ଆଜିଠୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ବାବା ଧବଳେଶ୍ବର
କଟକ, (ଓଡିଶା ଟାଇମ୍): ଆଜିଠୁ ଖୋଲିଲା କଟକ ଜିଲ୍ଲାର ଆଠଗଡ଼ର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ୱର । ଆଜି ଭୋରରୁ ମନ୍ଦିର ଖୋଲାଯାଇ ସମସ୍ତ ନୀତିକାନ୍ତି କରାଯାଇଛି । ମଙ୍ଗଳ ଆଳତୀ ସରିବା ପରେ ସର୍ବସାଧାରଣ ଦର୍ଶନ ପାଇଁ ଦ୍ୱାର ଫିଟାଯାଇଛି । ତେବେ ମନ୍ଦିର ଭିତରକୁ ବାହାର ଭୋଗକୁ ବାରଣ କରାଯାଇଛି । ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ରହିଛି ।
ଧବଳେଶ୍ୱର ପୀଠକୁ ଯିବା ପାଇଁ ଝୁଲାପୋଲ ଦେଇ ଗୋଟିଏ ଥରରେ ୫୦ ଜଣଙ୍କୁ ଯିବା ପାଇଁ ଅନୁମତି ଦିଆଯାଇଛି। ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍ ଏବଂ ୬୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶ ବାରଣ କରାଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୮ଟା ଯାଏଁ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଛି ।
ସେପଟେ ଆଜିଠାରୁ ଜଗତସିଂହପୁରର ଶାରଳା ମନ୍ଦିର ଓ ଗୋରେଖନାଥ ମନ୍ଦିର ମଧ୍ୟ ଭକ୍ତଙ୍କ ପାଇଁ ଖୋଲିଛି। ସକାଳ ସାଢେ ୭ଟାରେ ମନ୍ଦିର ଖୋଲିଥିବା ବେଳେ ଆଳତୀ ପୂର୍ବରୁ ସନ୍ଧ୍ୟା ୬ଟାରେ ବନ୍ଦ ହେବ । ମନ୍ଦିର ଗର୍ଭଗୃହ ମଧ୍ୟକୁ କାହାକୁ ଛଡାଯିବ ନାହିଁ । ମନ୍ଦିର ପରିସରରେ ଭୋଗ କିମ୍ବା ପ୍ରସାଦ ସେବନ ବାରଣ କରାଯାଇଛି । ଥରକେ ମନ୍ଦିର ଭିତରକୁ ୧୫ ଜଣଙ୍କୁ ଛଡାଯିବ । ସେହିପରି ଖୋର୍ଦ୍ଧା ଉପଖଣ୍ଡରେ ମନ୍ଦିର, ମସଜିଦ୍, ଚର୍ଚ୍ଚ ଆଦି ଧର୍ମାନୁଷ୍ଠାନ ଖୋଲିବା ପାଇଁ ବିଚାରବିମର୍ଷ ଚାଲୁଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଅଗଷ୍ଟ ମାସର ଗାଇଡଲାଇନ୍ରେ ରାଜ୍ୟ ସରକାର କୋଭିଡ୍ କଟକଣା କୋହଳ କରିଥିଲେ। ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ଉପରେ ଛାଡ଼ିଥିଲେ ଏସ୍ଆର୍ସି। ଏହା ମନ୍ଦିର ଖୋଲିବା ଦାବି ଜୋର ଧରିଥିଲା। ପ୍ରଶାସନିକ ଅଧିକାରୀ ଓ ଧର୍ମାନୁଷ୍ଠାନ କର୍ମକର୍ତ୍ତାଙ୍କ ସହିତ ଆଲୋଚନା ପରେ ବାବା ଧବଳେଶ୍ୱର ଓ କଟକ ଟାଉନ୍ ଅଞ୍ଚଳ ବ୍ୟତୀତ ସମଗ୍ର ଜିଲ୍ଲାରେ ଧର୍ମାନୁଷ୍ଠାନ ଖୋଲିବାକୁ ଜିଲ୍ଲାପାଳ ଘୋଷଣା କରିଥିଲେ।











