ହାଇକମାଣ୍ଡଙ୍କୁ ସିଦ୍ଧୁଙ୍କ ଚେତାବନୀ
ଚଣ୍ଡିଗଡ, (ଓଡିଶା ଟାଇମ୍): ବହୁତ ଟଣାଓଟରା ଓ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଇଚ୍ଛା ବିରୋଧରେ ପଞ୍ଜାବ କଂଗ୍ରେସର ସଭାପତି କରାଯାଇଥିବା ନବଜୋତ ସିଂହ ଏବେ ଦଳକୁ ଧମକାଇଛନ୍ତି। ତାଙ୍କୁ ନିଷ୍ପତ୍ତି ନେବାର ଅଧିକାର ଦିଆଯାଉ ବୋଲି ସିଦ୍ଧୁ କହିଛନ୍ତି। ସେ କହିଛନ୍ତି, ଯଦି ତାଙ୍କୁ ନିଷ୍ପତ୍ତି ନେବାରେ ସ୍ଵାଧୀନତା ଦିଆଯିବ ନାହିଁ ତେବେ ସେ ଇଟାରେ ଇଟା ବଜାଇ ଦେବେ। କ୍ରିକେଟରରୁ ରାଜନେତା ପାଲଟିଥିବା ସିଦ୍ଧୁ ଏହି କଥା ଏମିତି ସମୟରେ କହିଛନ୍ତି, ଯେତେବେଳେ ପାର୍ଟି ପକ୍ଷରୁ ଅନ୍ତିମ ଚେତାବନୀ ପରେ ତାଙ୍କର ପରାମର୍ଶଦାତା ମାଲବିନ୍ଦର ସିଂହଙ୍କୁ ଇସ୍ତଫା ଦେବାକୁ ପଡିଛି।
ଏହା ମଧ୍ୟରେ କଂଗ୍ରେସ କହିଛି, ରାଜ୍ୟ ପ୍ରମୁଖ ପାର୍ଟିର ନୀତି ଓ ସମ୍ଵିଧାନ ଅନୁଯାୟୀ, ନିଷ୍ପତ୍ତି ନେବାକୁ ସ୍ଵତନ୍ତ୍ର। କଂଗ୍ରେସ ସାଧାରଣ ସଂପାଦକ ତଥା ପଞ୍ଜାବର ପ୍ରଭାରୀ ହରିଶ ରାଓ୍ଵତ କହିଛନ୍ତି, ଯଦି ରାଜ୍ୟ ସଭାପତି ନିଷ୍ପତ୍ତି ନେବେ ନାହିଁ ତ ନିଷ୍ପତ୍ତି ଆଉ କିଏ ନେବ।
ଅମୃତସରରେ ଏକ ବୈଠକକୁ ସମ୍ବୋଧିତ କରି ସିଦ୍ଧୁ କହିଛନ୍ତି, ପାର୍ଟି ହାଇକମାଣ୍ଡ ତାଙ୍କୁ ନିଷ୍ପତ୍ତି ନେବାର ଅଧିକାର ଦେବା ଉଚିତ୍। ସେ ସୁନିଶ୍ଚିତ କରିବେ ଯେ, ପାର୍ଟି କେମିତି ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ ପଞ୍ଜାବରେ କ୍ଷମତାରେ ରହିବ। ଏଥିପାଇଁ ସେ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ପାର୍ଟି ହାଇକମାଣ୍ଡଙ୍କୁ ମୋତେ ନିଷ୍ପତ୍ତି ନେବାର ସ୍ଵାଧୀନତା ଦେବା ଉଚିତ୍, ନଚେତ୍ ଇଟାରେ ଇଟା ବଜାଇ ଦେବି ବୋଲି ଧମକଭରା ସ୍ଵରରେ କହିଛନ୍ତି ସିଦ୍ଧୁ। ହତିଶ ରାଓ୍ଵତଙ୍କୁ ଯେବେ ସିଦ୍ଧୁଙ୍କ ଏହି ବୟାନକୁ ନେଇ ପ୍ରଶ୍ନ କରାଗଲା, ସେ କହିଛନ୍ତି, ନବଜୋତ ସିଂହ ସିଦ୍ଧୁ କେଉଁ ସଂଦର୍ଭରେ ଏହି ବୟାନ ଦେଇଛନ୍ତି ତାହା ଦେଖିବାକୁ ପଡିବ। ସିଦ୍ଧୁ ପଞ୍ଜାବ ପ୍ରଦେଶ କଂଗ୍ରେସ ସଭାପତି। ରାଜ୍ୟ ସଭାପତିଙ୍କୁ ନିଷ୍ପତ୍ତି ନେବାର ସ୍ଵାଧୀନତା ରହିବ ନାହିଁ ତ ଆଉ କାହା ପାଖରେ ରହିବ। ରାଜ୍ୟ ଅଧ୍ୟକ୍ଷଙ୍କୁ ପାର୍ଟିର ସମ୍ବିଧାନ ଓ ନିୟମ ଅନୁଯାୟୀ ନିଷ୍ପତ୍ତି ନେବାର ଅଧିକାର ରହିଛି ବୋଲି ରାଓ୍ଵତ କହିଛନ୍ତି।











