କରାଚୀରେ ଭୀଷଣ ଦୁର୍ଘଟଣା: କେମିକାଲ ଫ୍ୟାକ୍ଟ୍ରିରେ ନିଆଁ ଲାଗି ଜିଅନ୍ତା ଜଳିଗଲେ ୧୫ ଜଣ, ଉଦ୍ଧାରକାର୍ଯ୍ୟ ଜାରି

କରାଚୀ,(ଓଡିଶା ଟାଇମ୍): ପାକିସ୍ତାନ କରାଚୀରେ ଭୀଷଣ ଦୁର୍ଘଟଣା ହୋଇଛି। କରାଚୀ ମେହେରାନ ସହରରେ ଥିବା କେମିକାଲ କାରଖାନାରେ ନିଆଁ ଲାଗିବାରୁ ପ୍ରାୟ ୧୫ ଜଣ ଜିଅନ୍ତା ଜାଳି ଯାଇଛନ୍ତି। ନିଆଁ ଲିଭାଇବା ସହ ମୃତଦେହ ବାହାର କରିବା ଜାରି ରହିଛି। ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି।

ପାକିସ୍ତାନ ଗଣମାଧ୍ୟମ ଅନୁଯାୟୀ, ପୋଲିସ ଅଧିକାରୀ କହିଛନ୍ତି ଯେ ଏବେ ସୁଦ୍ଧା ୧୫ ଶବ ବାହାର କରାଯାଇଛି। କାରଖାନା ଭିତରେ ଆହୁରି ୨୫ ଜଣ ଫସି ରହିଛନ୍ତି। ଭିତରେ ଫସି ରହିଥିବା ଏହି ୨୫ ଜଣ ମଧ୍ୟ ପ୍ରାଣ ହରାଇଥିବେ ବୋଲି ଆଶଙ୍କା କରାଯାଉଛି। ପାକିସ୍ତାନୀ ରେଞ୍ଜର୍ସର ପ୍ରବକ୍ତାଙ୍କ ଅନୁଯାୟୀ, କାରଖାନାରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ପାକିସ୍ତାନୀ ରେଞ୍ଜର୍ସ ମଧ୍ୟ ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି।

ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ସକାଳେ ୧୦ଟା ସମୟରେ ନିଆଁ ଲାଗିଥିଲା। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚିଥିଲେ। ସେଥିପାଇଁ ଏତେ ଜଣଙ୍କ ମୃତ୍ୟୁ ହୋଇଛି। ଉଦ୍ଧାରକାର୍ଯ୍ୟରେ ଲାଗିଥିବା କର୍ମଚାରୀଙ୍କୁ ଧୂଆଁ ପାଇଁ ସମସ୍ୟା ସମ୍ମୁଖୀନ ହେବାକୁ ପଡିଥିଲା। ଶବଗୁଡିକୁ ବାହାର କରି ଜିନ୍ନା ହସ୍ପିଟାଲ ପଠାଇ ଦିଆଯାଇଛି। କିଛି ଶବର ପରିଚୟ ମିଳିଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୪ ଜଣ ସାମିଲ ଅଛନ୍ତି। ଉଦ୍ଧାର ସମୟରେ ଅଗ୍ନିଶମ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଅଗ୍ନିଶମ ବିଭାଗ ଅଧିକାରୀ କହିଛନ୍ତି ଯେ, ଅନେକ ଉତ୍ପାଦ ପ୍ରସ୍ତୁତ ପାଇଁ ଏଠାରେ କେମିକାଲ ବ୍ୟବହାର କରାଯାଏ। କୌଣସି ଏକ କେମିକାଲ ଡ୍ରମରେ ନିଆଁ ଲାଗି ପୁରା କାରଖାନାରେ ବ୍ୟାପି ଯାଇଥିଲା। କାରଖାନାରେ ବାହାରିବାକୁ ଗୋଟିଏ ହିଁ ରାସ୍ତା ଥିଲା। ସେଥିପାଇଁ ଭିତରେ କାମ କରୁଥିବା କର୍ମଚାରୀ ଓ ଶ୍ରମିକ ବାହାରି ପାରିନଥିଲେ।

Leave a Reply

Your email address will not be published. Required fields are marked *