ଦେଶରେ e-RUPIର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଏମିତି ମିଳିବ ସୁବିଧା
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଡିଜିଟାଲ୍ ପେମେଣ୍ଟ ସଲ୍ୟୁସନ୍ ଇ-ରୁପି (e-RUPI) ଲଞ୍ଚ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିଏମ ମୋଦୀ ଏହାର ଶୁଭାରମ୍ଭ କରିଛନ୍ତି । ଇ-ରୁପି ଏକ ପ୍ରିପେଡ୍ ଇ-ଭାଉଚର। ଯାହାକୁ ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ୍ ଅଫ ଇଣ୍ଡିଆ (NPCI) ପ୍ରସ୍ତୁତ କରିଛି। ଏହା ଜରିଆରେ କ୍ୟାସଲେସ୍ ଏବଂ କଣ୍ଟାକ୍ଟଲେସ୍ ପେମେଣ୍ଟ ହୋଇପାରିବ।
ଇ-ରୁପିର ଶୁଭାରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଇ-ରୁପି ଭାଉଚର ଦେଶରେ ଡିଜିଟାଲ ଟ୍ରାଞ୍ଜାକ୍ସନ ପ୍ରକ୍ରିୟାରେ ଡାଇରେକ୍ଟ ଟୁ ବ୍ୟାଙ୍କ ଟ୍ରାନ୍ସଫର ଯୋଜନାକୁ ପ୍ରଭାବୀ କରିବାରେ ବହୁତ ବଡ଼ ଭୂମିକା ନେବ। ଏବେ ଏହାକୁ ସ୍ବାସ୍ଥ୍ୟ ସେବା ସହ ଯୋଡ଼ାଯାଉଛି। କୌଣସି ବ୍ୟକ୍ତି ଇ-ରୁପି ଜରିଆରେ ଟଙ୍କା ଦେଇ ମଧ୍ୟ ଭ୍ୟାକସିନ୍ ନେଇପାରିବେ। ପରେ ଅନ୍ୟ କ୍ଷେତ୍ରରେ ଏହାର ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି । ତେବେ ଇ-ରୁପି ଦ୍ବାରା ଦେଶରେ ଚାଲିଥିବା ଦୁର୍ନୀତି ଉପରେ ରୋକ ଲାଗିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ସହ ପୂର୍ବରୁ ଲୋକମାନେ କହୁଥିଲେ ଟେକନୋଲୋଜି ଧନୀମାନଙ୍କ ପାଇଁ ଉଦ୍ଦିଷ୍ଟ , ଭାରତ ତ ଗରିବ ଦେଶ ତେଣୁ ଭାରତ ପାଇଁ ଟେକନୋଲୋଜିର ଆବଶ୍ୟକତା କଣ ? ଆଜି ଦେଶ ସେହି ଭଳି ଲୋକଙ୍କ ଭାବନାକୁ ଭୁଲ ପ୍ରମାଣିତ କରିଛି ବୋଲି ମଧ୍ୟ ମୋଦୀ କହିଛନ୍ତି ।











