ଦିଲ୍ଲୀରେ ଭୂଷୁଡିଲା ୩ ମହଲା ବିଲ୍ଡିଂ, କୋଠା ତଳେ ଲୋକେ ଦବି ରହିଥିବା ଆଶଙ୍କା
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ରାଜଧାନୀ ଦିଲ୍ଲୀର ନନ୍ଦନଗରୀ ଅଞ୍ଚଳରେ ଶନିବାର ମଧ୍ୟାହ୍ନ ପ୍ରାୟ ସାଢେ ଗୋଟାଏ ବେଳେ ଭୀଷଣ ଦୁର୍ଘଟଣା ଘଟିଛି। ଏକ ତିନି ମହଲା କୋଠା ଅଚାନକ ଭୂଷୁଡି ପଡିଥିବା ବେଳେ ଏଠାରେ ରହୁଥିବା ଅନେକ ଲୋକ କୋଠା ତଳେ ଦବି ରହିଥିବାର ଆଶଙ୍କା କରାଯାଉଛି। ସୂଚନା ପାଇ ପୋଲିସ ଓ ଦମକଳ ବିଭାଗ ଉଦ୍ଧାରକାରୀ ଦଳ ପହଞ୍ଚି କୋଠା ତଳୁ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୨ ଜଣ ଲୋକଙ୍କୁ ଘର ତଳୁ ବାହାର କରାଯାଇଥିବା ବେଳେ ସେମାନେ ଗୁରୁତର ଆହତ ହୋଇଥିବା ଦେଖାଯାଇଛି. ଉଦ୍ଧାର ହୋଇଥିବା ଲୋକଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ୬ଟି ଦମକଳ ନିୟୋଜିତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ବିଲ୍ଡିଂର ତଳ ମହଲାରେ କେତେକ ଦୋକାନଘର ଥିଲା। ଏଣୁ ଘର ତଳେ ଆହୁରି ୪ ଜଣ ଲୋକେ ଦବି ରହିଥିବାର ଆଶଙ୍କା କରାଯାଉଛି।
ସେମାନଙ୍କ ମଧ୍ୟରୁ ଜଣକୁ ସ୍ଥାନୀୟ ଲୋକେ ବାହାର କରିଦେଇଥିବା ବେଳେ ଅନ୍ୟ ଜଣକୁ ଦମକଳ ବିଭାଗର କର୍ମଚାରୀମାନେ ବାହାର କରିଛନ୍ତି। ତେବେ ଅନ୍ୟ ୨ ଜଣଙ୍କ ସମ୍ପର୍କରେ ସୂଚନା ମିଳିପାରୁ ନାହିଁ। ଦମକଳ ବିଭାଗ କର୍ମଚାରୀ ଯୁଦ୍ଧକାଳୀନ ଭିତ୍ତିରେ ଘରର ଢଳେଇ କାଟି ଇଟା ସିମେଣ୍ଟ ହଟାଉଛନ୍ତି। ଖୁବ୍ ଶୀଘ୍ର ଘର ଭିତରେ ଥିବା ଅନ୍ୟ ଲୋକଙ୍କୁ ବାହାର କରି ଅଣାଯାଇପାରିବ ବୋଲି ସ୍ଥାନୀୟ ଲୋକେ ଆଶାବ୍ୟକ୍ତ କରିଛନ୍ତି।











