ସେମି ଫାଇନାଲରେ ହାରିଲେ ସିନ୍ଧୁ

ଟୋକିଓ, (ଓଡିଶା ଟାଇମ୍): କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଥିବା ଭାରତର ଷ୍ଟାର ଶଟଲର ପିଭି ସିନ୍ଧୁଙ୍କ ସ୍ୱପ୍ନ ଅଧା ରହି ଯାଇଛି। ଆଜି ସେ ସେମି ଫାଇନାଲ ମୁକାବିଲାରେ ଚାଇନିଜ ତାଇପେଇର ତାଇ ଜୁ ୟିଙ୍ଗ ଠାରୁ ସିଧାସଳଖ ୨-୦ରେ ପରାସ୍ତ ହୋଇଛନ୍ତି।  ଏହି ପରାଜୟ ସହ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବାରୁ ସିନ୍ଧୁ ଯେଉଁ ଲକ୍ଷ୍ୟ ରଖିଥିଲେ, ତାହା ଅଧା ରହି ଯାଇଛି। ତେବେ ସେ ସେମି ଫାଇନାଲରେ ହାରି ଥିବାରୁ ବ୍ରୋଞ୍ଜ ପଦକ ପାଇଁ ଆଉ ଏକ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇବେ।

ଆଜିର ସେମି ଫାଇନାଲ ମୁକାବିଲାରେ ସିନ୍ଧୁ ଜବରଦସ୍ତ ଆରମ୍ଭ କରିଥିଲେ। ପ୍ରଥମ ସେଟ୍‌ର ଫାଷ୍ଟ ହାଫକୁ ୧୧-୮ରେ ଜିତି ନେଇଥିଲେ। କିନ୍ତୁ ସେଟ୍‌ର ବ୍ରେକ ପରେ ତାଇ ଜୁ ଜବରଦସ୍ତ କମବ୍ୟାକ୍‌ କରିଥିଲେ। ସିନ୍ଧୁ ମଧ୍ୟ ତାଙ୍କୁ କଡ଼ା ଟକ୍କର ଦେଇଥିଲେ। ଶେଷରେ ଏହି ସେଟ୍‌କୁ ତାଇ ୨୧-୧୮ରେ ବାଜିମାରି ନେଇଥିଲେ।

ଦ୍ୱିତୀୟ ସେଟ୍‌ରେ ତାଇ ନିଜର ରଣନୀତି ବଦଳାଇ ସିନ୍ଧୁଙ୍କୁ ଲଙ୍ଗ ରାଲି ଖେଳିବାକୁ ବାଧ୍ୟ କରିଥିଲେ। ଏହାର ଫାଇଦା ମଧ୍ୟ ତାଙ୍କୁ ମିଳିଥିଲା। ଦ୍ୱିତୀୟ ସେଟ୍‌ର ପ୍ରଥମ ବ୍ରେକ ପଏଣ୍ଟକୁ ତାଇ ଜୁ ୧୧-୭ରେ ଜିତି ନେଇଥିଲେ। ବ୍ରେକ ପରେ ସିନ୍ଧୁ କମବ୍ୟାକ କରିବାକୁ ଚେଷ୍ଟା କରିଥିଲେ। ହେଲେ ତାଇ ଜୁ ନିଜ ଅଭିଜ୍ଞତାର ପ୍ରଦର୍ଶନ କରି ଦୁଇ ଖେଳାଳିଙ୍କ ମଧ୍ୟରେ ଥିବା ଲିଡ୍‌କୁ ଆଗକୁ ବଢ଼ାଇ ଦେଇଥିଲେ। ଶେଷରେ ସେ ଏହି ସେଟ୍‌କୁ ୨୧-୧୨ରେ ଜିତି ନେଇ ସିନ୍ଧୁଙ୍କ ସ୍ୱର୍ଣ୍ଣିମ ସ୍ୱପ୍ନରେ ବ୍ରେକ ଲଗାଇ ଦେଇଥିଲେ।

୨୦୧୬ ଅଲିମ୍ପିକ୍ସରେ ସିନ୍ଧୁ ଫାଇନାଲରେ ପ୍ରବେଶ କରିଥିଲେ। କିନ୍ତୁ ଫାଇନାଲରେ ତାଙ୍କ ସ୍ପେନର କାରଲିନା ମାରିନଙ୍କ ଠାରୁ ପରାସ୍ତ ହେବାକୁ ପଡ଼ିଥିଲା। ତେଣୁ ସେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ। ଏଥର ମଧ୍ୟ ସେ ସେମିରେ ପହଞ୍ଚିଥିବାରୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ସ୍ୱର୍ଣ୍ଣ ପାଇଁ ଲଢ଼େଇ କରିବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ଏହି ଆଶା ନିରାଶରେ ପରିଣତ ହୋଇଛି। ସିନ୍ଧୁ ସେମିରେ ହାରି ଯାଇଥିଲେ ହେଁ ବ୍ରୋଞ୍ଜ ପଦକ ଜିତିବାର ସୁଯୋଗ ତାଙ୍କ ପାଖରେ ରହିଛି। ଆସନ୍ତାକାଲି ସେ ଏହି ପଦକ ଜିତିବା ପାଇଁ ଚାଇନାର ହେ ବିଙ୍ଗଜିଆଓଙ୍କ ସହ ଲଢ଼େଇ କରିବେ। ଯଦି ସେ ଏହି ମ୍ୟାଚ୍‌ରେ ଜିତିବେ, ତା’ହେଲେ ଦ୍ୱିତୀୟ ଭାରତୀୟ ଭାବେ ଅଲିମ୍ପିକ୍ସରେ ଦୁଇଥର ପଦକ ଜିତିବାର ରେକର୍ଡ ସୃଷ୍ଟି କରିବେ।

 

Leave a Reply

Your email address will not be published. Required fields are marked *