ପ୍ରତିଶୋଧ ନେଲା ଆମେରିକା, ମୁଖ୍ୟ ଷଡ଼ଯନ୍ତ୍ରକାରୀ ନିପାତ

କାବୁଲ, (ଓଡିଶା ଟାଇମ୍): ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଇଏସ୍‌(କେ) ଉପରେ ପ୍ରତିଶୋଧ ନେବାକୁ ଘୋଷଣା କରିବାର ୪୮ ଘଣ୍ଟା ନ ପୂରୁଣୁ ଏହା କାର୍ଯ୍ୟକାରୀ ହୋଇଛି। ଆମେରିକା ସେନା ଆଫଗାନିସ୍ତାନର ନାଙ୍ଗାରହର ପ୍ରଦେଶର ସପ୍ତମ ଜିଲା ଅନ୍ତର୍ଗତ କାଲେ-ଇ-ନାଘରକ୍‌ସ୍ଥିତ ଆଇଏସ୍‌(କେ) ଆଡ୍ଡା ଉପରେ ଶନିବାର ପୂର୍ବାହ୍ଣ(ଭାରତୀୟ ସମୟ)ରେ ଡ୍ରୋନ୍‌ ଆକ୍ରମଣ କରିଛି। କାବୁଲ ବିମାନବନ୍ଦର ନିକଟରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓ ବହୁସଂଖ୍ୟକ ଆତଙ୍କବାଦୀ ନିପାତ ହୋଇଥିବା ଆମେରିକା ସେନା ପକ୍ଷରୁ କୁହାଯାଇଛି। ଏହି ଅଞ୍ଚଳ ପାକିସ୍ତାନ ସୀମାକୁ ଲାଗିଛି। ବିସ୍ଫୋରଣ ପାଇଁ ପାକିସ୍ତାନ ସମସ୍ତ ସହାୟତା ଯୋଗାଇ ଦେଇଥିଲା। ଆଇଏସ୍‌(କେ)ଆତଙ୍କବାଦୀ ସଙ୍ଗଠନକୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋଟକ ସାମଗ୍ରୀ ଯୋଗାଇ ଦେଇଥିବା ଆମେରିକୀୟ ଗୁଇନ୍ଦା ସଂସ୍ଥା ପ୍ରକାଶ କରିଛି ।

ତାଲିବାନ ପକ୍ଷରୁ କାବୁଲ ବିମାନବନ୍ଦର ଅଞ୍ଚଳରେ ଅଧିକ ସୈନ୍ୟ ମୁତୟନ କରାଯାଇଛି। କାବୁଲ ବିସ୍ଫୋରଣରେ ୧୪ ଭାରତୀୟ ଯୁବକ ସାମିଲ ଥିବା ସୂଚନା ମିଳିଛି। ଏହି ଯୁବକମାନେ କେରଳର ଓ ସେମାନେ କିଛି ବର୍ଷ ପୂର୍ବେ ଆତଙ୍କବାଦୀ ସଂଗଠନ ଆଇଏସ-କେରେ ଯୋଗ ଦେଇଥିଲେ। ମଧ୍ୟପ୍ରାଚ୍ୟ ପଟରୁ ଆସିଥିବା ଏକ ଡ୍ରୋନ୍‌ ଆକ୍ରମଣରେ କାର୍‌ରେ ଯାଉଥିବା ଦୁଇ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ବିଦେଶୀ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ। ଏହି ଘଟଣା ପରେ କାବୁଲସ୍ଥିତ ଆମେରିକୀୟ ଦୂତାବାସ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ବିମାନବନ୍ଦର ପରିସରରେ ଥିବା ଆମେରିକୀୟ ନାଗରିକମାନେ ତୁରନ୍ତ ସ୍ଥାନ ଛାଡ଼ି ସୁରକ୍ଷିତ ଅଞ୍ଚଳକୁ ପଳାଇବା ପାଇଁ ପରାମର୍ଶ ଦିଆଯାଇଛି। ଧାର୍ଯ୍ୟ ସମୟ ( ୩୧ ଅଗଷ୍ଟ)ସୁଦ୍ଧା ପ୍ରାୟ ୫ହଜାର ନାଗରିକଙ୍କୁ ଆମେରିକା ଫେରାଇ ନେବ ବୋଲି ହ୍ବାଇଟ୍‌ହାଉସ୍‌ (ଆମେରିକାର ରାଷ୍ଟ୍ରପତି ଭବନ) ପକ୍ଷରୁ କୁହାଯାଇଛି।

