ସୀମାରୁ ହଟିବେ ସୁରକ୍ଷା କର୍ମୀ, ସମାଧାନ ପାଇଁ ଆସାମ-ମିଜୋରାମ ରାଜି

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆସାମ ଏବଂ ମିଜୋରାମ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ସୀମା ବିବାଦ ସମସ୍ୟାର ହେବ ସମାଧାନ। ଗୁରୁବାର ଦୁଇ ରାଜ୍ୟ ମଧ୍ୟରେ ହୋଇଥିବା ଆଲୋଚନାରେ ଏହି ନିର୍ଯାସ ବାହାରିଛି। ଉଭୟ ରାଜ୍ୟ ଆଲୋଚନା ଜରିଆରେ ସମସ୍ୟାର ସମାଧାନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଥିସହ ଦୁଇ ରାଜ୍ୟର ସୀମାରେ ଯେଉଁ ସ୍ଥାନକୁ ନେଇ ବିବାଦ ରହିଛି ସେହି ସ୍ଥାନରୁ ପୁଲିସ ଫୋର୍ସ ମୁତୟନ ନକରିବାକୁ ମଧ୍ୟ ଦୁଇ ରାଜ୍ୟ ନିଷ୍ପତ୍ତି ନେଇଛନ୍ତି। ଏହାବାଦ ଆସାମ ସରକାର ମିଜୋରାମକୁ ନଯିବା ପାଇଁ ଯେଉଁ ଟ୍ରାଭେଲ ଆଡଭାଇଜରି ଜାରି କରିଥିଲେ ତାକୁ ବାତିଲ କରିବାକୁ ଆସାମ ସରକାର ନିଷ୍ପତ୍ତି ନେଇଛନ୍ତି l

ଗୁରୁବାର ଉଭୟ ରାଜ୍ୟର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହାପରେ ଆସାମ ଏବଂ ମିଜୋରାମ ସରକାର ଏକାଠି ଏକ ବିବୃତ୍ତି ଜାରି କରିଛନ୍ତି। ଯେଉଁଥିରେ ଆନ୍ତଃ ରାଜ୍ୟ ସୀମା ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ଉଭୟ ରାଜ୍ୟ ସରକାର ସହମତି ପ୍ରକାଶ କରିଛନ୍ତି। ଦୁଇ ରାଜ୍ୟର ନିଷ୍ପତ୍ତିକୁ କେନ୍ଦ୍ର ସରକାର ସ୍ୱାଗତ କରିଛନ୍ତି। ଏଥିସହ ଉଭୟ ରାଜ୍ୟ ବିବାଦୀୟ ସୀମା ଅଞ୍ଚଳରେ ପାଟ୍ରୋଲିଂ ଏବଂ ସୁରକ୍ଷା ପାଇଁ ପୁଲିସ ମୁତୟନ କରିବେ ନାହିଁ ବୋଲି ସହମତି ପ୍ରକାଶ ପାଇଛି।

ବିବାଦୀୟ ଅଞ୍ଚଳ ଭିତରେ ଆସାମ-ମିଜୋରାମ ସୀମାରେ କରିମଗଞ୍ଜ, ହାଇଲକାଣ୍ଡି ଏବଂ ଆସାମର କଚର ଜିଲ୍ଲା ଏବଂ ମିଜୋରାମର ମମିତ ଏବଂ କୋଲାସିବ ଜିଲ୍ଲା ଅନ୍ତର୍ଭୁକ୍ତ। ଦୁଇ ରାଜ୍ୟ ମଧ୍ୟରେ ଯାନବାହାନ ଚଳାଚଳ ଆରମ୍ଭ କରିବାକୁ ସହମତି ପ୍ରକାଶ ପାଇଛି। ଏହି ମିଳିତ ବିବୃତ୍ତି ବେଳେ ଦୁଇ ରାଜ୍ୟର ମନ୍ତ୍ରୀ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଆସାମର ମନ୍ତ୍ରୀ ଅଶୋକ ସିଙ୍ଗଲ ଟ୍ୱିଟ କରି ଏହି ବିବୃତ୍ତି ପୋଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *