ବୁଣାକାରଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟର ବୁଣାକାରମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କୃଷି ପରେ ହସ୍ତତନ୍ତ ହିଁ ଗ୍ରାମାଞ୍ଚଳରେ ସର୍ବାଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ । ବର୍ତ୍ତମାନ ରାଜ୍ୟର ଲକ୍ଷାଧିକ ଲୋକ ହସ୍ତତନ୍ତ ଉପରେ ନିର୍ଭର କରନ୍ତି । ବୁଣାକାରମାନେ ସେମାନଙ୍କ ଦକ୍ଷତା ଦ୍ବାରା ଓଡିଶାର ମହାନ ସାଂସ୍କୃତିକ ପରମ୍ପରାକୁ ହସ୍ତତନ୍ତ ଜରିଆରେ ସାରା ବିଶ୍ବରେ ଉପସ୍ଥାପନ କରିଆସୁଛନ୍ତି ଏବଂ ଓଡିଶାର ତିଆରି ହସ୍ତତନ୍ତର ମଧ୍ୟ ବିଶେଷ ଚାହିଦା ରହିଛି ।

କିନ୍ତୁ ମହାମାରୀ କୋଭିଡ୍ ପରିପ୍ରେକ୍ଷୀରେ ଗତ ଦୁଇ ବର୍ଷରେ ହସ୍ତତନ୍ତ ବ୍ୟବସାୟ ଗଭୀର ଭାବରେ ପ୍ରଭାବିତ ହୋଇଛି ଏବଂ ଆମର ହଜାର ହଜାର ବୁଣାକାରମାନଙ୍କ ରୋଜଗାରରେ ମଧ୍ୟ ହ୍ରାସ ଘଟିଛି । ଏହି ପ୍ୟାକେଜରେ କଂକ୍ରିଟ୍ ହୋଇନଥିବା ୧୫,୦୦୦ ଲୁମ୍ ପିଟ୍ କୁ ପର୍ଯ୍ୟାୟକ୍ରମେ ଆଗାମୀ ତିନି ବର୍ଷରେ କଂକ୍ରିଟ୍ କରାଯିବ । ପ୍ରତି ଲୁମ୍ ପିଟ୍ କଂକ୍ରିଟ ପାଇଁ ୭୦୦୦ ଟଙ୍କା ଲେଖାଏ ଖର୍ଚ୍ଚ କରାଯିବ।

ସୂଚନାଯୋଗ୍ୟ ଯେ, ରାଜ୍ୟର ୩୧,୩୪୨ଟି ଲୁମ୍ ପିଟ୍ ମଧ୍ୟରୁ ଏପର୍ଯ୍ୟନ୍ତ ୧୫,୦୭୧ଟି ଲୁମ୍ ପିଟ୍ କୁ କଂକ୍ରିଟ କରାଯାଇଛି । ସେହିପରି ୩୦୦୦ ବୁଣାକାର ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ୟାକେଜ ଅଧିନରେ ପ୍ରାଥମିକତା ଭିତ୍ତିରେ ହାଉସ୍-କମ୍-ଓ୍ବାର୍କ ସେଡ୍  ଯୋଗାଇ ଦିଆଯିବ । ଏ ପର୍ଯ୍ୟନ୍ତ ୧୧୬୯୫ଟି ହାଉସ୍-କମ୍-ଓ୍ବାର୍କ ସେଡ୍  ବୁଣାକାର ପରିବାରକୁ ଯୋଗାଇ ଦିଆଯାଇଛି ।  ଲୁଗାବୁଣା ଏବଂ କୁଟୀର ଶିଳ୍ପ ଉତ୍ପାଦନ ପ୍ରକ୍ରିୟାରେ ପରିବାରର ସଦସ୍ୟମାନେ ମଧ୍ୟ ସହଯୋଗ କରିଥାନ୍ତି । ସେହିପରି ଡିଜାଇନ ପ୍ରସ୍ତୁତି ମଧ୍ୟ ଏକ ଜଟିଳ ପ୍ରକ୍ରିୟା । ତେଣୁ ବୁଣାକାରମାନଙ୍କ ଆଖି ଉପରେ ଯେପରି ବିଶେଷ  ଚାପ ନ ପଡିବ ଏବଂ ସେମାନେ  ଦୀର୍ଘ ସମୟ କାମ କରିପାରିବେ, ସେଥିପାଇଁ   ସେମାନଙ୍କୁ ଏହି ଯୋଜନାରେ  ବିଜୁଳି ଆଲୁଅ ଓ ବିଜୁଳି ପଙ୍ଖା ଯୋଗାଇ ଦିଆଯିବ।ସେହିପରି ସମସ୍ତ ଯୋଗ୍ୟ ବୁଣାକାର ପରିବାରକୁ ଅଗ୍ରାଧିକାର ଭିତ୍ତିରେ ବାସଗୃହ ଯୋଗାଇ ଦେବା ପାଇଁ ନିଷ୍ପତ୍ତି କରାଯାଇଛି । ପଞ୍ଚାୟତରାଜ ବିଭାଗର ଗାଇଡ୍ ଲାଇନ୍ ଅନୁସାରେ ଏଥିପାଇଁ ହିତାଧିକାରୀ ଚୟନ କରାଯିବ ।

ଏହି ପ୍ୟାକେଜରେ ବୁଣାକାରମାନେ ଯେପରି ସୁବିଧାରେ ଋଣ ପାଇ ପାରିବେ ତା ଉପରେ ଗୁରୁତ୍ବ ଦିଆଯାଇଛି । ବୁଣାକାରମାନଙ୍କୁ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବୁଣାକାରମାନଙ୍କର ଉତ୍ପାଦନ ସାମଗ୍ରୀ ରଖିବା ନିମନ୍ତେ ବିଭିନ୍ନ ଗୋଷ୍ଠୀ ଭିତ୍ତିଭୂମି ଯଥା – CFC, ଗୋଦାମ ଓ ବିକ୍ରୟ କେନ୍ଦ୍ର ଆଦି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଜରିଆରେ କରାଯିବ ।

Leave a Reply

Your email address will not be published. Required fields are marked *