ସ୍ବାଧୀନତା ଦିବସରେ ବଡ ଧରଣର ଆତଙ୍କୀ ଆକ୍ରମଣ ଯୋଜନା ପଣ୍ଡ : ଜୈଶ୍ ସଂଗଠନର ୪ ଆତଙ୍କବାଦୀ ଗିରଫ
ଶ୍ରୀନଗର, (ଓଡିଶା ଟାଇମ୍): ସ୍ବତନ୍ତ୍ରତା ଦିବସର ଗୋଟିଏ ଦିନ ପୂର୍ବରୁ ଜାମ୍ମୁ କାଶ୍ମୀରରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ପଣ୍ଡ ହୋଇଛି । କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି ଜାମ୍ମୁ କାଶ୍ମୀର ପୋଲିସ । ସ୍ବାଧୀନତା ଦିବସରେ ଆଇଡି ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ ଆତଙ୍କବାଦୀ । ଯାହାକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ ।
ଜାମ୍ମୁ କାଶ୍ମୀରରେ ଲଗାତାର ଭାବେ ଆତଙ୍କବାଦ ବିରୋଧି ଅଭିଯାନ ଜାରି ରହିଛି । ଏହି କ୍ରମରେ ଶନିବାର ଜୈଶ-ଇ-ମହମ୍ମଦର ୪ ଜଣ ଆତଙ୍କବାଦୀ ଏବଂ ସେମାନଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଛି । ଏମାନେ ସମସ୍ତେ ଡ୍ରୋନ ସହାୟତାରେ ଘାଟିରେ ଥିବା ଆତଙ୍କବାଦୀଙ୍କ ନିକଟକୁ ଅସ୍ତ୍ରଶସ୍ତ୍ର ପଠାଇବା ପାଇଁ ଯୋଜନା କରୁଥିଲେ । ଏହା ସହିତ ଗିରଫ ଆତଙ୍କବାଦୀମାନେ ଆସନ୍ତାକାଲି ବାଇକ୍ ସହାୟତାରେ ଆଇଇଡି ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ । ପ୍ରଥମେ ମୁନ୍ତଜିର ମଞ୍ଜୁର ନାମକ ଜଣେ ଆତଙ୍କବାଦୀକୁ ଗିରଫ କରିଥିଲା ପୋଲିସ । ସେ ପୁଲଓ୍ବାମା ବାସିନ୍ଦା ଏବଂ ଜୈଶ ସଂଗଠନ ପକ୍ଷରୁ କାମ କରୁଥିଲା । ତା ନିକଟରୁ ଗୋଟିଏ ପିସ୍ତଲ, ଗୋଟିଏ ମାଗାଜିନ ଏବଂ ୮ ରାଉଣ୍ଡ କାରତୁସ୍ ଜବତ କରାଯାଇଥିଲା । ଅସ୍ତ୍ରଶସ୍ତ୍ର ନେବା ପାଇଁ ଗୋଟିଏ ଟ୍ରକ ବ୍ୟବହାର କରିଥିଲା । ଉକ୍ତ ଟ୍ରକକୁ ମଧ୍ୟ ସିଜ୍ କରାଯାଇଥିବା ସୂଚନା ମିଳିଛି ।
ଏହା ପରେ ଆଉ ୩ ଜଣ ଆାତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା । ଉତ୍ତରପ୍ରଦେଶର ଇଜହାର ଖାନ ନାମକ ଜଣେ ଆତଙ୍କବାଦୀକୁ ଗିରଫ କରାଯାଇଥିଲା ଯିଏକି ପାନିପତ୍ ରେ ଥିବା ଏକ ଅଏଲ ରିଫଇନାରି କମ୍ପାନୀର ଭିଡିଓ ଉଠାଇ ପାକିସ୍ତାନ ପଠାଇଥିଲା । ଏଥିପାଇଁ ତାକୁ ସୁପାରୀ ଦେଇଥିଲା ଜୈଶ କମାଣ୍ଡର ମୁନଜିର ଖାନ । ଏହା ଛଡା ଅଯୋଧ୍ୟାର ରାମ ମନ୍ଦିରର ଭିଡିଓ କରିବା ପାଇଁ ମଧ୍ୟ କୁହାଯାଇଥିଲା । କିନ୍ତୁ ଏହା ପୂର୍ବରୁ ସେ ପୋଲିସ କବଜାରେ ପଡିଥିଲା । ସେହିଭଳି ଗିରଫ ଆଉ ୨ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଶୋପିଆନ୍ ଅଞ୍ଚଳର ଅହମ୍ମଦ ଶାହା ଏବଂ ଆଉ ଜଣେ ପୁଲଓ୍ବାମାର ଜାହାଙ୍ଗୀର ଅହମ୍ମଦ ଭଟ୍ଟ ବୋଲି ଜଣାପଡିଛି । ସେ କାଶ୍ମୀରରେ ଫଳ ବ୍ୟବସାୟ କରେ । ଆତଙ୍କବାଦୀଙ୍କ ସହିତ ମିଶି ବଡ ଧରଣର ଆକ୍ରମଣ କରିବା ପାଇଁ ଯୋଜନା କରୁଥିଲା । ଏହା ପୂର୍ବରୁ ତାକୁ ଗିରଫ କରିଛି ପୋଲିସ ।