ଇତିମଧ୍ୟରେ ଆମେରିକା ଏହାର ସେନା, ସାଧାରଣ ନାଗରିକ, ଅନ୍ୟ ଦେଶର ନାଗରିକ ଓ ଆଫଗାନିସ୍ତାନବାସୀଙ୍କୁ ମିଶାଇ ମୋଟ ୧ ଲକ୍ଷ ୧୧ହଜାରଙ୍କୁ ବିମାନ ଯୋଗେ ନେଇ ସାରିଲାଣି। ଏହା ସତ୍ତ୍ବେ ଆମେରିକୀୟଙ୍କ ପ୍ରତି ଆହୁରି ବିପଦ ରହିଥିବା ଦେଶର ପ୍ରତିରକ୍ଷା କାର୍ଯ୍ୟାଳୟ ପେଣ୍ଟାଗନ୍‌ ପକ୍ଷରୁ କୁହାଯାଇଛି। କାବୁଲ ବିମାନବନ୍ଦର ନିକଟରେ ଥିବା ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏର ଶେଷ ଘାଟି ‘ଇଗଲ ବେସ୍‌’କୁ ଆମେରିକା ସୈନ୍ୟ ଧ୍ବଂସ କରିଦେଇଛନ୍ତି। ବାଇଡେନ୍‌ଙ୍କ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତିକୁ ଆମେରିକା କଂଗ୍ରେସରେ ତୀବ୍ର ସମାଲୋଚନା କରାଯାଇଛି। ସେ ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିଲେ ଆମେରିକୀୟ ସୈନ୍ୟଙ୍କୁ ମରିବାକୁ ଦେଇ ନଥାନ୍ତେ ବୋଲି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି।

ଅନ୍ୟପକ୍ଷରେ ଗୁରୁବାର ହୋଇଥିବା ବିସ୍ଫୋରଣ ଜନିତ ମୃତ୍ୟୁ ସଂଖ୍ୟା ୧୬୯ ସାଧାରଣ ନାଗରିକଙ୍କୁ ମିଶାଇ ୧୮୨ରେ ପହଞ୍ଚିଛି। ଆହୁରି ପ୍ରାୟ ୨୦୦ ଗୁରୁତର ଚିକିତ୍ସାଧୀନ ଅଛନ୍ତି। ବିମାନବନ୍ଦର ନିକଟରେ ଓ କାବୁଲ ନଗରୀରେ ଶନିବାର ପୁନର୍ବାର ଗୁଳିକାଣ୍ଡ ଘଟିଥିଲେ ମଧ୍ୟ ମୃତାହତ ଖବର ମିଳି ନାହିଁ। ବିମାନ ବନ୍ଦର ଫାଟକ ନିକଟରେ ଗୁଳି ଫୁଟିବାରୁ ସୁରକ୍ଷାକର୍ମୀ ଭିଡ଼ କମାଇବା ପାଇଁ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ସୂଚନାନୁଯାୟୀ, ଗୁରୁବାରର ଆକ୍ରମଣରେ ୧୩ ଆମେରିକା ସୈନ୍ୟଙ୍କ ମୃତ୍ୟୁ ହୋଇଥିଲା ଏବଂ ଏହାଙ୍କୁ ମିଶାଇ ୨୦୦୧ରୁ ଅଦ୍ୟାବଧି ଆମେରିକାର ୨୫୦୦ ସୈନ୍ୟ ଆଫଗାନିସ୍ତାନରେ ସହିଦଛନ୍ତି। ଶନିବାର ବ୍ରିଟେନ୍‌ ଏହାର ନାଗରିକଙ୍କ ପ୍ରତ୍ୟାବର୍ତ୍ତନ ଚୂଡ଼ାନ୍ତ କରିଛି। ଅଷ୍ଟ୍ରେଲିଆ ଏହାର ଦୂତାବାସ ବନ୍ଦ କରିଦେଇଛି। ଶନିବାର ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଇଟାଲୀ ପ୍ରତିପକ୍ଷଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛି। ଆଫଗାନିସ୍ତାନ ସଂକଟ ଦୂର ପାଇଁ ଅଧିକ ଆନ୍ତର୍ଜାତିକ ଚାପ ସୃଷ୍ଟି କରିବା ଓ ପୁନର୍ବାର ନିରାପତ୍ତା ପରିଷଦ ବୈଠକ ଆହ୍ବାନ କରିବା ପାଇଁ ଆଲୋଚନା ହୋଇଛି।

Leave a Reply

Your email address will not be published. Required fields are marked *