ଏଲୋପାଥି, ହୋମିଓପାଥି ଏବଂ ଆୟୁର୍ବେଦ ଡାକ୍ତରଙ୍କ ଦରମା ଅଲଗା ହୋଇପାରିବନି’
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସରକାର ଏଲୋପାଥି, ହୋମିଓପାଥି, ଆୟୁର୍ବେଦ ଏବଂ ଯୋଗ ଓ ନାଚ୍ୟୁରପାଥି, ଉନାନି, ସିଦ୍ଧ ଏବଂ ହୋମିଓପାଥି ମଧ୍ୟରେ ଭେଦଭାବ କରିପାରିବେ ନାହିଁ। ମଙ୍ଗଳବାର ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରିବା ବେଳେ ଏପରି କହିଛନ୍ତି। ତେଣୁ ଚିକିତ୍ସା ପ୍ରଣାଳୀ ଭିନ୍ନ କହି ଏହି ସମସ୍ତ ଡାକ୍ତରଙ୍କ ମଧ୍ୟରେ ଦରମା ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟରେ ଭେଦଭାବ କରିବା ସମ୍ୱିଧାନର ଧାରା ୧୪କୁ ଅବମାନନା ହେବ। ତେଣୁ ସମସ୍ତ ସରକାର ଗୋଟିଏ ନିୟମରେ ଡାକ୍ତର ମାନଙ୍କୁ ସୁବିଧା ଯୋଗାଇ ଦେବେ। ସୁପ୍ରିମକୋର୍ଟର ବିଚାରପତି ଏଲ ଏନ ରାଓ ଏବଂ ହୃଷିକେଶ ରୟ ଦିଲ୍ଲୀ ମ୍ୟୁନିସିପାଲଟି କର୍ପୋରେସନର ଏକ ମାମଲାର ଶୁଣାଣି କରି ଏପରି କହିଛନ୍ତି।
ଚିକିତ୍ସା ପ୍ରଣାଳୀ ଭିନ୍ନ ରହି ଥାଇ ପାରେ କିନ୍ତୁ ଏହାର ଅର୍ଥ ନୁହେଁ ଏଲୋପାଥିକ ଏବଂ ଆୟୁର୍ବେଦିକ ଡାକ୍ତରଙ୍କ ଅବସର ସମୟ ଅଲଗା ରହିବ। ଏପରି ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଏହା କରିବା ଭେଦଭାବର ଉଲ୍ଲଂଘନ ଏବଂ ସମ୍ବିଧାନରେ ଦର୍ଶାଯାଇଥିବା ସମାନତାର ଅଧିକାର ବିରୋଧରେ ଯିବ। ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନର ଆୟୁର୍ବେଦିକ ଡାକ୍ତରଙ୍କ ମାମଲାରେ କୋର୍ଟ ଏହି ରାୟ ପ୍ରଦାନ କରିବାବେଳେ କହିଛନ୍ତି ଯେ ଆୟୁର୍ବେଦିକ ଡାକ୍ତରଙ୍କ ଅବସର ସୀମାର ୬୫ ହେବା ଦରକାର। ଯାହାକି ଏଲୋପାଥି ଚିକିତ୍ସାରେ ରହିଛି। ମେ ୩୧,୨୦୧୬ ଠାରୁ ଏହି ନିୟମ ଲାଗୁ ହୋଇଛି।
ସୂଚନାଯୋଗ୍ୟ, ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ଆୟୁର୍ବେଦିକ ଡାକ୍ତରଙ୍କ ଅବସର ସୀମା ୬୦ ହେବା ଦରକାର କହି ସୁପ୍ରିମକୋର୍ଟରେ ସେଣ୍ଟ୍ରାଲ୍ ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ (କ୍ୟାଟ୍) ଏବଂ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲା। ସୁପ୍ରିମକୋର୍ଟ ମ୍ୟୁନିସିପାଲିଟି କର୍ପୋରେସନର ଆବେଦନକୁ ଖାରଜ କରି କ୍ୟାଟ୍ ଏବଂ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଯେଉଁଥିରେ କୁହାଯାଇଥିଲା ଯେ ଆୟୁଷ ଅଧୀନରେ ଆସୁଥିବା ଆୟୁର୍ବେଦିକ ଡାକ୍ତରମାନେ ମଧ୍ୟ ଏଲୋପାଥିକ ଡାକ୍ତରଙ୍କ ପରି ଅବସର ବୟସ ୬୦ ରୁ ୬୫କୁ ବୃଦ୍ଧି କରିବାର ସୁବିଧା ପାଇବାକୁ ହକଦାର। ସୁପ୍ରିମକୋର୍ଟ କହିଛନ୍ତି ଯେ ଏଲୋପାଥିକ ଏବଂ ଆୟୁର୍ବେଦିକ ଡାକ୍ତରଙ୍କ ଉଦ୍ଦେଶ୍ୟ ଲୋକଙ୍କ ଚିକିତ୍ସା କରିବା। ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟର ଅନ୍ତରୀଣ ଆଦେଶ ଅନୁଯାୟୀ ଆୟୁର୍ବେଦିକ ଡାକ୍ତରମାନେ ୬୦ ବର୍ଷ ପରେ ମଧ୍ୟ କାମ କରୁଥିଲେ। କିନ୍ତୁ ସେମାନଙ୍କୁ ଦରମା ଦିଆଯାଇନଥିଲା। ସୁପ୍ରିମକୋର୍ଟରେ ଦିଲ୍ଲୀ ମ୍ୟୁନିସିପାଲଟି କର୍ପୋରେସନ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ ଆୟୁର୍ବେଦିକ ଡାକ୍ତରମାନେ ଏହି ଅବଧିରେ ଦରମା ପାଇବାକୁ ଯୋଗ୍ୟ ନୁହଁନ୍ତି। ସରକାର ଦରମା ଦେଲେ ଏହା ଏକ ପ୍ରକାର ବୋଝ ହେବ।











