣିଥରେ ବୃଦ୍ଧି ପାଇଛି । ବିଭିନ୍ନ ସମୟରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିମାଡ ହେଉଥିବା ଖବର ଆସୁଛି । ଏହି କ୍ରମରେ ଶନିବାର ଶ୍ରୀନଗରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଜଣାପଡିଛି । ୨ ଜଣ ଆତଙ୍କୀଙ୍କୁ ସୁରକ୍ଷାକର୍ମୀମାନେ ଘେରି ରହିଥିଲେ ସୁଦ୍ଧା ଶେଷରେ ଅସ୍ତ୍ରଶସ୍ତ୍ର ଛାଡି ଛତ୍ରଭଙ୍ଗ ଦେଇଛନ୍ତି । ଉଭୟ ପକ୍ଷରୁ ପ୍ରବଳ ଗୁଳିମାଡ ହୋଇଛି । ଭାରତୀୟ ସେନା ପକ୍ଷରୁ ସେଠାରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

ସୂଚନା ଅନୁସାରେ, ଶ୍ରୀନଗରର ଗୁରବାଗ ଅଞ୍ଚଳରେ ୨ ଜଣ ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ଖବର ମିଳିଥିଲା । ଗୁପ୍ତ ସୂତ୍ର ଆଧାରରେ ଜାମ୍ମୁ କାଶ୍ମୀର ପୋଲିସ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ଟିମ ସେଠାରେ ପହଞ୍ଚି ଘେରାବନ୍ଦୀ କରିବା ସହିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ତେବେ ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ପ୍ରଥମେ ସେନା ଉପରକୁ ଗୁଳିମାଡ କରିଥିଲେ । ଭାରତୀୟ ସେନା ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଥିଲା ।

ଚାରିପଟୁ ଆକ୍ରମଣ ହେବାରୁ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ ଆତଙ୍କୀ । ତେବେ ଘଟଣାସ୍ଥଳରୁ ଗୋଟିଏ AK-47 ବନ୍ଧୁକ ଏବଂ ଗୋଟିଏ ପିସ୍ତଲ ଜବତ କରାଯାଇଛି । ଉପାୟ ନପାଇ ଅସ୍ତ୍ରଶସ୍ତ୍ର ଛାଡି ଛତ୍ରଭଙ୍ଗ ଦେଇଛନ୍ତି ଆତଙ୍କବାଦୀ । ବର୍ତ୍ତମାନ ମଧ୍ୟ ସେନା ପକ୍ଷରୁ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । ଉଭୟ ପଟୁ ଗୁଳିମାଡ ବେଳେ କୌଣସି କ୍ଷୟକ୍ଷତି ହୋଇନାହିଁ ।

Leave a Reply

Your email address will not be published. Required fields are marked *