୨୩ରୁ ଭୁବନେଶ୍ୱରରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ
ଭୁବନେଶ୍ବର, (ଓଡିଶା ଟାଇମ୍): ଅଗଷ୍ଟ ୨୩ ତାରିଖରୁ ଖୋଲିବ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରେ ଥିବା ସମସ୍ତ ଧର୍ମାନୁଷ୍ଠାନ। କୋଭିଡ୍ ପ୍ରୋଟୋକଲ୍ ଭିତରେ ଏହି ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। ଏନେଇ ବିଏମ୍ସି ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଛି। ତେବେ ଶ୍ରୀ ଲିଙ୍ଗରାଜ ମନ୍ଦିର ୨୩ ତାରିଖରେ ଖୋଲିବ କି ତା’ପରେ ଖୋଲିବ, ସେ ନିଷ୍ପତ୍ତି ମନ୍ଦିର ପ୍ରଶାସନ ନେବେ ବୋଲି କୁହାଯାଇଛି।
ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ, ଦର୍ଶନ ପାଇଁ ଭକ୍ତମାନେ ମନ୍ଦିର ଭିତରକୁ ଯାଇ ପାରିବେ, କିନ୍ତୁ ଗର୍ଭଗୃହ ଭିତରକୁ ଯାଇ ଦର୍ଶନ କରିପାରିବେ ନାହିଁ। ସେହିପରି ଭକ୍ତମାନେ ସାଙ୍ଗରେ ଭୋଗ ନେଇ ଯାଇପାରିବେ ନାହିଁ। ସେହିପରି ସମସ୍ତ ମସ୍ଜିଦ୍, ଚର୍ଚ୍ଚ ଓ ଗୁରୁଦ୍ୱାର ମଧ୍ୟ ୨୩ ତାରିଖରୁ ଖୋଲିବ।
ମନ୍ଦିର, ମସ୍ଜିଦ୍, ଚର୍ଚ୍ଚ ଓ ଗୁରୁଦ୍ୱାର ଭିତରକୁ ଏକାଥରକେ କେବଳ ସେତିକି ଭକ୍ତଙ୍କୁ ପ୍ରବେଶ ମିଳିବ ଯେପରିକି ସେମାନଙ୍କ ମଧ୍ୟରେ ସେଠାରେ ୬ ଫୁଟ୍ ଦୂରତା ରହିପାରିବ। କୌଣସି ସ୍ଥିତିରେ ଧର୍ମାନୁଷ୍ଠାନ ଭିତରେ ସାମାଜିକ ଦୂରତ୍ୱ କଟକଣାକୁ ଉଲ୍ଲଂଘନ କରାଯାଇପାରିବ ନାହିଁ। ଅତିବେଶିରେ ଗୋଟିଏ ଥରରେ ୨୫ ଜଣ ଭକ୍ତଙ୍କୁ ଭିତରକୁ ଯିବାକୁ ଅନୁମତି ଦିଆଯାଇପାରିବ ବୋଲି ବିଏମ୍ସି ପକ୍ଷରୁ ଜାରି କରାଯାଇଥିବା ଗାଇଡ୍ଲାଇନ୍ରେ କୁହାଯାଇଛି।
ସେହିପରି ରୀତିନୀତି ସଂପନ୍ନ କରୁଥିବା ପୂଜକ ବା ସେବାୟତଙ୍କ ଆର୍ଟିପିସିଆର୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବା ତଥା ସେ ଦୁଇ ଡୋଜ୍ ଟିକା ନେଇଥିବା ଆବଶ୍ୟକ। ଏ କଥା ସମସ୍ତ ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷ ସୁନିଶ୍ଚିତ କରିବେ। କୋଭିଡ୍ ପ୍ରୋଟୋକଲ ଅନୁସାରେ ସମସ୍ତ ପୂଜକ ବା ସେବାୟତ ସର୍ବଦା ମାସ୍କ ପିନ୍ଧିବେ।
ସମସ୍ତ ଭକ୍ତ ମଧ୍ୟ ମାସ୍କ ପିନ୍ଧିବେ ଓ ସର୍ବଦା ସେମାନଙ୍କ ମଧ୍ୟରେ ୬ ଫୁଟ୍ ଦୂରତା ରହିବା ଆବଶ୍ୟକ। ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷ ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ନିକଟରେ ହାତ ଧୋଇବା ପାଇଁ ବ୍ୟବସ୍ଥା କରିବେ ଓ ହ୍ୟାଣ୍ଡ ସାନିଟାଇଜର ବି ରଖିବେ।
ଧର୍ମାନୁଷ୍ଠାନ ପରିସରରେ ବା ଏହା ବାହାରେ କେହି ଛେପ ପକାଇ ପାରିବେ ନାହିଁ କି ପାନ ଓ ଗୁଟ୍ଖା ଖାଇ ପାରିବେ ନାହିଁ। ଅସୁସ୍ଥ ଥିବା ଲୋକଙ୍କୁ ଧର୍ମାନୁଷ୍ଠାନ ଭିତରକୁ ପ୍ରବେଶ ନ କରିବାକୁ କୁହାଯାଇଛି। ତା’ସହିତ ବୃଦ୍ଧବୃଦ୍ଧା, ଗର୍ଭବତୀ ଓ ୧୮ ବର୍ଷରୁ କମ୍ ବୟସ୍କଙ୍କୁ ଧର୍ମାନୁଷ୍ଠାନ ନଆସିବାକୁ ପରାମର୍ଶ ଦିଆଯାଇଛି।











