ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ୧୫ ପରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର, (ଓଡିଶା ଟାଇମ୍): ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା ଧୀରେ ଧୀରେ ଲଘୁଚାପରେ ପରିଣତ ହେବ । ପ୍ରଭାବରେ ୧୫ ତାରିଖ ପରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି । ଲଘୁଚାପ ଜନିତ ବର୍ଷା ହେଲେ ବହୁ ମାତ୍ରାରେ ନିଅଣ୍ଟିଆ ବର୍ଷାକୁ ଭରଣା କରିପାରିବ ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ପରେ ସେପ୍ଟେମ୍ବର ମାସରେ ପୁଣି ଲଘୁଚାପ ଜନିତ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି ।
ଶ୍ରୀ ମହାପାତ୍ରଙ୍କ କହିଛନ୍ତି, ବଙ୍ଗୋପସାଗରରେ ଲଗୁଚାପ ସୃଷ୍ଟି ହେଲେ ଓଡ଼ିଶାରେ ବର୍ଷା ହୋଇଥାଏ । ମାତ୍ର ଅଗଷ୍ଟ ମାସରେ ଏପର୍ଯ୍ୟନ୍ତ କୌଣସି ଲଘୁଚାପ ସୃଷ୍ଟି ହେଲା ନାହିଁ । ଯେଉଁଥିପାଇଁ ନିଅଣ୍ଟିଆ ବର୍ଷା ହୋଇଛି । ଯାହା ଜଣାପଡ଼ୁଛି ଆସନ୍ତା ୧୫ ତାରିଖ ଯାଏଁ ଏଭଳି ନିଅଣ୍ଟିଆ ବର୍ଷା ଲାଗି ରହିବ । ଅଳ୍ପ କେତେକ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । କିନ୍ତୁ ସକ୍ରିୟ ମୌସୁମୀ ବର୍ଷା ୧୫ ତାରିଖ ପରେ ହେବ ବୋଲି ଶ୍ରୀ ମହାପାତ୍ର ଆକଳନ କରିଛନ୍ତି ।
ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ଆସନ୍ତା ଦୁଇରୁ ତିନି ଦିନ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ । ମାତ୍ର ୧୬ରୁ ୨୦ ପର୍ଯ୍ୟନ୍ତ ବର୍ଷା ବଢ଼ିବ । ୧୬ରୁ ୧୮ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବା ସହିତ ୧୮ରୁ ୨୦ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ଡ. ସାହୁ ଆକଳନ କରିଛନ୍ତି ।
ଅପରପକ୍ଷେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି, ଟ୍ରପ୍ ଲାଇନ୍ ପ୍ରଭାବରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବ । ମାତ୍ର ୧୬ରୁ ୧୯ ପର୍ଯ୍ୟନ୍ତ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।